ଶ୍ରୀନଗର ବୁଲିଲେ ୟୁରୋପୀୟ ସାଂସଦ, ପାକିସ୍ତାନର ଷଡ଼ଯନ୍ତ୍ର ନେଇ ସୁରକ୍ଷା ବାହିନୀର ତଥ୍ୟ ପ୍ରଦାନ

ବ୍ରିଟିସ୍‌ ସାଂସଦଙ୍କ ଅଭିଯୋଗ: କଶ୍ମୀର ଗସ୍ତ ପାଇଁ ଅନୁମତି ଦେଲେନାହିଁ

ଶ୍ରୀନଗର: ୟୁରୋପୀୟ ସଂଘର ସାଂସଦମାନଙ୍କ ଏକ ପ୍ରତିନିଧି ଦଳ ଜମ୍ମୁ କଶ୍ମୀରର ପରିସ୍ଥିତି ସଂପର୍କରେ ଅବଗତ ହେବାପାଇଁ ଆଜି କଶ୍ମୀର ଗସ୍ତ କରିଛନ୍ତି। ଧାରା ୩୭୦ ହଟାଯିବା ପରେ କୌଣସି ବିଦେଶୀ ପ୍ରତିନିଧି ଦଳର ଏହା ପ୍ରଥମ ଜମ୍ମୁ କଶ୍ମୀର ଗସ୍ତ। ୟୁରୋପୀୟ ସାଂସଦମାନଙ୍କୁ ଆଜି ସୁରକ୍ଷା ବାହିନୀର ବରିଷ୍ଠ ଅଧିକାରୀମାନେ ଭେଟି କଶ୍ମୀରର ସୁରକ୍ଷା ସ୍ଥିତି ସଂପର୍କରେ ଅବଗତ କରାଇବା ସହ ଘାଟିରେ ହିଂସା ସୃଷ୍ଟି ପାଇଁ ପାକିସ୍ତାନର ଲଗାତାର ଷଡ଼ଯନ୍ତ୍ର ଏବଂ ଆତଙ୍କବାଦୀଙ୍କ ଅନୁପ୍ରବେଶ ସଂପର୍କରେ ତଥ୍ୟ ପ୍ରଦାନ କରିଥିଲେ। ଆଜି ଅପରାହ୍ନରେ ପ୍ରତିନିଧି ଦଳ ଶ୍ରୀନଗରର ବିଭିନ୍ନ ଅଂଚଳ ଗସ୍ତ କରିବା ସହ ଡାଲ୍‌ ହ୍ରଦ୍‌ରେ ନୌକା ବିହାର କରିଥିଲେ।

ସରକାର ଜମ୍ମୁ କଶ୍ମୀରକୁ ସ୍ବତନ୍ତ୍ର ପାହ୍ୟା ପ୍ରଦାନ କରୁଥିବା ଧାରା ୩୭୦କୁ ହଟାଇବା ପରେ ପାକିସ୍ତାନ କିଭଳି ଆତଙ୍କବାଦୀ କାର୍ଯ୍ୟକଳାପକୁ ବଢ଼ାଇବା ପାଇଁ ବ୍ୟାପକ ଷଡ଼ଯନ୍ତ୍ର କରିଆସୁଛି ସେ ସଂପର୍କରେ ୟୁରୋପୀୟ ପ୍ରତିନିଧି ଦଳ ତଥ୍ୟ ସଂଗ୍ରହ କରିଛନ୍ତି। ପାକିସ୍ତାନୀ ସେନା ଏବଂ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇର ଭୂମିକା ନେଇ ମଧ୍ୟ ପ୍ରତିନିଧି ଦଳକୁ ସୁରକ୍ଷା ବାହିନୀ ତଥ୍ୟ ପ୍ରଦାନ କରିଛନ୍ତି। ଗତକାଲି ୟୁରୋପୀୟ ସଂଘ ସାଂସଦମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଏନ୍‌ଏସ୍‌ଏ ଅଜିତ ଡୋଭାଲଙ୍କୁ ଭେଟିଥିଲେ। ପ୍ରତିନିଧି ଦଳ ସହ ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ ପାକିସ୍ତାନର ନାମ ନନେଇ ଏହି ରାଷ୍ଟ୍ର କିଭଳି ଆତଙ୍କବାଦକୁ ପ୍ରୋତ୍ସାହନ ଦେଇ ଚାଲିଛି ସେ ବାବଦରେ ଅବଗତ କରାଇଥିଲେ।

ଜମ୍ମୁ-କଶ୍ମୀରରୁ ଧାରା ୩୭୦ ହଟାଯିବା ପରେ ୟୁରୋପୀୟ ସଂଘ କଶ୍ମୀର ମାମଲାରେ ଭାରତକୁ ଦୃଢ଼ ସମର୍ଥନ କରିଥିଲେ। ୟୁରୋପୀୟ ସଂସଦରେ କୁହାଯାଇଥିଲା ଯେ ପାକିସ୍ତାନ ଏକ ସନ୍ଦିଗ୍ଧ ରାଷ୍ଟ୍ର ଏବଂ କଶ୍ମୀର ସଂପୂର୍ଣ୍ଣ ଭାବେ ଦ୍ବିପାକ୍ଷିକ ମାମଲା। ୟୁରୋପୀୟ ସଂଘ ନେତା ରିଚାର୍ଡ ଜାର୍‌ନେକି କହିଥିଲେ ଯେ କଶ୍ମୀରକୁ ଆତଙ୍କବାଦୀମାନେ ଚନ୍ଦ୍ରରୁ ଆସିନାହାନ୍ତି ସେମାନେ ପଡ଼ୋଶୀ ରାଷ୍ଟ୍ର ପାକିସ୍ତାନରୁ ଯାଇ ଭାରତରେ ହିଂସା ସୃଷ୍ଟି କରୁଛନ୍ତି। ଏହି ମାମଲାରେ ସମସ୍ତେ ଭାରତକୁ ସହଯୋଗ କରିବା ଉଚିତ ବୋଲି ସେ କହିଥିଲେ।

ବ୍ରିଟିସ୍‌ ସାଂସଦଙ୍କ ଅଭିଯୋଗ: କଶ୍ମୀର ଗସ୍ତ ପାଇଁ ଅନୁମତି ଦେଲେନାହିଁ
ନୂଆଦିଲ୍ଲୀ: ୟୁରୋପୀୟ ସଂସଦର ବ୍ରିଟିସ୍‌ ସାଂସଦ କ୍ରିସ୍‌ ଡାଭିସ୍‌ ଆଜି ଦାବି କରିଛନ୍ତି ଯେ ତାଙ୍କୁ ପ୍ରଥମେ କଶ୍ମୀର ଯିବାପାଇଁ ଅନୁମତି ମିଳିଥି‌ଲେ ମଧ୍ୟ ପରେ ଏହାକୁ ପ୍ରତ୍ୟାହାର କରି ନିଆଯାଇଥିଲା । ଡାଭିସ୍‌ଙ୍କ ଅଭିଯୋଗ ଅନୁଯାୟୀ ଗତ ଅକ୍ଟୋବର ୭ ତାରିଖରେ ଜମ୍ମୁ କଶ୍ମୀର ଗସ୍ତ କରିବା ପାଇଁ ତାଙ୍କୁ ଆମନ୍ତ୍ରିତ କରାଯାଇଥିଲା। କିନ୍ତୁ ଏହାର ୩ ଦିନପରେ ଏହି ନିଷ୍ପତ୍ତିକୁ ପ୍ରତ୍ୟାହାର କରିନିଆଯାଇଥିଲା। ଡାଭିସ କହିଛନ୍ତି, ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ କଶ୍ମୀରରେ ଗଣତାନ୍ତ୍ରିକ ନିୟମଗୁଡ଼ିକୁ ବିକୃତ କରି ଦିଆଯାଇଛି ଏବଂ ବିଶ୍ବ ସମୁଦାୟ ଏବେ ଏ ଦିଗରେ ଆଲୋକପାତ କରିବା ଆବଶ୍ୟକ। ଭାରତ ସରକାର ଅନେକ କିଛି ଲୁଚାଉଛନ୍ତି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର