ପାଟନା: ହିନ୍ଦୁ କ୍ୟାଲେଣ୍ଡରରେ ଏବେ ବିବାହ ଋତୁ ଚାଲିଛି। ସମସ୍ତ ବରଙ୍କ ବେକରେ ଫୁଲମାଳା ପଡ଼ିଥାଏ। ତେବେ କିଛି ଲୋକଙ୍କ ମୁଣ୍ଡରେ ବନ୍ଧୁକ ବି ଲାଗିଥାଏ। ଏକଦା ଅପହରଣ କେନ୍ଦ୍ର କୁହାଯାଉଥିବା ବିହାରରେ ଅପହୃତ ବରମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ବଜାର ମଧ୍ୟ ରହିଛି। ‘ପକଡ଼ୁଆ ବିବାହ’ (ଅପହରଣ ମାଧ୍ୟମରେ ବିବାହ) ସାଧାରଣତଃ ସେହି ଯୁବତୀମାନଙ୍କ ପରିବାର ଦ୍ୱାରା ଆୟୋଜନ କରାଯାଏ ଯେଉଁମାନେ ଚାକିରି କରିଥିବା ଶିକ୍ଷିତ ଯୁବକଙ୍କୁ ଜ୍ୱାଇଁ ଭାବରେ ଚାହାନ୍ତି।
ବିହାରରେ ଏଭଳି ଉପଯୁକ୍ତ ବରର ଅଭାବ ରହିଛି। ତେଣୁ ଯୌତୁକ ଚାହିଦା ଅଧିକ। କିଛି ପରିବାର ବିବାହ ବଜାରକୁ ଅଣଦେଖା କରି ଅପହରଣ ବାବଦକୁ ମୂଲ୍ୟ ଦେଇ ପସନ୍ଦର ବର ପାଇଥାନ୍ତି। ଗୌତମ କୁମାର (୨୩) ବିହାର ଲୋକସେବା ଆୟୋଗ (ବିପିଏସସି) ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ମାତ୍ର ୧୨ ଦିନ ତଳେ ବିହାରର ବୈଶାଳୀ ଜିଲ୍ଲାରେ ଶିକ୍ଷକ ଚାକିରି ପାଇଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଏକ ଏସ୍ୟୁଭିରେ ଦୁର୍ବୃତ୍ତମାନେ ତାଙ୍କୁ ସ୍କୁଲରୁ ଅପହରଣ କରି ନେଇଥିଲେ। ଏହାପରେ ‘ବିବାହ’ ହୋଇଥିଲା। ବେକରେ ଫୁଲମାଳ ଓ ମୁଣ୍ଡରେ ବନ୍ଧୁକ ରଖି ପାରମ୍ପରିକ ହିନ୍ଦୁ ରୀତିନୀତି ଅନୁଯାୟୀ ବିବାହ କାର୍ଯ୍ୟ ସମ୍ପନ୍ନ କରାଯାଇଥିଲା। ସୋସିଆଲ ମିଡିଆରେ ଏବେ ଏହାର ଫଟୋ ଭାଇରାଲ ହୋଇଛି। ତେବେ ସୌଭାଗ୍ୟବଶତଃ ସମ୍ପୃକ୍ତ ଶିକ୍ଷକଙ୍କୁ ପୁଲିସ ଉଦ୍ଧାର । କନ୍ୟାର ବାପା ରାଜେଶ ରାୟ ଓ ଅନ୍ୟ ୩ ଅଭିଯୁକ୍ତ ଫେରାର ଅଛନ୍ତି। ନିକଟରେ ପାଟନା ହାଇକୋର୍ଟ ବନ୍ଧୁକ ଦେଖାଇ ହେଉଥିବା ବିବାହକୁ ଅବୈଧ ବୋଲି ରାୟ ଦେଇଥିଲେ।