ମସ୍କୋ : ୟୁକ୍ରେନ ସଂକଟ ନେଇ ଋଷିଆକୁ ପୁଣି ଚେତାବନୀ ଶୁଣାଇଛି ବ୍ରିଟେନ ଓ ୟୁରୋପୀୟ ସଂଘ । ଋଷିଆ ସୈନ୍ୟ ଯଦି ୟୁକ୍ରେନ ମଧ୍ୟରେ ପ୍ରବେଶ କରନ୍ତି ତେବେ ତାହାର ପରିଣତି ଭୟଙ୍କର ହେବ । ଋଷିଆ ଉପରେ କଠୋର ଆର୍ଥିକ କଟକଣା ଲଗାଯିବ ଯାହାର ଚାପରେ ଋଷିଆର ଅର୍ଥନୀତି ତଳିତଳାନ୍ତ ହୋଇଯିବ ବୋଲି ୟୁରୋପୀୟ ସଂଘ ପକ୍ଷରୁ ଧମକ ଦିଆଯାଇଛି ।

Advertisment

ଗତ ୨୦୧୪ରେ ଋଷିଆ ୟୁକ୍ରେନର କ୍ରିମିଆ ଅଞ୍ଚଳକୁ ବଳପୂର୍ବକ ଦଖଲ କରିନେବା ପରେ ୟୁରୋପୀୟ ସଂଘ ପକ୍ଷରୁ ଋଷିଆ ଉପରେ ଆର୍ଥିକ କଟକଣା ଲଗାଯାଇଥିଲା । ଏହି କଟକଣା ଏବେ ବି ବଳବତ୍ତର ରହିଛି । ଏବେ ଯଦି ମସ୍କୋ ପୁଣି ଦୁଃସାହାସ କରେ ତେବେ ଆହୁରି କଠୋର କଟକଣା ପ୍ରସ୍ତୁତ ହୋଇ ରହିଛି ବୋଲି ୟୁରୋପୀୟ କମିଶନର ଅଧ୍ୟକ୍ଷା ଉର୍ସୁଲା ଭାନ ଡର ଲିଏନ କହିଛନ୍ତି ।

ଅନ୍ୟପକ୍ଷରେ ସୈନ୍ୟ ପ୍ରତ୍ୟାହାର ପାଇଁ ଋଷିଆ ପକ୍ଷରୁ କେତେକ ସର୍ତ୍ତ ଆରୋପ କରାଯାଇଛି । ନାଟୋ ଯଦି ସୁରକ୍ଷା ଗ୍ୟାରେଣ୍ଟି ଦିଏ ଓ ୟୁରୋପରେ ଆଉ ଆଗକୁ ପୂର୍ବକୁ ନବଢେ, ୟୁକ୍ରେନରେ ଓ ଋଷିଆକୁ ଲାଗିଥିବା ଅନ୍ୟ ଦେଶରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ମୁତୟନ ନକରେ ତେବେ ୟୁକ୍ରେନ ପ୍ରସଙ୍ଗରେ ଆଲୋଚନା ହୋଇପାରିବ । ଋଷିଆ ପକ୍ଷରୁ ଏସବୁ ପ୍ରସ୍ତାବ ଆମେରିକା ଆଗରେ ରଖାଯାଇଛି ।