କାବୁଲ ଦଖଲର ୫୦ ଦିନ ପରେ ବି ତାଲିବାନଙ୍କୁ କୌଣସି ସ୍ବୀକୃତି ମିଳିନି

କାବୁଲ: ସୁନ୍ନି ପାସ୍ତୁନ ଆତଙ୍କବାଦୀ ଶକ୍ତି କାବୁଲ ଦଖଲ କରିବାର ଇତିମଧ୍ୟରେ ୫୦ ଦିନ ହୋଇଗଲାଣି। କିନ୍ତୁ ଏ ଯାଏ ଏହି ସରକାରକୁ ମାନ୍ୟତା ମିଳିପାରିନି। ତାଲିବାନମାନେ ଦୋହା ଶାନ୍ତିଚୁକ୍ତିର ଉଲ୍ଲଂଘନ କରିଥିବାରୁ ଏବଂ ନୃଶଂସତା ଜାରି ରଖିଥିବାରୁ କୌଣସି ଦେଶ ତାଙ୍କୁ ସ୍ବୀକୃତି ଦେଇ ନିଜେ ନିନ୍ଦିତ ହେବାକୁ ଚାହୁଁନାହାନ୍ତି।
ତଥାକଥିତ ଦୋହା ଶାନ୍ତିଚୁକ୍ତି ଆମେରିକା ସ୍ବତନ୍ତ୍ର ଦୂତ ଜାଲମେ ଖାଲିଜାଦ, ବର୍ତ୍ତମାନ ତାଲିବାନଙ୍କ ଉପପ୍ରଧାନମନ୍ତ୍ରୀ ଥିବା ମୁଲ୍ଲା ଅବଦୁଲ ଘନି ବରାଦର, କାତାରର ଜାତୀୟ ସୁରକ୍ଷା ପରାମର୍ଶଦାତା ମହମ୍ମଦ ବିନ୍ ଅହମଦ ଅଲ ମେସନେଦ, ଇଂଲଣ୍ଡର ଡିଫେନ୍ସ ଷ୍ଟାଫ୍ ମୁଖ୍ୟ ନିକ୍ କାର୍ଟର ଓ ପାକିସ୍ତାନୀ ସେନା ମୁଖ୍ୟ କାମାର ଜାୱେଦ ବାଜୱାଙ୍କ ମଧ୍ୟରେ ହୋଇଥିଲା। ଦୋହାରେ କ’ଣ ଚୁକ୍ତି ହୋଇଥିଲା ସେ ବିଷୟରେ ଅନ୍ୟ ଦେଶକୁ ବିଶଦ ଭାବେ ଅବଗତ କରାଯାଇ ନାହିଁ। ପ୍ରଚ୍ଛଦପଟରେ ରୁଷିଆ ରାଷ୍ଟ୍ରପତିଙ୍କ ଆଫଗାନିସ୍ତାନ ପ୍ରତିନିଧି ଜାମିର କାବୁଲୋଭ ଓ ଚୀନ୍ ବିଦେଶ ମନ୍ତ୍ରୀ ୱାଙ୍ଗ ୟି ତାଲିବାନଙ୍କୁ ସମର୍ଥନ କରୁଛନ୍ତି।

ପାକିସ୍ତାନୀ ଆଇଏସ୍‌ଆଇ-ସମର୍ଥିତ ସିରାଜଉଦ୍ଦିନ ହକାନୀ ଗୋଷ୍ଠୀ ଅଗଷ୍ଟ ୧୫ରେ କାବୁଲ ଦଖଲ କରିଥିବା ବେଳେ ସେମାନେ ଗଠନ କରିଥିବା ସରକ‌ାରରେ ମହିଳା କି ସଂଖ୍ୟାଲଘୁଙ୍କ ସ୍ଥାନ ନାହିଁ। ସାରିଆ ଆଇନ ଅନୁସାରେ ମହିଳାମାନଙ୍କୁ ମଧ୍ୟଯୁଗୀୟ ପରମ୍ପରା ଭିତରକୁ ଠେଲିଦିଆଯାଇଛି। ତା’ଛଡ଼ା ତାଲିବାନଙ୍କ ଚରମ ନୃଶଂସତାକୁ କେହି ବି ସମର୍ଥନ ଦେଇପାରିବନି। କାବୁଲ ଉପରେ ନଜର ରଖୁଥିବା ଜଣେ ବିଶେଷଜ୍ଞଙ୍କ କହିବା ଅନୁସାରେ ତାଲିବାନ ସରକାରକୁ ଅନ୍ତର୍ଜାତୀୟ ସ୍ବୀକୃତି ଦେବା ଲାଗି କୌଣସି ବି ଦେଶ ଆଗଭର ହେବାକୁ ଚାହୁନାହାନ୍ତି। କାରଣ ଦୋହା ପ୍ରକ୍ରିୟାରେ ସେମାନେ ଯାହା ପ୍ରତିଶ୍ରୁତି ଦେଇଥିଲେ, କିଛି ମାନୁନାହାନ୍ତି। ତା’ଛଡ଼ା ଆଫଗାନିସ୍ତାନରେ ମାନବାଧିକାରର ଯାହା ହନନ ହେଲା ବା ହୋଇଚାଲିଛି, ସେଥିପାଇଁ ଅନ୍ତର୍ଜାତୀୟ ସମୁଦାୟ ଦୋହା ଚୁକ୍ତିକାରୀମାନଙ୍କୁ ଦାୟୀ କରୁଛନ୍ତି।

ଦୋହା ଚୁକ୍ତିକାରୀମାନଙ୍କ ଗଣନା ପୂରା ଭୁଲ୍ ହୋଇଗଲା। ବର୍ତ୍ତମାନ ଆମେରିକା ସେନା ମୁଖ୍ୟ ଜେନେରାଲ ମାର୍କ ମିଲେ ତାଲିବାନମାନଙ୍କୁ ଆତଙ୍କବାଦୀ ଗୋଷ୍ଠୀ ବୋଲି କହୁଛନ୍ତି। ତାଲିବାନ କାବୁଲ ଦଖଲ କରିବା ପରେ ଆମେରିକାର ଦାସତ୍ବରୁ ଆଫଗାନିସ୍ତାନ ମୁକ୍ତ ହେଲା ବୋଲି କହି ଖୁସି ହେଉଥିବା ପାକିସ୍ତାନ ବି ଏବେ ଖୁସି ଥିବା ପରି ଜଣାପଡ଼ୁନି କାରଣ ଅନ୍ୟ କୌଣସି ରାଷ୍ଟ୍ର ତାଲିବାନଙ୍କୁ ସ୍ବୀକୃତି ଦେବାକୁ ରାଜି ନୁହନ୍ତି ଏବଂ ଅଗଷ୍ଟ ୩୦ରେ ଭାରତର ଅଧ୍ୟକ୍ଷତାରେ ଜାତିସଂଘ ଆଫଗାନିସ୍ତାନ ଉପରେ ଏକ କଠୋର ୨୫୯୩ ରିଜଲ୍ୟୁସନ ପାସ୍ କରିଛି। କାବୁଲରେ ବର୍ତ୍ତମାନ ଶାସନ ଠିକ୍ ନ ଥିବା ବେଳେ ଆଫଗାନିସ୍ତାନରେ ଖାଦ୍ୟ ଓ ଇନ୍ଧନର ଅଭାବ ଦେଖାଗଲାଣି। ତାଲିବାନ ଆତଙ୍କବାଦୀଙ୍କ ଦ୍ବାରା ଶାସିତ ଦେଶ ଏବେ ବିଫଳ ଦେଶରେ ପରିଣତ ହୋଇସାରିଲାଣି। ଖୁବ୍‌ଶୀଘ୍ର ଏହା ବିପର୍ଯ୍ୟୟର ଚରମକୁ ଚାଲିଯାଇପାରେ। ଦୋହା ଶାନ୍ତିଚୁକ୍ତିକାରୀମାନେ ଏଥିପାଇଁ ଦାୟୀ ରହିବେ।

ସମ୍ବନ୍ଧିତ ଖବର