କିବ୍: ଯୁଦ୍ଧଗ୍ରସ୍ତ ୟୁକ୍ରେନ୍ର ବିଭିନ୍ନ ସହରରୁ ଲୋକଙ୍କୁ ଖାଲି କରାଇବା ପାଇଁ ହୋଇଥିବା ମାନବୀୟ କରିଡରକୁ ଉଭୟ ରୁଷ୍ ଓ ୟୁକ୍ରେନ୍ ସେନା ସମ୍ମାନ ଦେଉନାହାନ୍ତି ଏବଂ ଉକ୍ତ ଅଂଚଳରେ ଯୁଦ୍ଧବିରତି ଭିତରେ ବି ଅଚାନକ ଲଢ଼େଇ ଆରମ୍ଭ ହୋଇଯାଉଛି। ୟୁକ୍ରେନର ମାରିୟୁପୋଲ ଏବଂ ଭୋଲନୋଭାଖା ସହରରୁ ସାଧାରଣ ଲୋକଙ୍କୁ ନିରାପଦରେ ଅନ୍ୟତ୍ର ଯିବା ପାଇଁ ଶନିବାର ମାନବିକ କରିଡ଼ର କରାଯାଇଥିଲା। ତେବେ ଏହା ବିଫଳ ହୋଇଥିଲା। ଆଜି ମଧ୍ୟ ସେଠାରେ ସମାନ ସ୍ଥିତି ଉପୁଜିଛି। ଦ୍ବିତୀୟ ଦିନ ପାଇଁ ରୁଷ୍ ଅସ୍ତ୍ରବିରତି ଘୋଷଣା କରି ଉକ୍ତ କରିଡର ଖୋଲିଥିଲେ ମଧ୍ୟ ୟୁକ୍ରେନ୍ ସେନା ଏହାକୁ ବିଫଳ କରିଦେଇଥିବା ଅଭିଯୋଗ ହୋଇଛି। ମାରିୟୁପୋଲ ଏବଂ ଇର୍ପିନ୍ରୁ ୪ ଲକ୍ଷ ଲୋକଙ୍କୁ ଖାଲି କରିବା ପାଇଁ ହୋଇଥିବା ଯୋଜନା ଭଣ୍ଡୁର ହୋଇଯିବା ପରେ ଉଭୟ ପକ୍ଷ ପରସ୍ପରକୁ ଦୋଷାରୋପ କରିଛନ୍ତି। ଖାର୍କିଭ୍ ଏବଂ ଚେର୍ନହିବରେ ମଧ୍ୟ ସାଧାରଣ ଲୋକଙ୍କୁ ସହର ଛାଡ଼ିବା ପାଇଁ ସୁଯୋଗ ମିଳୁନାହିଁ। ସାଧାରଣ ଲୋକଙ୍କୁ ଢ଼ାଲ କରି ୟୁକ୍ରେନ୍ ସେନା ଯୁଦ୍ଧ କରୁଥିବାରୁ ଏଭଳି ସ୍ଥିତି ଆସିଛି ବୋଲି ରୁଷ୍ କହିଛି। ତେବେ ୟୁକ୍ରେନ୍ ଏହାକୁ ଖଣ୍ଡନ କରି ରୁଷ୍ର ଆକ୍ରମଣ ଅନିୟନ୍ତ୍ରିତ ହୋଇଯାଇଛି ଏବଂ ଏବେ ସାଧାରଣ ଲୋକଙ୍କୁ ଟାର୍ଗେଟ୍ କରାଯାଉଛି ବୋଲି କହିଛି। ଜନବସତିରେ ଆକ୍ରମଣ କରି ଉକ୍ତ ଅଂଚଳରେ ସବୁକିଛି ବିପର୍ଯ୍ୟସ୍ତ କରିଦେବା ପାଇଁ ରୁଷ୍ର ଏହା ପୁରୁଣା କୌଶଳ ବୋଲି ବ୍ରିଟେନ୍ ଗୁଇନ୍ଦା ସଂସ୍ଥା କହିଛି। ୧୦୯୯ରେ ଚେଚେନ୍ୟା ଏବଂ ୨୦୧୬ ସିରିୟା ଯୁଦ୍ଧରେ ରୁଷ୍ ସମାନ ନୀତି ଅବଲମ୍ବନ କରିଥିଲା ବୋଲି ବ୍ରିଟେନ୍ ସାମରିକ ଗୁଇନ୍ଦା ସଂସ୍ଥା ପକ୍ଷରୁ କୁହାଯାଇଛି। ଗତକାଲି ଓ ଆଜି ୧୦ ଘଣ୍ଟା ଯୁଦ୍ଧବିରତି ସତ୍ତ୍ବେ ଖୁବ୍ କମ୍ ଲୋକଙ୍କୁ ଖାଲି କରାଇବା ସମ୍ଭବ ହୋଇଛି।
ଅନ୍ୟପକ୍ଷରେ ରାଜଧାନୀ କିବ୍କୁ ନିଜ ଦଖଲକୁ ନେବା ପାଇଁ ରୁଷ୍ ସେନା ବିଶାଳ ଯୋଜନା ପ୍ରସ୍ତୁତ କରିଛି। ସହରକୁ ଚାରିପଟେ ଘେରି ରହିଥିବା ରୁଷ୍ ସେନା ଏବେ ସହରତଳି ଅଂଚଳକୁ କବ୍ଜା କରିବା ଆରମ୍ଭ କରିଛନ୍ତି ଏବଂ ଦୁଇ ଦିନ ଭିତରେ କେନ୍ଦ୍ରୀୟ କିବ୍ରେ ରୁଷ୍ ସେନା ପଶିବେ ବୋଲି ଜଣାପଡ଼ିଛି। ରୁଷ୍ର ପ୍ରାୟ ୧୦ ହଜାର ସାମରିକ ଯାନ ଏବଂ ଲକ୍ଷାଧିକ ସୈନିକ ଏକ ସଙ୍ଗରେ କିବ୍କୁ ପଶିବେ ଏବଂ ଏହା ପୂର୍ବରୁ ରୁଷ ବାୟୁସେନା ପ୍ରଚଣ୍ଡ ଆକ୍ରମଣ କରି ୟୁକ୍ରେନ୍ ସେନାର ପ୍ରତିରୋଧ କ୍ଷମତାକୁ ନଷ୍ଟ କରିଦେବ ବୋଲି ଯୋଜନା ହୋଇଥିବା ସାମରିକ ବିଶେଷଜ୍ଞମାନେ କହିଛନ୍ତି। ରୁଷ୍ ସେନା କ୍ଷେପଣାସ୍ତ୍ର ମାଡ଼ ମରି ଆଜି ୟୁକ୍ରେନ୍ର ଏସ୍-୩୦୦ ଏୟାର ଡିଫେନ୍ସ ବ୍ୟବସ୍ଥାକୁ ନଷ୍ଟ କରିଦେଇଛି। ଦକ୍ଷିଣୀ ସହର ମିକୋଲେବ ଧାରରେ ତଥା ଗୁରୁତ୍ବପୂର୍ଣ୍ଣ ବନ୍ଦର ନଗରୀ ଓଡ଼େସା ପାଖରେ ଭୟଙ୍କର ଯୁଦ୍ଧ ଚାଲିଥିବା ରିପୋର୍ଟ ମିଳିଛି। ଅନ୍ୟତମ ବନ୍ଦର ନଗରୀ ମାରିୟୁପୋଲରେ ଶନିବାର ସ୍ବଳ୍ପ ସମୟର ଅସ୍ତ୍ରବିରତି ପରେ ପୁଣି ଗୁଳିଗୋଳା ବର୍ଷା ଚାଲିଛି। ଏପର୍ଯ୍ୟନ୍ତ ପ୍ରାୟ ଦେଢ଼ ନିୟୁତରୁ ଅଧିକ ଲୋକ ସ୍ଥାନାନ୍ତରିତ ହୋଇସାରିଲେଣି ବୋଲି ଜାତିସଂଘ ସୂତ୍ରରୁ ଜଣାପଡ଼ିଛି। ଏଥି ଯୋଗୁ ଶରଣାର୍ଥୀ ସଂକଟ ମଧ୍ୟ ବଢ଼ିବାରେ ଲାଗିଛି। ୟୁକ୍ରେନ୍ରେ ସ୍ବାସ୍ଥ୍ୟ ସଂସ୍ଥାଗୁଡ଼ିକୁ ମଧ୍ୟ ଟାର୍ଗେଟ କରାଯାଉଥିବା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ଅଭିଯୋଗ କରିଛି।