ମାଞ୍ଚେଷ୍ଟରରେ ଶ୍ରୀଜଗନ୍ନାଥଙ୍କ ବିଗ୍ରହ ପ୍ରତିଷ୍ଠା

ମାଞ୍ଚେଷ୍ଟର : ବ୍ରିଟେନ୍‌ (ୟୁକେ)ର ଦ୍ୱିତୀୟ ବୃହତ୍ତମ ନଗରୀ ମାଞ୍ଚେଷ୍ଟରଠାରେ ବିଶ୍ୱନିୟନ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ସକାଳୁ ପୂଜାର୍ଚ୍ଚନା, ଅଧିବାସ, କଳସ ଯାତ୍ରା, ଅଭିଷେକ, ମୂର୍ତ୍ତି ସ୍ଥାପନା ଓ ପ୍ରାଣ ପ୍ରତିଷ୍ଠା ଆଦି ଧାର୍ମିକ ନୀତି ବିଧି ମୁତାବକ ଅତ୍ୟନ୍ତ ଭକ୍ତିପୂତ ପରିବେଶ ମଧ୍ୟରେ ସମାପନ କରାଯାଇଥିଲା। ଏହି ଉପଲକ୍ଷେ ଚତୁର୍ଦ୍ଧା ମୂର୍ତ୍ତି ବିରାଜମାନ କରୁଥିବା ୨୩୧ ନମ୍ବର ଉଇଦିଂଟନ୍‌ ରୋଡ୍‍ସ୍ଥିତ ଗୀତା ଭବନ ହିନ୍ଦୁ ମନ୍ଦିରକୁ ରଙ୍ଗବେରଙ୍ଗର କାଗଜ ଓ କପଡ଼ାରେ ସଜା ଯାଇଥିଲା। ମଧ୍ୟାହ୍ନରେ ଦିଅଁମାନଙ୍କ ସାମ୍ନାରେ ନାମଯଜ୍ଞ, ହୋମ, ଭୋଗ, ମହା ଆଳତି ଓ ପୁଷ୍ପାଞ୍ଜଳି ଆଦି ଧାର୍ମିକ କାର୍ଯ୍ୟକ୍ରମ ‘ଗ୍ଲାସ୍‍ ଗୋ’ ହିନ୍ଦୁ ମନ୍ଦିରର ମୁଖ୍ୟ ପୂଜାରୀ ଆଚାର୍ଯ୍ୟ ମେଦିନୀପତି ମିଶ୍ର ଏବଂ ଗୀତା ଭବନର ମୁଖ୍ୟ ପୂଜାରୀ ଆଚାର୍ଯ୍ୟ ଶ୍ୟାମସୁନ୍ଦର ଶର୍ମାଙ୍କ ମିଳିତ ତତ୍ତ୍ୱାବଧାନରେ ସମ୍ପନ୍ନ କରାଯାଇଥିଲା।

ବହୁପ୍ରତୀକ୍ଷିତ ଏହି ପ୍ରତିମା ସ୍ଥାପନା ଉତ୍ସବ ଦେଖିବା ପାଇଁ ମନ୍ଦିର ପରିସରରେ ପାଖାପାଖି ୫୦୦ ଓଡ଼ିଆ ଓ ଅଣଓଡ଼ିଆ ଶ୍ରଦ୍ଧାଳୁମାନେ ସେମାନଙ୍କ ପରିବାର ସହ ସମ୍ମିଳିତ ହୋଇଥିଲେ। ଅପରାହ୍‌ଣ ସାଢ଼େ ୨ଟାରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ରୋଶଣୀ ସହ ଗୀତା ଭବନ ପରିସରରେ ଥିବା ସୁନ୍ଦର, ସୁସଜ୍ଜିତ ରଥ ଉପରକୁ ନିଆଯାଇଥିଲା। ରଥ ନିର୍ମାଣ ଓ ଏହାର ସାଜସଜ୍ଜା କରିବାରେ ଜୀବନ ପାଣିଗ୍ରାହୀ, ବିଷ୍ଣୁ ଦାଶ ଓ ପ୍ରଶାନ୍ତ ସାହୁ ପ୍ରମୁଖ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।

ଉପସ୍ଥିତ ଭକ୍ତମାନଙ୍କର ହରିବୋଲ, ହୁଳହୁଳି, ଜୟ ଜଗନ୍ନାଥ ଧ୍ୱନୀରେ ଗଗନ ପବନ ପ୍ରକମ୍ପିତ ହେବାର ଦୃଶ୍ୟ ବେଶ୍‍ ହୃଦୟସ୍ପର୍ଶୀ ଥିଲା। ଡ. ଶିବ ସେନାପତି ପାରମ୍ପରିକ ଛେରାପହଁରା କାର୍ଯ୍ୟ ତୁଲାଇବା ପରେ ଭଜନ, କୀର୍ତ୍ତନ ମଧ୍ୟରେ ରଥକୁ ଉଇଦିଂଟନ୍‍, ଉଇଲ୍‍ବ୍ରାହାମ୍‍, ବାଣ୍ଟିଂହମ୍‍ ଏବଂ ଆଲେକ୍‍ଜାଣ୍ଡ୍ରା ସାଉଥ୍‍ ଆଦି ରାସ୍ତାରେ ଦୁଇ ମାଇଲ୍‍ ପରିମିତ ଆଲେକ୍‍ଜାଣ୍ଡ୍ରା ପାର୍କ ପର୍ଯ୍ୟନ୍ତ ଟଣାଯାଇ ପୁଣି ମନ୍ଦିର ବେଢ଼ାକୁ ଫେରାଇ ଅଣାଯାଇଥିଲା। ମାଞ୍ଚେଷ୍ଟରଠାରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ସ୍ଥାପନା ହେବା ଦ୍ୱାରା ଉତ୍ତର-ପଶ୍ଚିମ ଇଂଲଣ୍ଡ ଅଞ୍ଚଳରେ ବସବାସ କରୁଥିବା ଓଡ଼ିଆମାନଙ୍କର ଦୀର୍ଘ ଦିନର ସ୍ୱପ୍ନ ସାକାର ହୋଇଛି ବୋଲି ଉତ୍ସବର ପ୍ରଧାନ ଆୟୋଜକ ଡ. ଶିବ ସେନାପତି ଓ ରେଖା ସେନାପତି ମତପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ, ନିମ କାଠରେ ପୁରୀରେ ନିର୍ମିତ କରାଯାଇଥିବା ଦିଅଁମାନଙ୍କର ପ୍ରତିମୂର୍ତ୍ତିଗୁଡ଼ିକୁ କୋରିଅର୍‍ ଯୋଗେ ମାଞ୍ଚେଷ୍ଟରକୁ ଅଣାଯାଇଥିଲା। ଗୀତା ଭବନରେ ପ୍ରତିମା ପ୍ରତିଷ୍ଠା ସକାଶେ ଏହାର ସଂସ୍ଥାପକ ଓ ପରିଚାଳକ ସଂସ୍ଥା ହିନ୍ଦୁ ସାଂସ୍କୃତିକ ସମାଜର ବରିଷ୍ଠ ଟ୍ରଷ୍ଟି ରାଜକୁମାର କୌଶଳ ବିଶେଷ ସହଯୋଗ କରିଥିଲେ। ବିଗ୍ରହ ସ୍ଥାପନା ସମାରୋହ ଏବଂ ରଥଯାତ୍ରା ଆୟୋଜନରେ ଜୀବନ ପାଣିଗ୍ରାହୀ, ଦୁର୍ଗେଶ ନନ୍ଦିନୀ ମିଶ୍ର, ପ୍ରଶାନ୍ତ ସାହୁ, ରୋଜାଲିନ ବିଶ୍ୱାଳ, ବିଷ୍ଣୁ ଦାଶ, ସୁଶ୍ରୀ ମିଶ୍ର, ଶିବ ରଞ୍ଜନ ବିଶ୍ୱାଳ ଓ ପୂଜା ଖଣ୍ଡୁଆଳଙ୍କ ପ୍ରମୁଖ ଭୂମିକା ରହିଥିଲା। ଅନ୍ୟ ପ୍ରମୁଖ ବ୍ୟକ୍ତିବିଶେଷଙ୍କ ମଧ୍ୟରେ ଡ. ନିଶେବିତା ଦାସ, ଡ. ରମେଶ ରାଉତରାୟ, ଡ. ରୀନା ରାଉତରାୟ, ଡ. ନୀରେନ୍ଦ୍ର ଜେନା, ବିଦ୍ୟୁତ୍‍ ଜେନା, ଡ. ବିଭୁ ପ୍ରସାଦ ଦାଶ, ଡ. ସଙ୍ଗୀତା ଦାଶ, ମମତା ନାୟକ, ଡ. ଜୀନିତା ମହାନ୍ତି, ଡ. ପ୍ରକାଶ ଦେ ଏବଂ ଡ. ଦେବକାନ୍ତ ବେହେରା ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧିତ ଖବର