ମିତ୍ର ରାଷ୍ଟ୍ରମାନେ ବି ପାକିସ୍ତାନକୁ ଭିକାରି ବୋଲି ଭାବିଲେଣି: ପ୍ରଧାନମନ୍ତ୍ରୀ ଶେହ୍‌ବାଜ୍‌ ଶରିଫ୍‌

ଇସ୍‌ଲାମାବାଦ୍‌: ଦେଶର ଦୋଦୁଲ୍ୟମାନ ଆର୍ଥିକ ପରିସ୍ଥିତର ନଗ୍ନଚିତ୍ର ଉପସ୍ଥାପନ କରି ଦୁଃଖରେ ପ୍ରଧାନମନ୍ତ୍ରୀ ଶେହ୍‌ବାଜ୍‌ ଶରିଫ୍‌ କହିଛନ୍ତି ଯେ, ଆଜିକାଲି ମିତ୍ର ଦେଶମାନେ ବି ପାକିସ୍ତାନକୁ ଭିକ୍ଷାଥାଳ ଧରିଥିବା ଭିକାରି ବୋଲି ବିଚାରିଲେଣି।

ବୁଧବାର ଦିନ ଓକିଲମାନଙ୍କର ସମାବେଶରେ ଉଦ୍‌ବୋଧନ ଦେବା ବେଳେ ଶରିଫ୍‌ କହିଛନ୍ତି, ଆଜି ଆମେ କୌଣସି ମିତ୍ରରାଷ୍ଟ୍ରକୁ ଗଲେ କି, ଫୋନ୍‌ କଲେ, ସେମାନ‌େ ଭାବୁଛନ୍ତି ଯେ, ଆମେ ତାଙ୍କ ପାଖକୁ ଟଙ୍କା ମାଗିବାକୁ ଆସିଛୁ।

ପାକିସ୍ତାନର ଅର୍ଥନୀତିକୁ ସେ ଅନ୍ୟାନ୍ୟ ଛୋଟ ଛୋଟ ଦେଶମାନଙ୍କର ଅର୍ଥନୀତି ସହିତ ତୁଳନା କରି ସେ ଆହୁରି ମଧ୍ୟ କହିଛନ୍ତି, ଛୋଟ ଛୋଟ ଅର୍ଥନୀତି ସବୁ ପାକିସ୍ତାନକୁ ଟପି ଗଲେଣି, କିନ୍ତୁ ଭିକ୍ଷାଥାଳ ଧରି ଆମେ ୭୫ ବର୍ଷ ହେବ ଘୂରିବୁଲୁଛୁ।

Image Courtesy of Zoom News

ସମ୍ପ୍ରତି ପାକିସ୍ତାନର ଅର୍ଥନୀତି ଅତି ଉତ୍କଟ ବୋଲି ସେ ସ୍ବୀକାର କରି କହିଛନ୍ତି, ବନ୍ୟା ପୂର୍ବରୁ ମଧ୍ୟ ପାକିସ୍ତାନର ଅର୍ଥନୀତି କଠିନ ପରିସ୍ଥିତିର ସମ୍ମୁଖୀନ ହୋଇଥିଲା। ବନ୍ୟା ପରିସ୍ଥିତିକୁ ଆହୁରି ଜଟିଳ କରି ଦେଇଛି। ଏଥିପାଇଁ ସେ ବିଗତ ସରକାରକୁ ଦାୟୀ କରିଛନ୍ତି। ସେ କହିଛନ୍ତି, ଏପ୍ରିଲ୍‌ ମାସରେ ମୁଁ ଦାୟିତ୍ବ ଗ୍ରହଣ କରିବା ‌େବେଳ ପାକିସ୍ତାନ ‘ଆର୍ଥିକ ଦେବାଳିଆ’ ପରିସ୍ଥିତି ଆଡ଼କୁ ଗତି କରୁଥିଲା। କିନ୍ତୁ, ଶାସକ ମେଣ୍ଟ ସରକାର ଦେଶକୁ ଦେବାଳିଆ ହେବାରୁ ରକ୍ଷା କରିବା ସହିତ କେତେକାଂଶରେ ଆର୍ଥିକ ଅସ୍ଥିରତାକୁ ନିୟନ୍ତ୍ରଣ କରିଛି।

ସମ୍ବନ୍ଧିତ ଖବର