ନୂଆଦିଲ୍ଲୀ:ଦିଲ୍ଲୀ ହାଇକୋର୍ଟ କହିଛନ୍ତି, ସମ୍ପ୍ରତି ଗୃହିଣୀମାନଙ୍କ ଦ୍ୱାରା ଘର, ପରିବାର ଏବଂ ପିଲାମାନଙ୍କର ଯତ୍ନ ନେବାରେ ଦିଆଯାଇଥିବା ଅବଦାନକୁ ସ୍ୱୀକୃତି ଦେବା ପାଇଁ କୌଣସି ବୈଧାନିକ ଆଧାର ନାହିଁ। ଏପରି ଅବଦାନ ପ୍ରାୟତଃ ଲୁଚି ରହିଥାଏ ଏବଂ ମୂଲ୍ୟାଙ୍କିତ ହୁଏ ନାହିଁ। ତେଣୁ ଏହି ଆଧାରରେ ମାଲିକାନା ଅଧିକାର ନିଷ୍ପତ୍ତି ନିଆଯାଇପାରିବ ନାହିଁ କିମ୍ବା ଗୃହିଣୀଙ୍କର କାର୍ଯ୍ୟର ମୂଲ୍ୟାୟନ କରାଯାଇପାରିବ ନାହିଁ।
ଜଷ୍ଟିସ ଅନିଲ ଖେତ୍ରପାଲ ଏବଂ ଜଷ୍ଟିସ ହରିଶ ବୈଦ୍ୟନାଥନ ଶଙ୍କରଙ୍କ ଏକ ଡିଭିଜନ ବେଞ୍ଚ କହିଛନ୍ତି, ହୁଏତ ଭବିଷ୍ୟତରେ ଆଇନ ଗୃହିଣୀମାନଙ୍କ ଅବଦାନକୁ ଅର୍ଥପୂର୍ଣ୍ଣ ଭାବରେ ପ୍ରତିଫଳିତ କରିବା ପାଇଁ ପଦକ୍ଷେପ ନେବ ଏବଂ ଏହାକୁ ସେମାନଙ୍କର ଅଧିକାର ନିର୍ଣ୍ଣୟ କରିବାର ଆଧାର କରିବ। ମାତ୍ର ଏବେ ସେଭଳି କୌଣସି ଆଇନ ନାହିଁ।
କୋର୍ଟ କହିଛନ୍ତି, ଅନେକ ଭାରତୀୟ ପରିବାରରେ, ବିଶେଷକରି ଯେଉଁଠାରେ କୌଣସି ଘରୋଇ ସହାୟକ ନାହାନ୍ତି, ସେଠାରେ ଜଣେ ପୂର୍ଣ୍ଣକାଳୀନ ଗୃହିଣୀଙ୍କ ଉପସ୍ଥିତି ପରିବାରକୁ ଅନେକ ଖର୍ଚ୍ଚରୁ ରକ୍ଷା କରିଥାଏ। ଏହା ଘରର ନିୟମିତ ସଞ୍ଚୟକୁ ବୃଦ୍ଧି କରିଥାଏ ଏବଂ ପରିବାର ସମ୍ପତ୍ତି କିଣିବା ଭଳି ଅତିରିକ୍ତ ଆୟକୁ ସୁରକ୍ଷିତ ରଖିଥାଏ।
ପରିବାର କୋର୍ଟର ଆଦେଶକୁ ଚ୍ୟାଲେଞ୍ଜ କରି ପତ୍ନୀ କରିଥିବା ଏକ ମାମଲାର ଶୁଣାଣି ସମୟରେ ଏହି ପର୍ଯ୍ୟବେକ୍ଷଣ ଆସିଥିଲା। ପତ୍ନୀ ଦାବି କରିଥିଲେ ଯେ, ସ୍ୱାମୀଙ୍କ ନାମରେ କିଣାଯାଇଥିବା ସମ୍ପତ୍ତିରେ ତାଙ୍କର ୫୦% ଅଂଶ ରହିବା ଉଚିତ୍, କାରଣ ସେ ଜଣେ ଗୃହିଣୀ ଭାବରେ ଅବଦାନ ରଖିଥିଲେ। ସେ କହିଥିଲେ, ଯେହେତୁ ତାଙ୍କ ସ୍ୱାମୀଙ୍କର ଚାକିରି ଥିଲା ଏବଂ ସେ ପରିବାରର ସମ୍ପତ୍ତିରେ ଅବଦାନ ରଖିଥିଲେ, ବିବାହ ସମୟରେ କିଣାଯାଇଥିବା ସମ୍ପତ୍ତିକୁ ମିଳିତ ପ୍ରୟାସର ଫଳାଫଳ ଭାବରେ ବିବେଚନା କରାଯିବା ଉଚିତ୍।
କୋର୍ଟ କହିଛନ୍ତି ଯେ, ବିବାହ କେବଳ ଏକ ସାମାଜିକ ପ୍ରତିଷ୍ଠାନ ନୁହେଁ ବରଂ ଏକ ଆଇନଗତ ସହଭାଗୀତା ଯେଉଁଥିରେ ପରିବାରର ସ୍ଥିରତା ଏବଂ ମଙ୍ଗଳ ପାଇଁ ଉଭୟ ପକ୍ଷର ଆର୍ଥିକ, ଭାବପ୍ରବଣ ଏବଂ ଘରୋଇ ଅବଦାନ ଗୁରୁତ୍ୱପୂର୍ଣ୍ଣ। ତଥାପି, କୋର୍ଟ ସ୍ପଷ୍ଟ କରିଛନ୍ତି, ସ୍ବାମୀଙ୍କ ଘରେ ସ୍ତ୍ରୀ ରହିବା ଦ୍ବାରା ସେ ସ୍ୱାମୀଙ୍କ ସମ୍ପତ୍ତିର ମାଲିକାନା ଅଧିକାର ପାଇବାକୁ ହକଦାର୍ ନୁହନ୍ତି। ଏପରି ଦାବି ପାଇଁ ଯଥେଷ୍ଟ ଏବଂ ପ୍ରକୃତ ଅବଦାନର ପ୍ରମାଣ ଆବଶ୍ୟକ।
କୋର୍ଟ ଉଲ୍ଲେଖ କରିଛନ୍ତି, ପତ୍ନୀ ସ୍ୱୀକାର କରିଛନ୍ତି ଯେ, ସେ ସମ୍ପତ୍ତି କ୍ରୟ କରିବାରେ କୌଣସି ଆର୍ଥିକ ଅବଦାନ ଦେଇ ନାହାନ୍ତି ତଥା ଘରୋଇ ପ୍ରୟାସ କିମ୍ବା ସଞ୍ଚୟ ମାଧ୍ୟମରେ ତାଙ୍କର ଅବଦାନର ପ୍ରମାଣ କରିନାହାନ୍ତି। ଆବେଦନରେ କୌଣସି ପ୍ରମାଣ ବିନା କେବଳ ଦାବି କରାଯାଇଥିଲା।
କୋର୍ଟ କହିଛନ୍ତି, ଯେପର୍ଯ୍ୟନ୍ତ ଆଇନ ବ୍ୟବସ୍ଥା ଗୃହିଣୀଙ୍କ ଅବଦାନକୁ ମାଲିକାନା ଅଧିକାର ନିର୍ଣ୍ଣୟ ପାଇଁ ଆଧାର ନ କରିଛି, କେବଳ ଗୃହିଣୀ ହେବା ଆଧାରରେ ସମ୍ପତ୍ତି ଉପରେ ଦାବି କରାଯାଇପାରିବ ନାହିଁ। ତେଣୁ ହାଇକୋର୍ଟ ପରିବାର ଅଦାଲତର ନିର୍ଦ୍ଦେଶକୁ ବଜାୟ ରଖି ଆବେଦନକୁ ଖାରଜ କରିଦେଇଛନ୍ତି।