ନୂଆଦିଲ୍ଲୀ: ପ୍ରଶ୍ନ ପାଇଁ ଅର୍ଥ ମାମଲାରେ ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୈତ୍ରଙ୍କ ଅଡ଼ୁଆ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ବିଶେଷ ସୂତ୍ରରୁ ଖବର ମିଳିଛି କି, ଲୋକସଭାର ସଦାଚାର କମିଟି ମହୁଆଙ୍କୁ ସଂସଦରୁ ବହିଷ୍କାର କରିବା ପାଇଁ ସୁପାରିସ କରିଛନ୍ତି। ସଂସଦର ସଦାଚାର କମିଟି ମହୁଆଙ୍କ ମାମଲାର ତଦନ୍ତ କରି ଲୋକସଭା ସଚିବାଳୟକୁ ଏକ ୫୦୦ ପୃଷ୍ଠାର ରିପୋର୍ଟ ଦେଇଥିବା ସୂଚନା ହସ୍ତଗତ ହୋଇଛି । ଏହି ରିପୋର୍ଟରେ ମହୁଆ ମୈତ୍ରଙ୍କୁ ଦୋଷୀ ଦର୍ଶାଇ ତାଙ୍କର ସଦସ୍ୟତା ରଦ୍ଦ ଲାଗି କମିଟି ସୁପାରିସ କରିଥିବା  ସୂତ୍ରରୁ ପ୍ରକାଶ। ଏଥିସହ ଏହି ମାମଲାର ସମୟ ଅନୁବନ୍ଧିତ ଯାଞ୍ଚ ଲାଗି ମଧ୍ୟ କମିଟି ସୁପାରିସ କରିଥିବା ଜଣାପଡ଼ିଛି।

Advertisment

ସୂଚନାଯୋଗ୍ୟ, ସଂସଦରେ ପ୍ରଶ୍ନ ପାଇଁ ଲାଞ୍ଚ ମାମଲାର ତଦନ୍ତ ସମୟସୀମାବୃଦ୍ଧି ସହ ବ୍ୟବସାୟୀ ଦର୍ଶନ ହିରାନନ୍ଦାନୀଙ୍କଠାରୁ ନଗଦ ଟଙ୍କା ଓ ଉପହାର ନେଇଥିବା ମାମଲାରେ ଭାରତ ସରକାର ଯାଞ୍ଚ କରନ୍ତୁ ବୋଲି କମିଟି ପକ୍ଷରୁ ସୁପାରିସ ହୋଇଥିବା ଜଣାପଡ଼ିଛି।

ଏଥିସହ ସଦାଚାର କମିଟି ବିଏସପି ସାଂସଦ ଦାନିଶ ଅଲିଙ୍କ ଆଚରଣକୁ ବି ତୀବ୍ର ନିନ୍ଦା କରିଛନ୍ତି। ଅନ୍ୟ ପକ୍ଷରେ ନଭେମ୍ବର ୨ ତାରିଖରେ ମହୁଆ ମୈତ୍ର ସଦାଚାର କମିଟି ଉପରେ ଆପତ୍ତିଜନକ ପ୍ରଶ୍ନ ପଚାରିଥିବାର ବି ଅଭିଯୋଗ କରିଛନ୍ତି। ସଦାଚାର କମିଟିଙ୍କ ପକ୍ଷରୁ କୁହାଯାଇଛି, ‘ଏହି ଅଭିଯୋଗ ପରେ ଦାନିଶ ଅଲି ପ୍ରଶ୍ନକୁ ବୁଲାଇ ବଙ୍କାଇ ଉପସ୍ଥାପନା କରିଥିଲେ। ଜନତାଙ୍କ ଭାବନାକୁ ଆଘାତ ଦେବା ସହିତ କମିଟି ଅଧ୍ୟକ୍ଷ ଓ ସଭାପତିଙ୍କ ଅପମାନ କରିଥିଲେ।

ଏହି ମାମଲାରେ  ସାଂସଦ ମହୁଆ ମୈତ୍ରଙ୍କ ବିରୋଧରେ  ସିବିଆଇ ତଦନ୍ତ ପାଇଁ ଲୋକପାଳ ନିର୍ଦ୍ଦେଶ ଦେଇଛନ୍ତି ବୋଲି ବିଜେପି ସାଂସଦ ନିଶିକାନ୍ତ ଦୁବେ ଆଜି ଦାବି କରିଛନ୍ତି। ଏହାର ଜବାବରେ ତୃଣମୂଳ ସାଂସଦ ମହୁଆ ତଦନ୍ତକୁ ସ୍ୱାଗତ କରି ସିବିଆଇକୁ ୧୩,୦୦୦ କୋଟି ଟଙ୍କାର ଆଦାନୀ କୋଇଲା ଦୁର୍ନୀତି ବିରୋଧରେ ପ୍ରଥମେ ମାମଲା ରୁଜୁ କରିବାର ଆବଶ୍ୟକତା ରହିଛି ବୋଲି ଟିପ୍ପଣୀ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ବ୍ୟବସାୟୀ ଦର୍ଶନ ହିରାନନ୍ଦାନୀଙ୍କ ନିର୍ଦ୍ଦେଶରେ ଉପହାର ବଦଳରେ ଆଦାନୀ ଗ୍ରୁପ୍‌ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିବା ପାଇଁ ମହୁଆ ମୈତ୍ର ଲୋକସଭାରେ ପ୍ରଶ୍ନ ପଚାରିଥିବା ନିଶିକାନ୍ତ ଦୁବେ ଅଭିଯୋଗ କରିଛନ୍ତି। ଶ୍ରୀ ଦୁବେ କହିଥିଲେ କି, ମହୁଆ ମୈତ୍ର ବ୍ୟବସାୟୀ ଦର୍ଶନ ହୀରାନନ୍ଦାନୀଙ୍କୁ ନିଜ ଇଚ୍ଛା ମୁତାବକ ପ୍ରଶ୍ନ ପଚାରିବା ଲାଗି ଲୋକସଭା ୱେବସାଇଟରେ ଲଗଇନ ଆକସେସ ଦେଇଥିଲେ। ଏହି ଅଭିଯୋଗ ଦୁବେ ଆଇଟି ମନ୍ତ୍ରୀଙ୍କ ନିକଟରେ କରିଥିଲେ। କିନ୍ତୁ ଏହି ଅଭିଯୋଗକୁ ମହୁଆ ଖଣ୍ଡନ କରିଥିବା ଜଣାପଡ଼ିଛି।