କୋଭିଡ୍ ରୋଗୀ ଯଦି ଅନ୍ୟ କାରଣରୁ ବି ମରିଥାନ୍ତି, ତଥାପି ଏହା କୋଭିଡ୍ ମୃତ୍ୟୁ: ଆଲ୍ଲାହାବାଦ ହାଇକୋର୍ଟ

୩୦ ଦିନ ଭିତରେ ଅନୁକମ୍ପା ରାଶି ପ୍ରଦାନ ନିର୍ଦ୍ଦେଶ

ନୂଆଦିଲ୍ଲୀ : ଆଲ୍ଲାହାବାଦ ହାଇକୋର୍ଟ ଶନିବାର ଏକ ଗୁରୁତ୍ବପୂର୍ଣ୍ଣ ରାୟରେ କହିଛନ୍ତି ଯେ କୋଭିଡ୍‌-୧୯ ରୋଗରେ ପୀଡ଼ିତ ବ୍ୟକ୍ତିର ଯଦି ମୃତ୍ୟୁ ହୋଇଥାଏ ତେବେ ତାକୁ କୋଭିଡ୍ ମୃତ୍ୟ ବୋଲି ଧରାଯିବ, ମୃତ୍ୟୁର କାରଣ ଅନ୍ୟ ଯାହା ବି ହେଉ ନା କାହିଁକି। ମୃତ୍ୟୁର କାରଣ ହୃଦ୍‌ଘାତ ହୋଇପାରେ ବା ଅନ୍ୟ କିଛି ବି ହୋଇପାରେ, କିନ୍ତୁ ଏହାକୁ କୋଭିଡଜନିତ ମୃତ୍ୟୁ ଧରାଯିବ ବୋଲି କୋର୍ଟ କହିଛନ୍ତି। ଜଷ୍ଟିସ୍ ଏଆର୍ ମସୁଦି ଓ ଜଷ୍ଟିସ୍ ବିକ୍ରମ ଡି ଚୌହାନଙ୍କ ବେଞ୍ଚ ଏକ ଆବେଦନର ଶୁଣାଣି ସମୟରେ ଏହି ରାୟ ଦେଇଛନ୍ତି। କୋଭିଡ୍ ମୃତକଙ୍କ ପରିବାରବର୍ଗଙ୍କୁ ୩୦ ଦିନ ଭିତରେ ଅନୁକମ୍ପା ରାଶି ପ୍ରଦାନ କରିବାକୁ ମଧ୍ୟ କୋର୍ଟ ଆଦେଶ ଦେଇଛନ୍ତି। ଯଦି ମାସକ ଭିତରେ ଟଙ୍କା ଦିଆ ନ ଯାଏ ତେ‌ବେ ପରେ ୯ ପ୍ରତିଶତ ସୁଧ ସହ ଏହା ଦେବାକୁ ପଡ଼ିବ।

କୋର୍ଟ କହିଲେ ଯେ କୋଭିଡ୍-୧୯ ସଂକ୍ରମଣ ଯେକୌଣସି ଅଙ୍ଗକୁ ଆକ୍ରାନ୍ତ କରି ନଷ୍ଟ କରିଦେଇପାରେ। ସେହି କାରଣରୁ ରୋଗୀର ମୃତ୍ୟୁ ହୋଇପାରେ। ତେଣୁ କୋଭିଡ୍‌ ସଂକ୍ରମିତ ବ୍ୟକ୍ତିର ଅଙ୍ଗ ନିଷ୍କ୍ରିୟ ହେବା କାରଣରୁ ମୃତ୍ୟୁ ହେଲେ ବି ତାକୁ ଭିନ୍ନ କାରଣ ଯୋଗୁ ମୃତ୍ୟୁ ହେଲା ବୋଲି କୁହାଯାଇପାରିବ ନାହିଁ।

ସମ୍ବନ୍ଧିତ ଖବର