ନୂଆଦିଲ୍ଲୀ : ଅରବିନ୍ଦ କେଜ୍ରିୱାଲଙ୍କ ଆମ୍ ଆଦ୍‌ମୀ ପାର୍ଟି (ଆପ୍) ଦିଲ୍ଲୀ ପୌର ନିର୍ବାଚନରେ ୧୩୪ ଆସନ ଜିତି ଜାତୀୟ ରାଜଧାନୀରେ ବିଜେପିର ୧୫ ବର୍ଷ ଶାସନର ଅନ୍ତ ଘଟାଇଛି। ତେବେ ମେୟର ନିର୍ବାଚନ ପାଇଁ ଦୁଇ ଦଳ ଭିତରେ ହେବ କଡ଼ା ଟକ୍କର।

Advertisment

୨୫୦ ୱାର୍ଡ-ବିଶିଷ୍ଟ ପୌର ନିଗମରେ ଆପ୍ ୧୩୪ଟି ୱାର୍ଡରେ ବିଜୟୀ ହୋଇଛି। ଗୈରିକ ଦଳ ପାଇଛି ୧୦୪ଟି ଆସନ। କଂଗ୍ରେସ ମାତ୍ର ୯ଟି ଆସନ ଅକ୍ତିଆର କରିଛି। ପୌର ନିର୍ବାଚନରେ ହାରିବା ପରେ ବୁଧବାର ବିଜେପି କହିଛି ଯେ ମେୟର ନିର୍ବାଚନ ପାଇଁ ଏକ ‘ଖୋଲା ଖେଳ’ ଏବେ ବି ବାକି ଅଛି। ସୂଚନାଯୋଗ୍ୟ, ଚଣ୍ଡୀଗଡ଼ରେ କେଜ୍ରିୱାଲଙ୍କ ଦଳ ସଂଖ୍ୟାଗରିଷ୍ଠ ଆସନରେ ଜିତିଥିଲେ ବି ସେଠାରେ ମେୟର ପଦ କିନ୍ତୁ ବିଜେପି ହାତରେ ରହିଛି।

ନିୟମାନୁଯାୟୀ ପ୍ରତି ବିତ୍ତୀୟ ବର୍ଷ ପ୍ରାରମ୍ଭରେ ପ୍ରଥମ ବୈଠକରେ ମେୟର ନିର୍ବାଚନ ହୁଏ। ସଂଖ୍ୟାଗରିଷ୍ଠ ଦଳ ଯାହାକୁ ମନୋନୀତ କରିବ ସିଏ ମେୟର ହେବେ କିନ୍ତୁ ଯଦି ବିପକ୍ଷ ଦଳ ପ୍ରାର୍ଥୀ ଦିଅନ୍ତି ତେବେ ନିର୍ବାଚନ ହେବ। ତିନିବର୍ଷରେ ଥରେ ପୌର ନିର୍ବାଚନ ହେଉଥିବା ବେଳେ ମେୟରଙ୍କ କାର୍ଯ୍ୟକାଳ ମାତ୍ର ୧ ବର୍ଷ। ନିୟମାନୁଯାୟୀ ଉକ୍ତ ୩ ବର୍ଷ ଭିତରୁ ପ୍ରଥମବର୍ଷ ଜଣେ ମହିଳା ମେୟର ହେବେ ଏବଂ ତୃତୀୟ ବର୍ଷ ଅନୁସୂଚିତ ଜାତିର ଜଣଙ୍କୁ ମେୟର କରାଯିବ। ନିର୍ବାଚିତ ୱାର୍ଡ କାଉନ୍‌ସିଲରଙ୍କ ଛଡ଼ା ୧୪ ଜଣ ବିଧାୟକ, ୧୦ ଜଣ ଲୋକସଭା ଓ ରାଜ୍ୟସଭା ଏମ୍‌ପି ମଧ୍ୟ ମେୟର ନିର୍ବାଚନ ପାଇଁ ଭୋଟ ଦେଇପାରିବେ। ମନୋନୀତ ସଦସ୍ୟମାନେ ଭୋଟ ଦେଇପାରିବେ ନାହିଁ।

ଦିଲ୍ଲୀରୁ ବିଜେପିର ୭ ଜଣ ଲୋକସଭା ଏମ୍‌ପି ଥିବା ବେଳେ ଆପ୍‌ର ତିନିଜଣ ରାଜ୍ୟସଭା ଏମ୍‌ପି ଅଛନ୍ତି। ବିଜେପିର ୧୦୪ ଜଣ କାଉନସିଲରଙ୍କ ସହ ୭ ଜଣ ଏମ୍‌ପିଙ୍କ ଭୋଟ ମିଶିଲେ ବିଜେପିର ଭୋଟ ସଂଖ୍ୟା ୧୧୧ ହୋଇଯିବ। ବାଚସ୍ପତିଙ୍କ ଅନୁମତି ମିଳିଲେ ବିଜେପିର ୩ ଜଣ ରାଜ୍ୟସଭା ଏମ୍‌ପି, ୧୪ ଜଣ ବିଧାୟକ ଓ ୧୩୪ ଜଣ କାଉନ୍‌ସିଲଙ୍କ ଭୋଟ ମିଶି ୧୫୧ ହୋଇଯିବ। ମେୟର ନିର୍ବାଚନ ପାଇଁ ମୋଟ ଭୋଟ ସଂଖ୍ୟା ୨୭୪ ହୋଇଥିବା ବେଳେ ଯିଏ ୧୩୮ଟି ଭୋଟ ପାଇବ ସେ ଜିତିବ। ପୌର ନିର୍ବାଚନ ପାଇଁ ଆଣ୍ଟି-ଡିଫେକ୍ସନ ଲ’ ପ୍ରଯୁଜ୍ୟ ହୋଇ ନ ଥିବାରୁ ମେୟର ନିର୍ବାଚନରେ କ୍ରସ୍‌ଭୋଟିଂ ହେବା ଏକ ସାଧାରଣ କଥା। କେଉଁ କାଉନ୍‌ସିଲର କାହାକୁ ଭୋଟ ଦେବ ସେଥିପାଇଁ କୌଣସି ଦଳ ହ୍ବିପ୍ ଜାରି କରିପାରିବେ ନାହିଁ। ଏପ୍ରିଲ ବଦଳରେ ଡିସେମ୍ବରରେ ନିର୍ବାଚନ ହୋଇଥିବାରୁ ବର୍ତ୍ତମାନ ଯିଏ ମେୟର ହେବେ ତାଙ୍କର କାର୍ଯ୍ୟକାଳ ଆଉ ମାତ୍ର ୪ ମାସ ରହିବ। ପୁଣି ନିର୍ବାଚନ ଜଲଦି ହେବ କି ଡେରିରେ ହେବ ତାହା ବି ଜଣା ନାହିଁ। ତେଣୁ ଘୋଡ଼ାବେପାର ହେବା ଓ ବିଜେପି ସଦସ୍ୟ ମେୟର ହେବା ଅସମ୍ଭବ ନୁହେଁ।