ନୂଆଦିଲ୍ଲୀ: ଭାରତର ବିଦେଶ ନୀତି ସଂକ୍ରାନ୍ତ ପ୍ରମୁଖ କାର୍ଯ୍ୟକ୍ରମ ରାଇସିନା ଡାଇଲଗ୍ରେ ମୁଖ୍ୟ ଅତିଥି ଭାବେ ଯୋଗଦେବା ପାଇଁ ଦୁଇ ଦିନିଆ ଭାରତ ଗସ୍ତରେ ଆସିଥିବା ୟୁରୋପୀୟ ଆୟୋଗ ସଭାପତି ଉର୍ସୁଲା ଭନ ଡେର୍ ଲିୟେନଙ୍କ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦ୍ବିପାକ୍ଷିକ ଆଲୋଚନା କରିଛନ୍ତି। ଭାରତ-ୟୁରୋପୀୟ ସଂଘ ସହଯୋଗିତାର ଅଗ୍ରଗତିକୁ ଦୁଇ ନେତା ସମୀକ୍ଷା କରିବା ସହିତ ବାଣିଜ୍ୟ, ଜଳବାୟୁ, ଡିଜିଟାଲ ପ୍ରଯୁକ୍ତି ଏବଂ ଲୋକ ଲୋକଙ୍କ ମଧ୍ୟରେ ସଂପର୍କକୁ ସୁଦୃଢ଼ କରିବା ପାଇଁ ଦୁଇ ନେତା ରାଜି ହୋଇଛନ୍ତି। ଆଗାମୀ ଦିନରେ ଆଲୋଚନା ହେବାକୁ ଥିବା ମୁକ୍ତ ବାଣିଜ୍ୟ ଏବଂ ନିବେଶ ରାଜିନାମାକୁ ମଧ୍ୟ ଦୁଇ ନେତା ସମୀକ୍ଷା କରିଛନ୍ତି। ଦୁଇ ପକ୍ଷ ମଧ୍ୟରେ ବିଭିନ୍ନ ପ୍ରକାର ସହଯୋଗକୁ କିଭଳି ଅଧିକ ଶାଣିତ କରାଯିବ ସେଥିପାଇଁ ଏକ ଉଚ୍ଚସ୍ତରୀୟ ବାଣିଜ୍ୟ ଏବଂ ପ୍ରଯୁକ୍ତି କମିସନ ଗଠନ କରାଯିବ। ୟୁରୋପୀୟ ସଂଘ-ଭାରତ ବାଣିଜ୍ୟ ଏବଂ ପ୍ରଯୁକ୍ତି ପରିଷଦ ଗଠନ ପାଇଁ ଦୁଇ ନେତା ସୋମବାର ରାଜି ହୋଇଛନ୍ତି।
ଭୌଗୋଳିକ ଓ ରାଜନୈତିକ କ୍ଷେତ୍ରରେ ଅନେକ ପରିବର୍ତ୍ତନ ଆସିଛି। ତେଣୁ ପ୍ରଯୁକ୍ତି ଓ ସୁରକ୍ଷା କ୍ଷେତ୍ରରେ ଅନେକ ଆହ୍ବାନ ଦେଖାଦେଇଛି। ସେସବୁ ସମସ୍ୟାର ସମାଧାନ ପାଇଁ ଏହି ପରିଷଦ ଗଠନ ହେବ। କରୋନା ସମେତ ବିଶ୍ବର ବିଭିନ୍ନ ଭାଗର ଲୋକମାନଙ୍କୁ କିଭଳି ଟିକା ଓ ଚିକିତ୍ସା ସମାନ ଭାବରେ ମିଳିବ ତାହା ଉପରେ ମଧ୍ୟ ଆଲୋଚନା ହୋଇଛି। ୟୁକ୍ରେନ ପରିସ୍ଥିତି ଏବଂ ଭାରତ ପ୍ରଶାନ୍ତ ମହାସାଗର ଅଞ୍ଚଳ ସଂପର୍କରେ ଦୁଇ ନେତା ଆଲୋଚନା କରିଛନ୍ତି। ଉର୍ସୁଲା ରାଜଘାଟ ଯାଇ ସେଠାରେ ମହାତ୍ମା ଗାନ୍ଧୀଙ୍କ ସମାଧି ପୀଠରେ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି। ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର ମଧ୍ୟ ୟୁରୋପୀୟ କମିସନଙ୍କ ସଭାପତିଙ୍କ ସହିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି।