ମସ୍କୋ: ୟୁକ୍ରେନ୍କୁ ପଶ୍ଚିମ ରାଷ୍ଟ୍ରଗୁଡ଼ିକର ଅସ୍ତ୍ର ଯୋଗାଣ ବଢ଼ୁଥିବାରୁ ରୁଷ୍ ଆଜି ୟୁରୋପ୍କୁ ଧମକ ଦେଇଛି। ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ୍କୁ ସହାୟତା ଦେଉଥିବା ରାଷ୍ଟ୍ରମାନଙ୍କୁ ଚେତାବନୀ ଦେଇ କହିଛନ୍ତି, ୟୁକ୍ରେନ୍ରେ ରୁଷ୍ର ସ୍ବତନ୍ତ୍ର ସାମରିକ ଅପରେସନ୍ରେ ଯଦି ଅନ୍ୟ କୌଣସି ରାଷ୍ଟ୍ର ହସ୍ତକ୍ଷେପ କରିବେ ତେବେ ଆମେ ବିଜୁଳି ବେଗରେ ସେମାନଙ୍କୁ ଜବାବଦେବୁ। ଏଥିପାଇଁ ସେହି ରାଷ୍ଟ୍ରମାନଙ୍କୁ ଭୟଙ୍କର ପରିଣାମ ଭୋଗିବାକୁ ପଡ଼ିବ। ପଶ୍ଚିମ ରାଷ୍ଟ୍ରମାନଙ୍କରୁ ୟୁକ୍ରେନ୍କୁ ଅସ୍ତ୍ର ଯୋଗାଣ ଉପରେ କଡ଼ା ନଜର ରଖାଯାଇଛି ଏବଂ ଏଥିରେ ସଂପୃକ୍ତ ରାଷ୍ଟ୍ରମାନଙ୍କର ନିସ୍ତାର ନାହିଁ ବୋଲି ପୁଟିନ ଚେତାବନୀ ଦେଇଛନ୍ତି। ରୁଷ୍ ରାଷ୍ଟ୍ରପତିଙ୍କ ଏଭଳି ଚରମବାଣୀ ୟୁରୋପୀୟ ରାଷ୍ଟ୍ରଗୁଡ଼ିକରେ ଆତଙ୍କ ଖେଳାଇ ଦେଇଛି।
ପୁଟିନ ତାଙ୍କ ସାଂସଦମାନଙ୍କୁ କହିଛନ୍ତି, ଯଦି କୌଣସି ରାଷ୍ଟ୍ର ବାହାରୁ ୟୁକ୍ରେନ୍ ଯୁଦ୍ଧରେ ହସ୍ତକ୍ଷେପ କରିବେ ତାହାକୁ କୌଣସି ସ୍ଥିତିରେ ବି ବରଦାସ୍ତ କରାଯିବ ନାହିଁ। ଆମେ ତତ୍କ୍ଷଣାତ ଜବାବ ଦେବୁ ବୋଲି ପୁଟିନ କହିଛନ୍ତି। ରୁଷ୍ ସେନା ସବୁଠୁ ଅତ୍ୟାଧୁନିକ ଅସ୍ତ୍ର ବ୍ୟବହାର କରିବାପାଇଁ ଆଦୌ ଦ୍ବିଧା କରିବ ନାହିଁ ବୋଲି ମଧ୍ୟ ସେ ସ୍ପଷ୍ଟ କରିଛନ୍ତି। ‘ଆମ ନିକଟରେ ସବୁ ପ୍ରକାର ଅସ୍ତ୍ର ଅଛି। ଆବଶ୍ୟକ ସ୍ଥଳେ ଏ ସବୁ ଅସ୍ତ୍ର ଆମେ ବ୍ୟବହାର କରିବୁ ଏବଂ ଏଥିପାଇଁ ନିଷ୍ପତ୍ତି ନେଇ ସାରିଛୁ’ ବୋଲି ପୁଟିନ କହିଛନ୍ତି। ବ୍ରିଟେନ୍ ବିଦେଶ ସଚିବ ଲିଜ ଟ୍ରସ୍ ୟୁକ୍ରେନ୍କୁ ସାମରିକ ସହାୟତା ବଢ଼ାଇବାପାଇଁ ସହଯୋଗୀ ରାଷ୍ଟ୍ରମାନଙ୍କୁ କହିବାପରେ ପୁଟିନ ଏଭଳି ଟିପ୍ପଣୀ ରଖିଛନ୍ତି। ରୁଷ୍ ମୁଖପାତ୍ର ଡିମିଟ୍ରି ପେସ୍କଭ କହିଛନ୍ତି, ରୁଷ୍ ନିଜର ସୁରକ୍ଷା ନେଇ ଆଦୌ ସାଲିସ କରିବ ନାହିଁ ଏବଂ ଏକଥା ୟୁରୋପୀୟ ରାଷ୍ଟ୍ରମାନେ ଭଲଭାବେ ଜାଣିବା ଦରକାର।
ପୂର୍ବ, ଦକ୍ଷିଣ ୟୁକ୍ରେନ୍ରେ ରୁଷ୍ର ଭୟଙ୍କର ଆକ୍ରମଣ, ଆଗକୁ ଅଧିକ ବିପର୍ଯ୍ୟୟ ଏବଂ ଯନ୍ତ୍ରଣାଦାୟକ ମୃତ୍ୟୁ: ୟୁକ୍ରେନ୍ ମନ୍ତ୍ରୀ
କିବ୍: ପୂର୍ବ ଏବଂ ଦକ୍ଷିଣ ୟୁକ୍ରେନ୍ରେ ରୁଷ୍ ଆକ୍ରମଣ ଜୋରଦାର କରିଛି । ଯୁଦ୍ଧକୁ ୨ ମାସରୁ ଅଧିକ ସମୟ ବିତି ଯାଇଥିଲେ ବି ରୁଷ୍ ଏହାର ମୁଖ୍ୟ ଲକ୍ଷ୍ୟ ହାସଲ କରିବାରେ ସଫଳ ହୋଇନାହିଁ। ରୁଷ୍ ଏବେ ପୂର୍ବାଞ୍ଚଳରେ ୨ଟି ପ୍ରଦେଶ ଅକ୍ତିଆର କରିବାକୁ ଚାହୁଛି। ରୁଷ୍ ସବୁ ଦିଗରୁ ଆକ୍ରମଣକୁ ଜୋରଦାର କରିଛି। ରୁଷ୍ ଏବେ ମୁଖ୍ୟତଃ ଖାରକିଭ୍କୁ ଯୋଡ଼ୁଥିବା ଏକ ରାଜପଥ ନିକଟରେ ଡୋନେସ୍କର ସ୍ଲୋବଝାନ୍ସ୍କେ ସହରରେ ଆକ୍ରମଣ କରୁଛି। ଖାରକିଭ ଗଭର୍ଣ୍ଣର କହିଛନ୍ତି, ରୁଷ୍ ବାହିନୀ ଇଜ୍ୟୁମ୍ରୁ ଆକ୍ରମଣ ଜୋରଦାର କରିଛି। ଦକ୍ଷିଣ ସହର ଖେରସନ୍ରେ ରୁଷ୍ ଗତ ରାତିସାରା ବିସ୍ଫୋରଣ କରିଛି। ୟୁକ୍ରେନ୍ ସମର୍ଥନରେ ହେଉଥିବା ବିକ୍ଷୋଭକୁ ଦମନ କରିବାପାଇଁ ରୁଷ୍ ବାହିନୀ ସେଠାରେ ଲୁହବୁହା ଗ୍ୟାସ୍ ଏବଂ ଗ୍ରେନେଡ୍ ମାଡ଼ କରିଛନ୍ତି। ୟୁକ୍ରେନ୍ର ସେଭେରୋଡୋନେସ୍କରେ ରୁଷ୍ର ଆକ୍ରମଣ ଯୋଗୁଁ ଏକ ବିଶାଳ ହସ୍ପିଟାଲ୍ ଛାରଖାର ହୋଇଯାଇଛି। ଗତରାତିରେ ଡୋନେସ୍କରେ ରୁଷ୍ ଗୋଳାମାଡ଼ରେ ପ୍ରାୟ ୩୦ ଘର ଧ୍ବଂସ ହୋଇଛି । ରୁଷ୍ ରାତିସାରା ୟୁକ୍ରେନ୍ର ସାମରିକ ପ୍ରତିଷ୍ଠାନଗୁଡ଼ିକୁ ଟାର୍ଗେଟ୍ କରି ରକେଟ୍ ମାଡ଼ କରିଛି। ଅନ୍ୟପକ୍ଷେ ୟୁକ୍ରେନ୍ ପ୍ରତିରକ୍ଷା ମନ୍ତ୍ରୀ ଓଲେସ୍କି ରେଜନିକଭ କହିଛନ୍ତି, ଆଗାମୀ କିଛି ସପ୍ତାହ ଦେଶ ଅତି ଭୟଙ୍କର ବିପର୍ଯ୍ୟୟ ଦେଖିବ। ତେଣୁ ବିପର୍ଯ୍ୟୟ ଏବଂ ଯନ୍ତ୍ରଣାଦାୟକ ମୃତ୍ୟୁ ନେଇ ଆମକୁ ସତର୍କ ରହିବାକୁ ପଡ଼ିବ ବୋଲି ୟୁକ୍ରେନ୍ ପ୍ରତିରକ୍ଷା ମନ୍ତ୍ରୀ ସତର୍କ କରାଇଛନ୍ତି