ସାଧାରଣ ଜୀବନରେ ନେତାମାନେ ପ୍ରତିଟି କଥାରେ ଯେ ଠିକ୍ କରିବେ, ସେମାନଙ୍କର ଆଦୌ ଭୁଲ୍‌ ହେବନାହିଁ, ଏହା ଭାବିବା ଭୁଲ୍। ଯୋଉ ଭୁଲ୍ ଛୋଟ ଛୁଆମାନେ ବି କରନ୍ତେ ନାହିଁ, ବେଳେବେଳେ ଆଚ୍ଛାଆଚ୍ଛା ନେତା ସେପରି ଭୁଲ୍ କରିବସନ୍ତି। ଭୁଲ୍‌ଭାଲ୍‌ କରି କ୍ଷମତା ହରାଇଥିବା ରାଜନେତାମାନେ ତ ଭୁଲ୍‌ ପରେ ଭୁଲ୍ କରିବସନ୍ତି। ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଳେଶ ଯାଦବ ନିଜ ଝିଅ ଜରିଆରେ ଅବାନ୍ତର ଟ୍ବିଟ୍‌ମାନ କରି ଅପଦସ୍ଥ ହୋଇଥିବା ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ହୋଇଆସୁଥିଲା। ନିକଟରେ ନିଜେ ଏକ ଅନାବଶ୍ୟକ ଟ୍ବିଟ୍‌ କରି ବେଶ୍‌ ସମାଲୋଚିତ ହୋଇଛନ୍ତି ଉତ୍ତରପ୍ରଦେଶର ଏହି ପୂର୍ବତନ ମୁଖ୍ୟମନ୍ତ୍ରୀ। ଅନ୍ତର୍ଜାତୀୟ ଯୋଗ ଦିବସରେ ତାଙ୍କ ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ ତଥା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଏକ ଭିଡିଓ ପୋଷ୍ଟ କରିଛନ୍ତି ଅଖିଳେଶ।

Advertisment

publive-image

୯ ସେକେଣ୍ଡର ଏହି ଭିଡିଓ‌‌ରେ ଦେଖାଯାଇଛି, ବୃକ୍ଷାସନରେ ଯୋଗୀ ଛିଡ଼ାହୋଇ ନିଜ ଡାହାଣ ଆଣ୍ଠୁ ଭାଙ୍ଗି ପାଦକୁ ଭିତର ବାମ ଜଂଘରେ ରଖିବାକୁ ଯାଇ ଏକରକମ ହଟହଟା ହେଉଛନ୍ତି। ତାଙ୍କ ଧୋତି ସେଥିପାଇଁ ଅଡ଼ୁଆ ସୃଷ୍ଟି କରୁଥିବା ଦେଖାଯାଉଛି। ସମ୍ଭବତଃ ନେଟିଜେନ୍‌ମାନେ ଆମୋଦିତ ହେବେ ଭାବି ଅଖିଳେଶ ‘ଏନ୍‌ଜୟ ଯୋଗ’ ବୋଲି ଲେଖି ଉକ୍ତ ଭିଡିଓଟିକୁ ପୋଷ୍ଟ କରିଛନ୍ତି। ହେଲେ ଏହା ତାଙ୍କ ପାଇଁ ବୁମେରାଂ ହୋଇଛି। ‘ଯଦି ଯୋଗୀ ଅପଦସ୍ଥ ହେଉଥିବା ପ୍ରଥମ ୯ ସେକେଣ୍ଡର ଭିଡିଓ ଦେଖେଇଲ, ତା’ପରେ ଯୋଗୀ ସେହି ଆସନ କରିବାରେ ସଫଳ ହୋଇଥିବା ଭିଡିଓ ଅଂଶକୁ କାହିଁକି ଏଡିଟ୍ କରିପକେଇଲ’ ବୋଲି ପ୍ରଶ୍ନ ହୋଇଛି। ଯୋଗୀ ତ ଯାହାହେଲେ କିଛିଟା କଲେ, ତମେ ସେତକ ବି କରିପାରିବ କି ନା ସନ୍ଦେହ।

ରାଜ୍ୟରେ ଲୋକଙ୍କ ସ୍ବାର୍ଥ ସମ୍ବଳିତ କେତେ ବଡ଼ବଡ଼ ପ୍ରସଙ୍ଗ ଅଛି, ଅଥଚ ଏସବୁ ଅନାବଶ୍ୟକ କଥାପାଇଁ ତୁମ ପାଖେ ସମୟ ଅଛି ବୋଲି କୁହାଯାଇଛି। ନିଜକୁ ଯାଦବଙ୍କ ପ୍ରତିନିଧି ଦାବି କରୁଥିବା ଜଣେ ବ୍ୟକ୍ତି ଅଖିଳେଶଙ୍କୁ କୃଷ୍ଣଙ୍କ ବଂଶଧର ନୁହେଁ, କଂସଙ୍କ ବଂଶଧର ବୋଲି କହିଛନ୍ତି। ଲଗାତାର ଦୁଇଦୁଇଥର ହାରି ମଧ୍ୟ କିଛି ଶିଖୁନ ବୋଲି ସେ କହିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ମଧ୍ୟ କଡ଼ା ଉତ୍ତର ରଖି କହିଛନ୍ତି, ଯିଏ କ୍ଷମତା ପାଇଁ ନିଜ ବାପା ଓ କାକାଙ୍କୁ ଅସମ୍ମାନ କରିବାକୁ ପଛେଇଲେ ନାହିଁ ତାଙ୍କଠୁଁ ଆଉ କ’ଣ ଆଶା କରାଯିବ? ଅଖିଳେଶଙ୍କ ପ୍ରତି ଯୋଗୀ ବିଧାନସଭାରେ ଦେଇଥିବା ପ୍ରତିକୂଳ ମନ୍ତବ୍ୟଗୁଡ଼ିକର ଏକାଧିକ ଭିଡିଓ ମଧ୍ୟ ପୋଷ୍ଟ କରାଯାଇଥିବା ଦେଖିବାକୁ ମିଳିଛି।