ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ ୟୁକ୍ରେନ୍ ସୀମାରେ ପହଞ୍ଚିଲେ ୪ ଦେଶର ଉଦ୍ଧାରକାରୀ ଦଳ

ନୂଆଦିଲ୍ଲୀ: ଋଷ ଆକ୍ରମଣ ପରେ ୟୁକ୍ରେନ୍ ନିଜ ଆକାଶପଥକୁ ବିମାନ ଯାତ୍ରା ପାଇଁ ବନ୍ଦ କରିବାରୁ ୪ଟି ଦେଶର ଉଦ୍ଧାରକାରୀ ଦଳଙ୍କୁ ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ ୟୁକ୍ରେନ୍ ପଠାଯାଇଛି। ଏହି ୪ଟି ଦେଶ ହେଉଛି ହଙ୍ଗେରୀ, ପୋଲାଣ୍ଡ୍, ସ୍ଲୋଭାକିଆ ଏବଂ ରୋମାନିଆ। ଏ ବିଷୟରେ ଗୁରୁବାର ଭାରତୀୟ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଭାରତର ବିଦେଶ ମନ୍ତ୍ରଣାଳୟର ପ୍ରବକ୍ତା ଅରିନ୍ଦମ ବାଗଚି ଏ ବିଷୟରେ ଟ୍ଵିଟ୍ କରି ସୂଚନା ଦେଇଛନ୍ତି। ଅରିନ୍ଦମ ଟ୍ଵିଟ୍ କରି ଲେଖିଛନ୍ତି, ୟୁକ୍ରେନରୁ ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ ହଙ୍ଗେରୀ, ପୋଲାଣ୍ଡ୍, ସ୍ଲୋଭାକିଆ ଏବଂ ରୋମାନିଆରେ ଥିବା ଭାରତର ୪ଟି ଦୂତବାସରୁ ୪ଟି ଦଳକୁ ପଠାଯାଇଛି। ୟୁକ୍ରେନ୍ ସୀମାରେ ଥିବା ଭାରତୀୟ ନାଗରିକ ସେମାନଙ୍କ ସହ ଯୋଗାଯୋଗ କରିପାରିବେ।

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ହଙ୍ଗେରୀ, ପୋଲାଣ୍ଡ୍, ସ୍ଲୋଭାକିଆ ଏବଂ ରୋମାନିଆର ବିଦେଶ ମନ୍ତ୍ରୀମାନଙ୍କ ସହିତ ଏ ସଂକ୍ରାନ୍ତରେ ଆଲୋଚନା କରିବେ ବୋଲି କହିଛନ୍ତି ବୈଦେଶିକ ସଚିବ ହର୍ଷ ଭି ଶ୍ରିଙ୍ଗଲା। ଋଷ-ୟୁକ୍ରେନ୍ ଲଢ଼େଇ ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେବା ସମୟରେ ସେ ଏହା ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର