ୟୁରୋପୀୟ ସଂସଦରେ ଭାରତୀୟ ନାଗରିକତା ଆଇନ ଉପରେ ବିତର୍କ ହେବ

ଲଣ୍ଡନ : ଭାରତୀୟ ନାଗରିକତା ଆଇନର ତାତି ୟୁରୋପରେ ପହଞ୍ଚିଛି । ୟୁରୋପୀୟ ସଂସଦରେ ଏ ସଂପର୍କରେ ବିତର୍କ ପାଇଁ କେତେକ ୟୁରୋପୀୟ ବାମ ଦଳ ପ୍ରସ୍ତାବ ଦେଇଛନ୍ତି । ଏହି ପ୍ରସ୍ତାବ ୟୁରୋପୀୟ ମିଳିତ ବାମଦଳ, ନର୍ଡିକ ଗ୍ରୀନ ଲେପ୍ଟ ଗ୍ରୁପ ପକ୍ଷରୁ ଦିଆଯାଇଛି । ଏହି ପ୍ରସ୍ତାବରେ କୁହାଯାଇଛି ଯେ ଭାରତର ଏହି ନୂଆ ନାଗରିକତା ଆଇନ ଜାତିସଂଘର ଧାରା ୧୫ ରେ ଥିବା ଅନ୍ତର୍ଜାତୀୟ ମାନବ ଅଧିକାର ଆଇନର ହନନ କରୁଛି । ଭାରତ ସରକାରଙ୍କ ଏହି ଆଇନ ବିଶ୍ୱରେ ଏକ ବିପଜ୍ଜନକ ମାନବୀୟ ସଂକଟ ସୃଷ୍ଟି କରିବ ବୋଲି ଏହି ବାମଦଳଗୁଡ଼ିକ ଅଭିଯୋଗ କରିଛନ୍ତି ।
ସୂଚନାଯୋଗ୍ୟ ଯେ ନାଗରିକତା (ସଂଶୋଧନ) ଆଇନରେ ଥିବା ବ୍ୟବସ୍ଥା ଅନୁସାରେ ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶରେ ଧର୍ମୀୟ ହିଂସାର ସମ୍ମୁଖୀନ ହେଉଥିବା ହିନ୍ଦୁ, ବୌଦ୍ଧ, ଶିଖ, ଖ୍ରୀଷ୍ଟିଆନ ଓ ପାର୍ସୀ ଆଦି ସଂପ୍ରଦାୟର ଶରଣାର୍ଥୀମାନଙ୍କୁ ଭାରତରେ ନାଗରିକତା ଦିଆଯିବ । ତେବେ ମୁସଲମାନ ମାନଙ୍କୁ ଏହି ବିଲ୍‌ ମାଧ୍ୟମରେ ନାଗରିକତା ଦିଆଯିବ ନାହିଁ । କିନ୍ତୁ ଏହା ସମ୍ବିଧାନର ବିରୋଧୀ ବୋଲି କହୁଛନ୍ତି କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳ ।

ସମ୍ବନ୍ଧିତ ଖବର