ଆମେରିକା ରିପୋର୍ଟ: ଅରୁଣାଚଳରେ ଚୀନ୍‌ର ଗ୍ରାମ ସ୍ଥାପନ

ନୂଆଦିଲ୍ଲୀ : ଭାରତୀୟ ସେନାର ବ୍ୟାପକ ସତର୍କତା ପଦକ୍ଷେପ ସତ୍ତ୍ବେ ଅରୁଣାଚଳ ପ୍ରଦେଶରେ ଚୀନ୍‌ର ଷଡ଼ଯନ୍ତ୍ରପୂର୍ଣ୍ଣ ସାମରିକ କାର୍ଯ୍ୟକଳାପ ଜାରି ରହିଛି। ଆମେରିକା ଜାରି କରିଥିବା ପ୍ରତିରକ୍ଷା ସଂକ୍ରାନ୍ତ ବାର୍ଷିକ ରିପୋର୍ଟ ଅନୁଯାୟୀ ଚୀନ୍‌ ଅରୁଣାଚଳ ପ୍ରଦେଶରେ ୧୦୦ ଘର ବିଶିଷ୍ଟ ଏକ ଗ୍ରାମ ସ୍ଥାପନ କରିଛି। ପିଆରସି (ପିପୁଲ୍ସ ରିପବ୍ଲିକ ଅଫ୍‌ ଚାଇନା) ତିବ୍ଦତ ସ୍ବୟଂଶାସିତ ଅଞ୍ଚଳ ଏବଂ ଅରୁଣାଚଳପ୍ରଦେଶ ପୂର୍ବ ସେକ୍ଟର ସ୍ଥିତ ନିୟନ୍ତ୍ରଣ ରେଖା ମଧ୍ୟ‌ରେ ୧୦୦ଟି ଘର ବିଶିଷ୍ଟ ଏକ ଗ୍ରାମ ସ୍ଥାପନ କରି ଭାରତକୁ କଡ଼ା ବାର୍ତ୍ତା ଦେବାକୁ ଚାହିଁଛି। ସୀମା ବିବାଦର ସମାଧାନ ପାଇଁ ଭାରତ ଓ ଚୀନ୍‌ ମଧ୍ୟରେ କୂଟନୈତିକ ଏବଂ ସାମରିକ କଥାବାର୍ତ୍ତା ଜାରି ରହିଥିବା ସତ୍ତ୍ବେ ଚୀନ୍‌ ଲଗାତାର ଭାବେ ନିଜର ଆଧିପତ୍ୟ ଜାହିର କରିବାକୁ ଚେଷ୍ଟା କରୁଛି ବୋଲି ରିପୋର୍ଟରେ କୁହାଯାଇଛି। ବିଶ୍ବର ବିଭିନ୍ନ ସମ୍ବେଦଶୀଳ ଅଂଚଳରେ ସାମରିକ ଗତିବିଧି ନେଇ ଆମେରିକାର ଏହି ରିପୋର୍ଟରେ ବିସ୍ତୃତ ତଥ୍ୟ ପ୍ରକାଶ ପାଇଛି।

ଅରୁଣା‌ଚଳ ପ୍ରଦେଶର ସୁବାନସିରି ଜିଲ୍ଲା ଅଧୀନସ୍ଥ ସାରି ଚୁ ନଦୀ କୂଳରେ ଏହି ଗ୍ରାମ ସ୍ଥାପନ ହୋଇଥିବା ଜଣାପଡ଼ିଛି। ୧୯୬୨ ଯୁଦ୍ଧ ପୂର୍ବରୁ ବି ଏହି ଅଞ୍ଚଳ‌ରେ ଭାରତ ଏବଂ ଚୀନ୍‌ ସୈନିକଙ୍କ ମଧ୍ୟରେ ସଂଘର୍ଷ ହୋଇଛି। ପ୍ରାୟ ଗୋଟିଏ ଦଶନ୍ଧିରୁ ଊର୍ଦ୍ଧ୍ବ ସମୟ ଧରି ଚୀନ୍‌ ଏଠାରେ ଏକ କ୍ଷୁଦ୍ର ସାମରିକ ଘାଟି ପ୍ରତିଷ୍ଠା‌ କରିଥିଲା। କିନ୍ତୁ ୨୦୨୦ ବେଳକୁ ସ୍ଥିତି ସମ୍ପୂର୍ଣ୍ଣ ବଦଳିଗଲା। ଏହା ଏକ ସମ୍ପୂର୍ଣ୍ଣ ଗ୍ରାମ ନିର୍ମାଣ କଲା ଏବଂ ଏବେ ଭାରତୀୟ ଅଞ୍ଚଳରେ ବି ରାସ୍ତା ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ କରିଛି। ଚୀନ୍‌ ମନ୍ଦ ଉଦ୍ଦେଶ୍ୟ ରଖି ସୀମାନ୍ତରେ ଗ୍ରାମ ନିର୍ମାଣ କରିଥିବା ସ୍ପଷ୍ଟ ହୋଇଥିବା ବେଳେ ଏବେ ସେଠାରେ ସେନା ମୁତୟନ ବଢ଼ାଇବା ସହ ଭାରତକୁ ଚାପରେ ରଖିବା ପାଇଁ ଅତିକ୍ରମଣକୁ ଏକ ରଣନୀତି ଭାବେ ଗ୍ରହଣ କରିଛି।

ସମ୍ବନ୍ଧିତ ଖବର