ଟିକା ନେଲେ ବି ସଂକ୍ରମିତ କରିପାରେ ଡେଲ୍‌ଟା ପ୍ରଜାତି, ଭାରତୀୟମାନେ ମାସ୍କ ନପିନ୍ଧିବାର ପ୍ରମୁଖ କାରଣ

ନୂଆଦିଲ୍ଲୀ: ଡେଲ୍‌ଟା ପ୍ରଜାତିର କରୋନା ଭୂତାଣୁ ଏକ ଚିନ୍ତାଜନକ ପ୍ରଜାତି ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କହିସାରିଛି। ବିଶ୍ବର ପ୍ରାୟ ୯୬ଟି ଦେଶରେ ଏହି ପ୍ରଜାତି ଚିହ୍ନଟ ହୋଇସାରିଲାଣି। ଏହି ପ୍ରଜାତି ଅଧିକ ମାତ୍ରାରେ ବିଶ୍ବରେ ବ୍ୟାପୁଛି। କେବଳ ସେତିକି ନୁହେଁ, ସଂପୂର୍ଣ୍ଣ ମାତ୍ରାରେ ଟିକା ନେଇ ସାରିଥିବା ବ୍ୟକ୍ତିଙ୍କ ଠାରେ ମଧ୍ୟ ଏହି ପ୍ରଜାତି ବ୍ୟାପୁଛି ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କହିଛି। କିନ୍ତୁ ଟିକା ନେଇଥି‌ଲେ ଏହି ପ୍ରଜାତିର ଭୂତାଣୁ ଲୋକଙ୍କ ଗୁରୁତର ଅସୁସ୍ଥତାକୁ କମାଇ ଦେଉଛି ଏବଂ ମୃତ୍ୟୁରୁ ରକ୍ଷା କରି ଦେଉଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ମୁଖ୍ୟ ବୈଜ୍ଞାନିକ ଡାକ୍ତର ସୌମ୍ୟା ସ୍ବାମୀନାଥନ କହିଛନ୍ତି, ଟିକା ନେଇଥିବା ବ୍ୟକ୍ତିମାନେ କରୋନାରେ ସଂକ୍ରମିତ ହେଉଥିବା ରିପୋର୍ଟ ଆସୁଛି। କିନ୍ତୁ ସେମାନଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କ ଠାରେ ସଂକ୍ରମଣର ମାତ୍ରା ସାମାନ୍ୟ ରହୁଛି କିମ୍ବା ସେମାନେ ଲକ୍ଷଣହୀନ ରହୁଛନ୍ତି ବୋଲି ସେ କହିଛନ୍ତି। ତେବେ ଯେଉଁସବୁ ସ୍ଥାନରେ ଟିକାଦାନ ହାର କମ୍ ରହିଛି ଏବଂ ଡେଲ୍‌ଟା ପ୍ରଜାତି ଦେଖାଦେଉଛି ସେଠାରେ କରୋନା ସଂକ୍ରମଣ ବହୁମାତ୍ରାରେ ବଢ଼ୁଛି ବୋଲି ସେ କହିଛନ୍ତି। ବିଶ୍ବରେ ଅସୁରକ୍ଷିତ ଏବଂ ଦୁର୍ବଳ ବର୍ଗର ବ୍ୟକ୍ତିଙ୍କ ମଧ୍ୟରେ ଏହି ପ୍ରଜାତି ଅଧିକ ମାତ୍ରାରେ ବ୍ୟାପୁଛି। ‌ସ୍ବାମୀନାଥନ ଏହି ପରିପ୍ରେକ୍ଷୀରେ ଏହା ମଧ୍ୟ ସତର୍କ କରାଇ ଦେଇଛନ୍ତି ଯେ ଟିକା ନେଇଥିବା ବ୍ୟକ୍ତିମାନେ କରୋନାରେ ସଂକ୍ରମିତ ହୋଇ ଅନ୍ୟକୁ ସଂକ୍ରମିତ କରିପାରନ୍ତି। ତେଣୁ ଲୋକମାନେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ଅବଲମ୍ବନ କରିବା ଭଳି ନୀତିକୁ ଆପଣାଇବାକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଅଧିକାରୀମାନେ କହିଛନ୍ତି। ତେବେ ସଂକ୍ରମଣ ଉପରେ ଟିକାର ପ୍ରଭାବ କ’ଣ ରହୁଛି ତାହା ଜାଣିବା ପାଇଁ ଅଧିକ ଗବେଷଣା ଆବଶ୍ୟକ ବୋଲି ସ୍ବାମୀନାଥନ କହିଛନ୍ତି।

ବିଶ୍ବରେ ଡେଲଟା ପ୍ରଜାତି କାହିଁକି ଏତେ ଅଧିକ ମାତ୍ରାରେ ବ୍ୟାପୁଛି ତାହାର କାରଣ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଡାକ୍ତର ମେରିଆ ଭାନ୍ କର୍‌କୋଭ୍ ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି, ସାମାଜିକ ସ୍ତରରେ ଲୋକେ ଅଧିକ ମିଳାମିଶା କରୁଛନ୍ତି। ଗୋଟିଏ ସ୍ଥାନରୁ ଅନ୍ୟସ୍ଥାନକୁ ଯାଉଛନ୍ତି। ଏଥିଯୋଗୁ ଲୋକଙ୍କ ମଧ୍ୟରେ ସଂସ୍ପର୍ଶର ମାତ୍ରା ବୃଦ୍ଧି ପାଉଛି। ସରକାରୀ ସ୍ବାସ୍ଥ୍ୟ ଭିତ୍ତିଭୂମିର ଠିକ୍ ବ୍ୟବହାର ହେଉନାହିଁ ‌ବୋଲି ସେ ମତ ଦେଇଛନ୍ତି। ଏଥିସହିତ ଟିକାର ଅସମ ବଣ୍ଟନ ମଧ୍ୟ ଏହି ଭୂତାଣୁ ବ୍ୟାପିବାର ଅନ୍ୟତମ କାରଣ ବୋଲି ସେ କହିଛନ୍ତି। ଗତ ଡିସେମ୍ବରରେ ଭାରତରେ ପ୍ରଥମେ ଚିହ୍ନଟ ହୋଇଥିବା ଏହି ପ୍ରଜାତି ଦ୍ବିତୀୟ ଲହରର ମୁଖ୍ୟ ବାହକ ସାଜିଥିଲା। ବ୍ରିଟେନ୍ ଏବଂ ଆମେରିକାରେ ମଧ୍ୟ ଏହି ପ୍ରଜାତି ବ୍ୟାପକ କ୍ଷତି କରିଛି। ଅନ୍ୟ ପ୍ରଜାତି ତୂଳନାରେ ଏହା ଅଧିକ ସଂକ୍ରାମକ। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମଧ୍ୟ ଏହି ପ୍ରଜାତିକୁ କରୋନା ଭୂତାଣୁର ସବୁଠୁ ଦ୍ରୁତ ବେଗରେ ବ୍ୟାପୁଥିବା ପ୍ରଜାତି ବୋଲି ଦର୍ଶାଇଛି।

ଆମେରିକା ସଂପର୍କରେ ଅବତାରଣା କରି ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଅଧିକାରୀମାନେ କହିଛନ୍ତି ଯେ ନିକଟରେ କରୋନାରେ ସଂକ୍ରମିତ ହୋଇ ଯେଉଁମାନେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି କିମ୍ବା ମୃତ୍ୟୁମୁଖ୍ୟରେ ପଡ଼ିଛନ୍ତି ସେସବୁ ଟିକା ନେଇ ନଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି। ଟିକା ନେବା ପରେ କରୋନା ସଂକ୍ରମିତ ହୋଇ ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରୁ ୭୫ ପ୍ରତିଶତଙ୍କ ବୟସ ୬୫ ବର୍ଷରୁ ଅଧିକ ବୋଲି ଆମେରିକାର ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲ୍ ଆଣ୍ଡ୍ ପ୍ରିଭେନସନ ପକ୍ଷରୁ କୁହାଯାଇଛି।

ଭାରତୀୟମାନେ ମାସ୍କ ନପିନ୍ଧିବାର ପ୍ରମୁଖ କାରଣ

ନୂଆଦିଲ୍ଲୀ: ସଂକ୍ରମଣ ବଢ଼ୁଥିଲେ ସୁଦ୍ଧା ଲୋକମାନେ ସଚେତନ ନୁହନ୍ତି। ସେମାନେ ବିନା ମାସ୍କରେ ବଜାରରେ ବୁଲୁଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଏହି କୋଭିଡ୍‌ ନିୟମର ଉଲ୍ଲଂଘନ ପାଇଁ ଗଭୀର ଚିନ୍ତା ପ୍ରକଟ କରିଛନ୍ତି। ମନ୍ତ୍ରାଳୟ ପକ୍ଷରୁ ଭାରତୀୟମାନେ ମାସ୍କ ନପିନ୍ଧିବା ନେଇ ୩ଟି ପ୍ରମୁଖ କାରଣ ଦର୍ଶାଯାଇଛି। ଏକ ସର୍ବେକ୍ଷଣକୁ ଆଧାର କରି ମନ୍ତ୍ରାଳୟ ଏହି ୩ଟି କାରଣ ଦେଇଛି। ବାରମ୍ବାର ଅନୁରୋଧ ସତ୍ତ୍ବେ ଲୋକେ କାହିଁକି ମାସ୍କ ପିନ୍ଧୁନାହାନ୍ତି ସେନେଇ ଏକ ସର୍ବେକ୍ଷଣ ହୋଇଥିଲା ଏବଂ ଏଥିରୁ ଜଣାପଡ଼ିଛି ଯେ, ଲୋକମାନେ ଶ୍ବାସକ୍ରିୟାରେ କଷ୍ଟ ଅନୁଭବ କରୁଥିବାରୁ ମାସ୍କ ପିନ୍ଧୁନାହାନ୍ତି। ଦ୍ବିତୀୟରେ ସେମାନଙ୍କୁ ଅସହଜ ଲାଗୁଥିବାରୁ ସେମାନେ ମାସ୍କ ପିନ୍ଧୁନାହାନ୍ତି। ତୃତୀୟରେ ଲୋକମାନେ ଭାବୁଛନ୍ତି ସାମାଜକି ଦୂରତା ଅବଲମ୍ବନ କରୁଥିବାରୁ‌ ସେମାନଙ୍କୁ ମାସ୍କ ପିନ୍ଧିବାର ଆବଶ୍ୟକତା ନାହିଁ। ସେହିପରି ମାସ୍କ କରୋନାକୁ ଅଟକାଇ ପାରୁନି ବୋଲି କିଛି ଭ୍ରାନ୍ତ ଧାରଣା ଯୋଗୁ ଲୋକେ ମାସ୍କ ପିନ୍ଧୁନାହାନ୍ତି। ଏସବୁ ଭ୍ରାନ୍ତ ଧାରଣା ଦୂର ପାଇଁ ସରକାର ଚେଷ୍ଟା କରୁଛନ୍ତି।

 

ସମ୍ବନ୍ଧିତ ଖବର