ମୁମ୍ବାଇ ଇଏସ୍‌ଆଇ ହସ୍ପିଟାଲ୍‌ ଅଗ୍ନିକାଣ୍ଡ: ଅବାନ୍ତର ଯୁକ୍ତି ଦେଖାଇ ମୃତ ଯାଆଁଳା ନବଜାତକଙ୍କ ପରିବାରକୁ ୧୦ ବଦଳରେ ୨ ଲକ୍ଷ ଟଙ୍କା ଦେଲା ହସ୍ପିଟାଲ୍‌

ମୁମ୍ବାଇ: ମୁମ୍ବାଇର ଅନ୍ଧେରୀଠାରେ ଥିବା ଇଏସ୍‌ଆଇ ହସ୍ପିଟାଲ୍‌ରେ ଗତ ସପ୍ତାହରେ ଅଗ୍ନିକାଣ୍ଡ ଘଟିବାରୁ ନୂଆ କରି ଜନ୍ମଲାଭ କରିଥିବା ଏକ ସପ୍ତାହର ଦୁଇ ଯାଆଁଳା ଭଉଣୀଙ୍କର ସେଠାରେ ମୃତ୍ୟୁ ଘଟିଥିଲା। ସେମାନଙ୍କ ମୃତ୍ୟୁ ପରେ ଅନୁକମ୍ପାମୂଳକ ରାଶି ଭାବେ ହସ୍ପିଟାଲ୍‌ ପକ୍ଷରୁ ୧୦ ଲକ୍ଷ ଟଙ୍କା ମିଳିବାକୁ ଥିବା ବେଳେ ହସ୍ପିଟାଲ୍‌ କର୍ତ୍ତୃପକ୍ଷ ଏକ ଅବାନ୍ତର ଯୁକ୍ତି କରି ୧୦ ଲକ୍ଷ ଟଙ୍କା ଦେବାକୁ ଅସ୍ୱୀକାର କରି ୨ ଲକ୍ଷ ଟଙ୍କା ଦେବା ଘଟଣା ଏବେ ଚାରିଆଡ଼େ ଚର୍ଚ୍ଚା ପାଲଟିଛି।

ହସ୍ପିଟାଲ୍‌ ପକ୍ଷରୁ କୁହାଯାଇଛି ଯେ ମରି ଯାଇଥିବା ୨ଟି ଯାଆଁଳା ପିଲା ଅପରିପକ୍ୱ ଶିଶୁ ହୋଇଥିବା ହେତୁ ସେମାନେ ଏମିତିରେ ବି ଅଳ୍ପ ଦିନ ମଧ୍ୟରେ ମରିଥାନ୍ତେ। ତେଣୁ ସେମାନଙ୍କ ମୃତ୍ୟୁ ପାଇଁ ହସ୍ପିଟାଲ୍‌ ୧୦ ଲକ୍ଷ ଟଙ୍କା ଦେବା ଉଚିତ ନୁହେଁ।

ଉଲ୍ଲେଖଯୋଗ୍ୟ, ଗଲା ସପ୍ତାହର ସୋମବାର ଦିନ ଘଟିଯାଇଥିବା ଏହି ଅଗ୍ନିକାଣ୍ଡରେ ସମୁଦାୟ ୧୧ ଜଣଙ୍କ ଜୀବନ ଯାଇଛି। ଅଗ୍ନିକାଣ୍ଡ ଘଟିବାର ୪ ଦିନ ପରେ ଅର୍ଥାତ, ଶୁକ୍ରବାର ଦିନ ହସ୍ପିଟାଲ୍‌ରେ ଥିବା ଏହ ଦୁଇ ଯାଆଁଳା ଶିଶୁଙ୍କ ଜୀବନ ଯାଇଥିଲା।

ହସ୍ପିଟାଲ କର୍ତ୍ତୃପକ୍ଷ ମୃତ ଶିଶୁଙ୍କ ମାଆଙ୍କୁ ୨ ଲକ୍ଷ ଟଙ୍କାର ଚେକ୍‌ ପ୍ରଦାନ କରିବା ପରେ ସେ ଗଣମାଧ୍ୟମରେ ନିଜର କ୍ଷୋଭ ପ୍ରକାଶ କରି କହିଛନ୍ତି, ‘ମୋ ପିଲାଙ୍କ କ୍ଷତି ଟଙ୍କା ପୂରା କରିପାରିବ ନାହିଁ। ମାତ୍ର ସେମାନେ କିପରି ମନା କରି ପାରୁଛନ୍ତି ଯେ ମୋ ପିଲାଙ୍କ ଜୀବନ ଅଗ୍ନିକାଣ୍ଡ ହେତୁ ଯାଇନାହିଁ।’

ସମ୍ବନ୍ଧିତ ଖବର