ନୂଆଦିଲ୍ଲୀ: ଜନତା ମୋଦୀଙ୍କୁ ହଟାଇ ଦେଲେ ବି ଆଗାମୀ ଅନେକ ଦଶନ୍ଧି ଧରି ‘ବିଜେପି’ ଭାରତୀୟ ରାଜନୀତିର କେନ୍ଦ୍ରସ୍ଥଳରେ ରହିବ ବୋଲି ରାଜନୈତିକ ରଣନୀତିଜ୍ଞ ପ୍ରଶାନ୍ତ କିଶୋର କହିଛନ୍ତି।
ଗୋଆରେ ଗଣମାଧ୍ୟମ ସହ ଆଳାପଆଲୋଚନା କରିବା ସମୟରେ ପ୍ରଶାନ୍ତ କିଶୋର କହିଛନ୍ତି, ହାରନ୍ତୁ କି, ଜିତନ୍ତୁ ‘କଂଗ୍ରେସ’ର ପ୍ରଥମ ୪୦ ବର୍ଷ ପରି ଭାରତୀୟ ରାଜନୀତିର କେନ୍ଦ୍ରସ୍ଥଳରେ ‘ବିଜେପି’ ରହିବ। ‘ବିଜେପି’ ନିଶ୍ଚିହ୍ନ ହୋଇଯିବ ନାହିଁ। ଭାରତୀୟସ୍ତରରେ ଜଣେ ୩୦% ଭୋଟ୍ ପାଇଯିବା ପରେ, କେହି ଏତେ ଶୀଘ୍ର ନିଶ୍ଚିହ୍ନ ହୋଇଯାଏ ନାହିଁ।
ସେ ଆହୁରି ମଧ୍ୟ କହିଛନ୍ତି, ତେଣୁ, ଲୋକେ ରାଗିଛନ୍ତି ଏବଂ ସେମାନେ ମୋଦୀଙ୍କୁ ହଟାଇ ଦେବେ ବୋଲି ଉଠିଥିବା କଥାରେ ଭାସିଯାଅ ନାହିଁ। ହୁଏ ତ ସେମାନେ ମୋଦୀଙ୍କୁ ହଟାଇ ପାରନ୍ତି କିନ୍ତୁ, ‘ବିଜେପି’ ନିଶ୍ଚିହ୍ନ ହେବନାହିଁ। ‘ବିଜେପି’କୁ ହଟାଇବା ଲାଗି ଅନେକ ଦଶନ୍ଧି ଧରି ସଂଗ୍ରାମ କରିବାକୁ ପଡ଼ିବ।
ଜନସାଧାରଣ ମୋଦୀଙ୍କୁ ହଟାଇ ଦେବେ ବୋଲି କଂଗ୍ରେସ ନେତା ରାହୁଲ୍ ଗାନ୍ଧୀ ଯାହା ଭାବୁଛନ୍ତି, ତାହା ଭ୍ରମାତ୍ମକ ବୋଲି ପଚରାଯିବାରୁ ସେ କହିଲେ, ସେଇଠି ତ ରାହୁଲ୍ ଗାନ୍ଧୀଙ୍କର ସମସ୍ୟା ରହିଛି। ବୋଧହୁଏ ତାଙ୍କର ଧାରଣା ଖୁବ୍ କମ୍ ସମୟରେ ଲୋକେ ନରେନ୍ଦ୍ର ମୋଦୀଙ୍କୁ ହଟାଇ ଦେବେ। କିନ୍ତୁ, ସେମିତି ହେବ ନାହିଁ।
ମୋଦୀଙ୍କର ସାମର୍ଥ୍ୟକୁ ପରଖିବା, ବୁଝିବା ଏବଂ ସମୀକ୍ଷା ନ କରିବା ଯାଏ ଆପଣ ତାଙ୍କୁ ପରାସ୍ତ କରିବା ପରି ପ୍ରତିଦ୍ୱନ୍ଦ୍ୱୀ ଠିଆ କରାଇ ପାରିବେ ନାହିଁ।