ନୂଆଦିଲ୍ଲୀ: ଭାରତୀୟ ସେନାର ସାହସିକତା ପୁରସ୍କାର ପ୍ରମାଣପତ୍ରରୁ ମିଳିଥିବା ନୂଆ ତଥ୍ୟ ଅନୁଯାୟୀ, ୨୦୨୨ରେ ହିମାଳୟ ସୀମାରେ ଭାରତ ଓ ଚୀନ୍ ସୈନିକମାନେ ଅତି କମ୍ରେ ଦୁଇଥର ମୁହାଁମୁହିଁ ହୋଇଥିଲେ। ଦଶନ୍ଧି ମଧ୍ୟରେ ସବୁଠାରୁ ଖରାପ ସାମରିକ ସଂଘର୍ଷର ସମାଧାନ ପାଇଁ ନୂଆଦିଲ୍ଲୀ ଓ ବେଜିଂ ମଧ୍ୟରେ ଏକାଧିକ କୂଟନୈତିକ ଓ ସାମରିକ ଆଲୋଚନା ଚାଲିଥିବା ବେଳେ ଏହି ଘଟଣା ଘଟିଛି। ଏହି ଘଟଣାରେ କେହି ମୃତାହତ ହୋଇନଥିବା ଜଣାପଡିଛି। ଦୁଇ ବର୍ଷ ପୂର୍ବେ ଅର୍ଥାତ୍ ୨୦୨୦ ମଧ୍ୟଭାଗରେ ଗଲୱାନ ଅଞ୍ଚଳରେ ହୋଇଥିବା ସଂଘର୍ଷରେ ଅତି କମ୍ରେ ୨୦ ଜଣ ଭାରତୀୟ ସୈନିକ ଏବଂ ୪୦ ଜଣ ଚୀନ୍ ସୈନିକ ପ୍ରାଣ ହରାଇଥିଲେ।
ଭାରତର ଲଦାଖ ଅଞ୍ଚଳରେ ହୋଇଥିବା ଏହି ସଂଘର୍ଷ ଦର୍ଶାଉଛି ଯେ ଅଘୋଷିତ ସୀମାରେ ଉତ୍ତେଜନା ପୂର୍ବ ରିପୋର୍ଟ ତୁଳନାରେ ବହୁତ ଅଧିକ ସମୟ ଧରି ଜାରି ରହିଛି। ତେବେ ଭାରତ ଓ ଚୀନ୍ ସେନା ଏ ନେଇ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି। ୨୦୨୨ରେ ଅତି କମ୍ରେ ଦୁଇଟି ଘଟଣାରେ ଭାରତୀୟ ସୀମାରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ଚୀନ୍ ସୈନିକଙ୍କୁ ପ୍ରତିହତ କରିଥିବା ଭାରତୀୟ ସେନା ଏହାର କିଛି ସୈନିକଙ୍କୁ ବୀରତା ପଦକ ପ୍ରଦାନ କରିବା ପରେ ଏହି ନୂଆ ସଂଘର୍ଷର ବିବରଣୀ ସାମ୍ନାକୁ ଆସିଛି। ୨୦୨୨ ଜାନୁଆରିରେ ପ୍ରଥମ ଘଟଣାରେ ପିପୁଲ୍ସ ଲିବରେସନ ଆର୍ମିର ଅନେକ ଯବାନ ପୂର୍ବ ଲଦାଖ ଅଞ୍ଚଳରେ ଥିବା ଭାରତୀୟ ସେନା ପୋଷ୍ଟ ଉପରେ ଆକ୍ରମଣ କରିଥିଲେ। ଶାରୀରିକ ସଂଘର୍ଷ ବେଳେ ଜଣେ ଭାରତୀୟ ଯବାନ ଅତି କମ୍ରେ ୪ ଜଣ ଚୀନ୍ ସୈନିକଙ୍କୁ ଆହତ କରିବା ସହ ସେମାନଙ୍କ ରାଇଫଲ ଛଡ଼ାଇ ନେଇଥିଲେ। ନଭେମ୍ବର ୨୦୨୨ରେ ଘଟିଥିବା ଦ୍ୱିତୀୟ ଘଟଣାରେ ଭାରତୀୟ ସୈନିକମାନେ ଭାରତୀୟ ସୀମାରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ୪୦ରୁ ୫୦ ଜଣ ଚୀନ୍ ସୈନିକଙ୍କୁ ପଛକୁ ହଟେଇ ଦେଇଥିଲେ। ଅନ୍ୟ ଏକ ପ୍ରଶଂସାପତ୍ରରେ କୁହାଯାଇଛି ଯେ ଭାରତୀୟ ସୈନିକଙ୍କ ଏକ ୟୁନିଟ୍ ସେମାନଙ୍କୁ ଆକ୍ରମଣ କରି ଆହତ କରିଥିଲା, ଯାହା ଫଳରେ ପୋଷ୍ଟ ଦଖଲ କରିବା ପାଇଁ ଶତ୍ରୁପକ୍ଷର ଯୋଜନା ବିଫଳ ହୋଇଥିଲା।