ଯୌତୁକ ନେଇଥିବା ଝିଅ ବି ପୈତୃକ ସମ୍ପତ୍ତି ଉପରେ ଅଧିକାର ଦାବି କରିପାରିବ: ବମ୍ବେ ହାଇକୋର୍ଟ

ଗୋଆ: ବମ୍ବେ ହାଇକୋର୍ଟର ଗୋଆ ବେଞ୍ଚ ପକ୍ଷରୁ କୁହାଯାଇଛି ଯେ, ବିବାହ ସମୟରେ ଝିଅକୁ ଯଥେଷ୍ଟ ଯୌତୁକ ଦିଆଯାଇଥିଲେ ମଧ୍ୟ ସେ ଚାହିଲେ ପୈତୃକ ସମ୍ପତ୍ତି ଉପରେ ଭାଗ ଦାବି କରିପାରିବ। ଗୋଟିଏ ପରିବାରର ବଡ଼ ଝିଅ ତାଙ୍କର ଚାରି ଭାଇ ଓ ମାଆ ତାଙ୍କୁ ପୈତୃକ ସମ୍ପତ୍ତିରୁ ଭାଗ ଦେଇ ନ ଥିବା ନେଇ କୋର୍ଟରେ ଅଭିଯୋଗ କରିଥିଲେ। ଜଷ୍ଟିସ୍ ମହେଶ ସୋନକଙ୍କ ବେଞ୍ଚ ଏହି ମାମଲାର ଶୁଣାଣି କରି ଝିଅ ସପକ୍ଷରେ ରାୟ ଦେଇଛନ୍ତି। ଚାରି ଭାଇ ଓ ମାଆଙ୍କ ପକ୍ଷରୁ ଦାବି କରାଯାଇଥିଲା ଯେ ଝିଅମାନକୁ ବିବାହ ସମୟରେ ଯଥେଷ୍ଟ ଯୌତୁକ ଦିଆଯାଇଥିଲା।

ତେଣୁ ସେମାନଙ୍କୁ ପୈତୃକ ସମ୍ପତ୍ତିରୁ ଆଉ ଭାଗ ଦିଆଯିବା ଉଚିତ ନୁହେଁ। କିନ୍ତୁ କୋର୍ଟ ଏହି ଯୁକ୍ତିକୁ ଗ୍ରହଣ କରି ନ ଥିଲେ। ପରିବାରର ମୁଖ୍ୟ ତଥା ଚାରି ଝିଅ ଓ ଚାରି ପୁଅଙ୍କ ବାପା ସମ୍ପତ୍ତିକୁ ଭାଗବାଣ୍ଟିବା ବା ୱିଲ କରିବା ପୂର୍ବରୁ ମୃତ୍ୟୁ ବରଣ କରିଥିଲେ। ଝିଅମାନଙ୍କୁ ବାହାଘର ବେଳେ କେତେ ଯୌତୁକ ଦିଆଯାଇଛି, ସେ ନେଇ ମାଆ ଓ ଭାଇମାନେ କୌଣସି ପ୍ରମାଣ ଦେଇପାରି ନ ଥିବା ବେଳେ କୋର୍ଟ କହିଲେ,- ଧରିନିଆଯାଉ ଯଥେଷ୍ଟ ଯୌତୁକ ଦିଆଯାଇଛି। ୩ ଜଣ ଝିଅ ବି ତାଙ୍କ ଭାଗ ସମ୍ପତ୍ତି ଭାଇମାନଙ୍କୁ ଛାଡ଼ିଦେଇଛନ୍ତି ଏବଂ ସେମାନେ ଆଉ ଭାଗ ଦାବି କରିବେ ନାହିଁ ବୋଲି ଲେଖିଦେଇଛନ୍ତି। ତା’ ମାନେ ନୁହଁ ଯେ ପାରିବାରିକ ସମ୍ପତ୍ତି ଉପରେ ଅନ୍ୟ ଝିଅର ଆଉ କୌଣସି ଅଧିକାର ନାହିଁ।

ସମ୍ବନ୍ଧିତ ଖବର