ୟୁରୋପୀୟ ସାଂସଦଙ୍କ କଶ୍ମୀର ଗସ୍ତ ଆରମ୍ଭ, କେବଳ ଶ୍ରୀନଗର ଯିବାକୁ ଅନୁମତି

ନୂଆଦିଲ୍ଲୀ : ୟୁରୋପରୁ ଆସିଥିବା ୨୭ ଜଣିଆ ସାଂସଦ ଦଳ ଆଜି ଜମ୍ମୁ ଓ କଶ୍ମୀର ଯାଇ ସେଠାକାର ସ୍ଥିତି ପରଖିବେ । କାଶ୍ମୀରରୁ ଧାରା ୩୭୦ ଉଠିବା ପରେ ଏହା ହେଉଛି କୌଣସି ବିଦେଶୀ ପ୍ରତିନିଧିମଣ୍ଡଳର ପ୍ରଥମ କାଶ୍ମୀର ଗସ୍ତ । ଏହି ପ୍ରତିନିଧିମଣ୍ଡଳରେ ଫ୍ରାନ୍ସର ନ୍ୟାସନାଲ ଫ୍ରଣ୍ଟର ୬ ଜଣ ସାଂସଦ,ପୋଲାଣ୍ଡର ଦକ୍ଷିଣପନ୍ଥୀ ଦଳର ୫ ଜଣ ସାଂସଦ, ବ୍ରିଟେନର ୪ ଜଣ ସାଂସଦ ଅନ୍ତର୍ଭୁକ୍ତ । ଏହି ସାଂସଦମାନଙ୍କୁ କେବଳ ଶ୍ରୀନଗର ଯିବାକୁ ଅନୁମତି ଦିଆଯାଇଛି । କୁପଓ୍ଵାଡା ଓ ଅନନ୍ତନାଗ ପରି ଅଶାନ୍ତ ଅଂଚଳକୁ ଯିବାକୁ ସେମାନଙ୍କୁ ଅନୁମତି ଦିଆଯାଇନାହିଁ । ତେବେ ଏହା ୟୁରୋପୀୟ ସଂଘର ସରକାରୀ ଗସ୍ତ ନୁହେଁ, ଏହା ଏକ ଅଣ-ଔପଚାରିକ ଗସ୍ତ ବୋଲି ଜଣାପଡିଛି ।

ଭାରତ ସରକାର ଗତ ଅଗଷ୍ଟ ୫ରେ ଭାରତ ସରକାର କଶ୍ମୀର ଉପରୁ ଧାରା ୩୭୦ ଉଠାଇଦେଇଥିଲେ । ଏହା ସହିତ ଜମ୍ମୁ ଓ କଶ୍ମୀର ଏବଂ ଲଦାଖକୁ ଅଲଗା ଅଲଗା କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରିଥିଲେ । ତେବେ ଆଇନଶୃଙ୍ଖଳା ସ୍ଥିତି ଉପୁଜିବା ଆଶଙ୍କାରେ ଜମ୍ମୁ ଓ କଶ୍ମୀରର ନେତାମାନଙ୍କୁ ଗୃହବନ୍ଦୀ କରି ରଖିଥିଲେ । ଏହା ସହିତ ଇଣ୍ଟରନେଟ ଓ ମୋବାଇଲ ସେବା ବନ୍ଦ କରିଦେଇଥିଲେ ।  ତେବେ ୟୁରୋପୀୟ ସଂଘ ସାଂସଦମାନଙ୍କ ପରିଦର୍ଶନ ଲାଗି ଅନୁମତି ଦେବା ନିଷ୍ପତ୍ତିକୁ ସମାଲୋଚନା କରିଛି କଂଗ୍ରେସ । କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି ଯେ ସରକାର ଭାରତୀୟ ସାଂସଦମାନଙ୍କୁ ଅନୁମତି ନଦେଇ ୟୁରୋପୀୟ ସାଂସଦମାନଙ୍କୁ ଅନୁମତି ଦେବା ଭାରତୀୟ ଗଣତନ୍ତ୍ରର ଅପମାନ ।

ସମ୍ବନ୍ଧିତ ଖବର