ମହାରାଷ୍ଟ୍ର ସଂକଟ: ଆଜି ସଂଧ୍ୟା ୭ଟାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଦେବେନ୍ଦ୍ର ଫଡ୍‌ନବୀସ

ମୁମ୍ବାଇ: ବୁଧବାର ଦିନ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ମହାରାଷ୍ଟ୍ରରେ ବିଜେପି ପକ୍ଷରୁ ସରକାର ଗଠନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଆଜି ସଂଧ୍ୟା ୭ଟାରେ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ ପୁଣି ଥରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି। ଦେବେନ୍ଦ୍ର ଫଡ୍‌ନବୀସ ମୁଖ୍ୟମନ୍ତ୍ରୀ ଭାବେ ଆସନ୍ତାକାଲି ଶପଥ ଗ୍ରହଣ କରିବେ ବୋଲି ସ୍ଥିର ହୋଇଥିଲ। ମାତ୍ର ଶେଷ ମୁହୂର୍ତ୍ତରେ ନିଷ୍ପତ୍ତି ବଦଳାଇ ଦିଆଯାଇଛି। ଆଜି ସଂଧ୍ୟାରେ ହିଁ ଶପଥ ପାଠ୍‌ ଉତ୍ସବର ଆୟୋଜନ କରାଯିବ ବୋଲି ସୂଚନା ମିଳିଛି।

ଏ ବିଷୟରେ ଆଲୋଚନା ଲାଗି ଦେବେନ୍ଦ୍ର ଫଡ୍‌ନବୀସ ଓ ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଦେ ରାଜ୍ୟପାଳ ଭଗତ ସିଂ ଖୋସିୟାରିଙ୍କୁ ଭେଟିବାକୁ ରାଜଭବନରେ ପହଞ୍ଚିଛନ୍ତି । କିଛି ସମୟ ପୂର୍ବରୁ ଏକନାଥ ଗୋଆରୁ ଆସି ମୁମ୍ବାଇଠାରେ ଫଡନବୀସଙ୍କୁ ଭେଟିବା ପରେ ଉଭୟ ରାଜ୍ୟପାଳଙ୍କୁ ଭେଟିବାକୁ ଯାିଛନ୍ତି । ଏକନାଥଙ୍କ ନିକଟରେ ୩୯ ଶିବସେନା ବିଧାୟକଙ୍କ ସମର୍ଥନ ରହିଛି । ସେମାନେ ୧୦୪ ବିଧାୟକ ଥିବା ବିଜେପିକୁ ସମର୍ଥନ ଘୋଷଣା କରିସାରିଛନ୍ତି ।

ସୁପ୍ରିମକୋର୍ଟ ମହାରାଷ୍ଟ୍ର ରାଜ୍ୟପାଳଙ୍କ ନିର୍ଦ୍ଦେଶରେ ହସ୍ତକ୍ଷେପ କରିବାକୁ ମନା କରିଦେବା ପରେ ବୁଧବାର ରାତିରେ  ରାଜ୍ୟବାସୀଙ୍କ ଉଦ୍ଦେଶ୍ୟର ନିଜର ଅଭିଭାଷଣ ରଖିବା ସହ ଉଦ୍ଧବ ଠାକରେ ଇସ୍ତଫା ଘୋଷଣା କରିଥିଲେ । ଏହା ସହିତ ମହାରାଷ୍ଟ୍ରରେ ଗତ ଅଢେଇ ବର୍ଷ ଧରି ଶାସନ କରୁଥିବା ମହାବିକାଶ ଅଘାଡି (ଏମଭିଏ) ସରକାରର ପତନ ହୋଇଥିଲା । ଉଦ୍ଧବଙ୍କ ଇସ୍ତଫା ପରେ ଗୁରୁବାର ହେବାକୁ ଥିବା ଆସ୍ଥାଭୋଟ ବାତିଲ ହୋଇଥିଲା। ଦେବେନ୍ଦ୍ର ଫଡନବୀସଙ୍କ ନେତୃତ୍ବାଧୀନ ନୂଆ ସରକାର ଶପଥ ଗ୍ରହଣ ପରେ ରାଜ୍ୟପାଳ ତାଙ୍କୁ ଆସ୍ଥାଭୋଟର ସମ୍ମୁଖୀନ ହେବାକୁ କହିପାରନ୍ତି ।

ସମ୍ବନ୍ଧିତ ଖବର