ନୂଆଦିଲ୍ଲୀ: ଜଷ୍ଟିସ୍ ହିମା କୋହଲି ଓ ଜଷ୍ଟିସ୍ ବିଭି ନାଗରତ୍ନାଙ୍କ ବେଞ୍ଚ ପାସ୍ କରିଥିବା ଏକ ରାୟକୁ ପ୍ରତ୍ୟାହାର କରିବା ପାଇଁ କେନ୍ଦ୍ର ସରକାର ପ୍ରଧାନବିଚାରପତିଙ୍କୁ ମୌଖିକ ଭାବେ ଆବେଦନ କରିଥିବାରୁ ଏହାକୁ ନେଇ ଜଷ୍ଟିସ୍ ନାଗରତ୍ନା କେନ୍ଦ୍ର ସରକାରଙ୍କୁ ଭର୍ତ୍ସନା କରିଛନ୍ତି। ଜଷ୍ଟିସ୍ ନାଗରତ୍ନା କହିଲେ ଯେ, ଲିଖିତ ଭାବେ ଆବେଦନ ନ କରି କେନ୍ଦ୍ର ସରକାର ଗୋଟିଏ ବେଞ୍ଚର ରାୟ ଉପରେ ହସ୍ତକ୍ଷେପ କରିବା ପାଇଁ ପ୍ରଧାନବିଚାରପତିଙ୍କୁ ଅନୁରୋଧ କରିବା ଦୁର୍ଭାଗ୍ୟଜନକ। ଏପରି ପୂର୍ବ-ଦୃଷ୍ଟାନ୍ତ ଯଦି ରହିଯାଏ, ତେବେ ଏହା କୋର୍ଟ ବ୍ୟବସ୍ଥାକୁ ନଷ୍ଟ କରିବ। ଯଦି କେନ୍ଦ୍ର ସରକାର ଏପରି କରିବେ, ତେବେ ଅନ୍ୟମାନେ ମଧ୍ୟ ସେପରି କରିବା ଆରମ୍ଭ କରିଦେବେ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ଉପସ୍ଥିତ ଅତିରିକ୍ତ ସଲିସିଟର ଜେନେରାଲ (ଏଏସ୍ଜି) ଐଶ୍ବର୍ଯ୍ୟା ଭଟ୍ଟିଙ୍କୁ ନାଗରତ୍ନା କହିଥିଲେ। ସେ ପୁଣି କହିଲେ ଯେ ସୁପ୍ରିମ୍କୋର୍ଟଙ୍କ ପ୍ରତ୍ୟେକ ବେଞ୍ଚ ହେଉଛି ସୁପ୍ରିମ୍କୋର୍ଟ।
ସୂଚନାଯୋଗ୍ୟ, ଗତ ସୋମବାର (ଅକ୍ଟୋବର ୯) ଜଷ୍ଟିସ କୋହଲି ଓ ନାଗରତ୍ନାଙ୍କ ବେଞ୍ଚ ଜଣେ ବିବାହିତା ମହିଳାଙ୍କ ୨୬ ସପ୍ତାହର ଗର୍ଭ ନଷ୍ଟ କରିବା ପାଇଁ ଅନୁମତି ଦେଇଥିଲେ। ମହିଳାଙ୍କୁ ଦିଲ୍ଲୀ ଏମ୍ସକୁ ଯାଇ ଗର୍ଭପାତ କରାଇବାକୁ ପରାମର୍ଶ ଦେଇଥିଲେ। ତେବେ ଗତକାଲି ଏଏସ୍ଜି ଭଟ୍ଟି ସିଜେଆଇ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଆଗରେ ଉକ୍ତ ରାୟ ବିରୋଧରେ ମୌଖିକ ଆବେଦନ କରିଥିଲେ। ସେ ଯୁକ୍ତି କରିଥିଲେ ଯେ ଡାକ୍ତରମାନେ କହୁଛନ୍ତି ଗର୍ଭସ୍ଥ ଶିଶୁଟି ଜୀବନ୍ତ ଜନ୍ମ ହେବାର ସମ୍ଭାବନା ଅଛି, ତେଣୁ ଏ ଅବସ୍ଥାରେ ତାକୁ ନଷ୍ଟ କରିବା ଠିକ୍ ହେବ ନାହିଁ। ଏହାର ଉତ୍ତରରେ ସିଜେଆଇ ଚନ୍ଦ୍ରଚୂଡ଼ ଏଥିପାଇଁ ଲିଖିତ ଆବେଦନ କରିବା ପାଇଁ କହିଥିଲେ ଏବଂ ସେହି ଜଷ୍ଟିସ୍ କୋହଲି ଓ ନାଗରତ୍ନାଙ୍କ ବେଞ୍ଚକୁ ଆଜି ଏହାର ପୁନର୍ବାର ଶୁଣାଣି କରିବା ପାଇଁ ଆଦେଶ ଦେଇଥିଲେ। ଆଜି ଏହି ମାମଲାର ଶୁଣାଣି କରିବା ବେଳେ ଜଷ୍ଟିସ୍ ନାଗରତ୍ନା ଏଏସ୍ଜି ଭଟ୍ଟିଙ୍କୁ ପଚାରିଥିଲେ, ସେ ଲିଖିତ ଆବେଦନ ନ କରି ପ୍ରଧାନବିଚାରପତିଙ୍କୁ ହସ୍ତକ୍ଷେପ କରିବା ପାଇଁ କାହିଁକି କହିଲେ? ଏଏସ୍ଜି ଭଟ୍ଟି ତାଙ୍କର ଏହି କାର୍ଯ୍ୟ ପାଇଁ କ୍ଷମା ପ୍ରାର୍ଥନା କରିବା ସହ ମାମଲାର ଜରୁରୀ ଶୁଣାଣିର ଆବଶ୍ୟକତା ଥିବାରୁ ସେ ଲିଖିତ ପ୍ରକ୍ରିୟା ଭିତରକୁ ନ ଯାଇ ମୌଖିକ ଅନୁରୋଧ କରିଥିବା କହିଥିଲେ। କାରଣ ଗତକାଲି ହିଁ ଗର୍ଭପାତ ପାଇଁ ଡାକ୍ତରଙ୍କ ପାଖକୁ ଯିବାକୁ ତାଙ୍କ ଖଣ୍ଡପୀଠ ଆଦେଶ ଦେଇଥିଲେ।