ଇସ୍ଲାମାବାଦ : ପୁଲଓ୍ବାମା ଆକ୍ରମଣ ପରେ ପାକିସ୍ତାନ ଅନ୍ତର୍ଜାତୀୟ ସ୍ତରରେ ଯେପରି ଏକଘରକିଆ ହୋଇଛି, ପୂର୍ବରୁ କେବେ ହୋଇନଥିଲା । ଚୀନକୁ ଛାଡିଦେଲେ ବିଶ୍ବର ପ୍ରାୟ ସବୁ ପ୍ରମୁଖ ଦେଶ ପାକିସ୍ତାନ ଆତଙ୍କବାଦର କେନ୍ଦ୍ର ବୋଲି ଖୋଲାଖୋଲି କହୁଛନ୍ତି । ଜାତିସଂଘ ଏହି ଆକ୍ରମଣକୁ ନିନ୍ଦା କରିବା ପରେ ଏବେ ୟୁରୋପୀୟ ସଂଘ ମଧ୍ୟ ନିନ୍ଦା କରିଛି । ଏହା ସହିତ ଆତଙ୍କବାଦୀମାନଙ୍କୁ ବିରୋଧରେ କଡା ପଦକ୍ଷେପ ନେବାକୁ କହିଛି । କେବଳ ନାମୀ ଆତଙ୍କବାଦୀ ନୁହଁନ୍ତି, ଯେଉଁମାନେ ବିଭିନ୍ନ ଆତଙ୍କବାଦୀ ଆକ୍ରମଣ ପାଇଁ ନିଜକୁ ଦାୟୀ କରୁଛନ୍ତି ସେମାନଙ୍କ ବିରୋଧରେ ପଦକ୍ଷେପ ନେବାକୁ ମଧ୍ୟ ଇୟୁର ବରିଷ୍ଠ ପ୍ରତିନିଧି ଫେଡେରିକା ମୋଘେରିନି କହିଛନ୍ତି ।

Advertisment

ଏହା ପୂର୍ବରୁ ପୁଲୱାମାରେ ଆତଙ୍କବାଦୀ ଆକ୍ରମଣକୁ ଜାତିସଂଘ ନିରାପତ୍ତା ପରିଷଦ ନିନ୍ଦା କରିଥିଲା ।  ଏସଂପର୍କରେ ପରିଷଦ ପକ୍ଷରୁ ଏକ ବିବୃତି ଜାରି କରି ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈସେ ମହମ୍ମଦର ନାମ ମଧ୍ୟ ନିଆଯାଇଥିଲା । ଏହି ବିବୃତିକୁ ଅଟକାଇବା ଲାଗି ଚୀନ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଉଦ୍ୟମ କରିଥିଲା। କିନ୍ତୁ ଏହା କାମ ଦେଇନଥିଲା। ପରିଷଦ ପକ୍ଷରୁ ଜାରି ଏହି ବିବୃତିରେ କହିଥିଲା ଯେ ଯେ ଜାମ୍ମୁ-କଶ୍ମୀରର ପୁଲୱାମାରେ ଫେବୃଆରି‌ ୧୪ ତାରିଖରେ ଆତଙ୍କବାଦୀ ଆକ୍ରମଣକୁ ଜାତିସଂଘ କଠୋର ଭାଷାରେ ନିନ୍ଦା କରୁଛି।