କୋଭିଡ୍‌ ସଂକ୍ରମଣର ଦୁଇ ବର୍ଷ ପରେ ବି ଦୀର୍ଘସ୍ଥାୟୀ ଲକ୍ଷଣ

ନୂଆଦିଲ୍ଲୀ: କୋଭିଡ୍‌-୧୯ରେ ସଂକ୍ରମିତ ହେବାର ଦୁଇବର୍ଷ ପରେ, ହସ୍ପିଟାଲରୁ ସୁସ୍ଥ ହୋଇ ଫେରିଥିବା ପ୍ରାୟ ଅଧା ଲୋକଙ୍କଠାରେ ଅନ୍ତତଃ ଗୋଟିଏ ଲକ୍ଷଣ ଦେଖିବାକୁ ମିଳୁଛି ବୋଲି ମେଡିକାଲ ଜର୍ନାଲ ଲାନସେଟରେ ପ୍ରକାଶିତ ଏକ ଅନୁଧ୍ୟାନ ରିପୋର୍ଟରୁ ଜଣାପଡ଼ିଛି। ଲାନସେଟ ରେସ୍ପିରେଟୋରି ମେଡିସିନ କହିଛି ଯେ କୋଭିଡ୍‌-୧୯ରୁ ସୁସ୍ଥ ହୋଇଥିବା ବହୁ ଲୋକଙ୍କଠାରେ ଦୀର୍ଘସ୍ଥାୟୀ ପ୍ରଭାବ ବା ଲକ୍ଷଣ ଦେଖିବାକୁ ମିଳୁଛି। କୋଭିଡ୍‌ରୁ ଭଲ ହୋଇଥିବା ଲୋକ ଶାରୀରିକ ଓ ମାନସିକ ଭାବେ ସୁସ୍ଥ ହୋଇ ପୁଣି ତାଙ୍କର ଚାକିରି ବା କାର୍ଯ୍ୟରେ ଯୋଗ ଦେଇଛନ୍ତି। ତଥାପି ସେମାନଙ୍କ ମଧ୍ୟରୁ ଅଧା ଲୋକଙ୍କଠାରେ ଏକ ବା ଏକାଧିକ ଲକ୍ଷଣ ଆଜିଯାଏ ଦେଖିବାକୁ ମିଳୁଛି। କୋଭିଡ୍‌ର ଏହି ଦୀର୍ଘସ୍ଥାୟୀ ଲକ୍ଷଣକୁ କୁହାଯାଉଛି ‘ଲଙ୍ଗ୍ କୋଭିଡ୍’।

ଗୁରୁତର ସଂକ୍ରମଣରୁ ଭଲ ହୋଇଥିବା ଲୋକଙ୍କଠାରେ ଏହି ଲଙ୍ଗ୍ କୋଭିଡ୍‌ ୨ ବର୍ଷ ପର୍ଯ୍ୟନ୍ତ ବା ଅଧିକ ଦିନ ଯାଏ ରହିପାରେ। ଗୋଟିଏ ବି ଲକ୍ଷଣ ଥିବା ଯାଏ ସେମାନେ ପୂର୍ଣ୍ଣ ସୁସ୍ଥ ନୁହନ୍ତି, ତେଣୁ ମଝିରେ ମଝିରେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ। କମ୍ ଗୁରୁତର ରୋଗୀଙ୍କଠାରେ ବି ଦୀର୍ଘଦିନ ଯାଏ ଲକ୍ଷଣ ଦେଖାଯାଇଥାଏ। ହସ୍ପିଟାଲରେ ଭର୍ତ୍ତି ହେବାର ୫ ମାସରୁ ବର୍ଷକ ଯାଏ ମାନସିକ ସ୍ବାସ୍ଥ୍ୟ, ବ୍ୟାୟାମ କରିବାର କ୍ଷମତା ଏବଂ ଜୀବନ ମାନରେ କମି ଆଦି ପରିଲକ୍ଷିତ ହୋଇପାରେ ବୋଲି ଅନୁଧ୍ୟାନର ସହ-ମୁଖ୍ୟଗବେଷକ ରା‌ସେଲ ଇଭାନ୍ସ କହିଛନ୍ତି। ଲଙ୍ଗ୍ କୋଭିଡ୍‌ର ମୁଖ୍ୟ ଲକ୍ଷଣଗୁଡ଼ିକ ହେଉଛି: ଦୁର୍ବଳତା, ମାଂସପେଶୀରେ ଯନ୍ତ୍ରଣା, ନିଦ୍ରାହୀନତା, ଶାରୀରିକ ମନ୍ଥରତା ଏବଂ ଅଣନିଃଶ୍ବାସୀ ଲାଗିବା। ଏସବୁର ଉପଯୁକ୍ତ ଚିକିତ୍ସା କରା ନ ଗଲେ ଆହୁରି ଅଧିକଦିନ ପର୍ଯ୍ୟନ୍ତ କୁପ୍ରଭାବ ପକାଇପାରେ।

ସମ୍ବନ୍ଧିତ ଖବର