ନୂଆଦିଲ୍ଲୀ: ଟିଏମସି ସାଂସଦ ମହୁଆ ମୈତ୍ର ଲାଞ୍ଚ ମାମଲାରେ ଲୋକସଭାର ସଦାଚାର ବା ଏଥିକ୍ସ କମିଟି ରିପୋର୍ଟ ଆସନ୍ତାକାଲି ଅର୍ଥାତ ଶୁକ୍ରବାର ଲୋକସଭାରେ ଆଗତ ହେବାର ସମ୍ଭାବନା ରହିଛି। ମିଳିଥିବା ସୂଚନା ଅନୁଯାୟୀ, ରିପୋର୍ଟ ଉପସ୍ଥାପନ ହେବା ପରେ କମିଟିର ସୁପାରିସ ଆଧାରରେ ମହୁଆ ମୈତ୍ରଙ୍କ ସଂସଦ ସଦସ୍ୟତା ରଦ୍ଦ ପାଇଁ ପ୍ରସ୍ତାବ ଅଣାଯିବ। ବିରୋଧୀ ଏହି ରିପୋର୍ଟ ଉପରେ ବିଭାଜନ ଦାବି କରିପାରନ୍ତି, ତେଣୁ ଆସନ୍ତାକାଲି ଗୃହରେ ରହିବାକୁ ବିଜେପି ନିଜ ସାଂସଦମାନଙ୍କୁ ହ୍ୱିପ୍ ଜାରି କରିଛି।
ମହୁଆ ମୈତ୍ରଙ୍କ ବହିଷ୍କାର ସମ୍ପର୍କିତ ଏଥିକ୍ସ କମିଟିର ରିପୋର୍ଟ ଡିସେମ୍ବର ୫ରେ ଲୋକସଭାରେ ଉପସ୍ଥାପିତ ହେବାର ଥିଲା। ମହୁଆ ପ୍ରସଙ୍ଗରେ ଗୃହକାର୍ଯ୍ୟ ଚାଲିଥିବା ବେଳେ ପ୍ରବଳ ହଙ୍ଗାମା ହୋଇଥିଲା। ମହୁଆ ମୈତ୍ର ପ୍ରସଙ୍ଗରେ ଆଜି ମଧ୍ୟ ଲୋକସଭାରେ ଜୋରଦାର ହଙ୍ଗାମା ହୋଇଥିଲା।
ମହୁଆ ମୈତ୍ରଙ୍କୁ 'ଲାଞ୍ଚ ନେଇ ପ୍ରଶ୍ନ ପଚାରିବା' ମାମଲାରେ ଗୃହରୁ ବହିଷ୍କାର କରିବାକୁ ଏହି ରିପୋର୍ଟରେ ସୁପାରିସ କରାଯାଇଛି। ଲୋକସଭା ସଚିବାଳୟ ଦ୍ୱାରା ପ୍ରକାଶିତ କାର୍ଯ୍ୟ ସୂଚୀ ଅନୁଯାୟୀ ନୈତିକତା କମିଟିର ଅଧ୍ୟକ୍ଷ ବିନୋଦ କୁମାର ସୋନକର କମିଟିର ରିପୋର୍ଟ ଗୃହର ଟେବୁଲରେ ଉପସ୍ଥାପନ କରିବେ। ତେବେ ମହୁଆଙ୍କ ଭୁଲ ପାଇଁ ତାଙ୍କ ସଦସ୍ୟତାକୁ ରଦ୍ଦ କରିବା ଅତି କଠୋର ଦଣ୍ଡ ହେବ ବୋଲି ଲୋକସଭାରେ କଂଗ୍ରେସ ନେତା ଅଧିର ରଂଜନ ଚୌଧୁରୀ ବାଚସ୍ପତିଙ୍କୁ ପତ୍ର ଲେଖିଛନ୍ତି ।