ପ୍ରତ୍ୟେକ ଭାରତୀୟ ଆରଏସ୍‌ଏସ୍‌ରେ ସାମିଲ ହେବା ବାଧ୍ୟତାମୂଳକ ହେଉ: ହରିଆଣା ମନ୍ତ୍ରୀ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ପକ୍ଷରୁ ଜୁନ ୭ରେ ଅନିଷ୍ଠିତ ହେବାକୁ କାର୍ଯ୍ୟକ୍ରମରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଯିବା ନେଇ ବିବାଦ ଚାଲିଥିବା ବେଳେ ହରିଆଣା ସରକାରଙ୍କ ଜଣେ ମନ୍ତ୍ରୀ ଅନିଲ ଭିଜ କହିଛନ୍ତି, ଭାରତୀୟଙ୍କୁ ଆରଏସଏସରେ ଆସିବା ବାଧ୍ୟତାମୂଳକ ହେବା ଦରକାର। ଏହି ପୂରା ବିବାଦ ଉପରେ ଅନିଲ ଭିଜ କହିଛନ୍ତି, ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଆରଏସଏସ କାର୍ଯ୍ୟକ୍ରମରେ ଆସିବା ନେଇ ହୋଇଥିବା ନିଷ୍ପତ୍ତିର ପ୍ରଶଂସା ହେବା ଦରକାର। ଆରଏସଏସ ଏକ ରାଷ୍ଟ୍ରବାଦୀ ସଂଗଠନ, ଯାହାକି ବ୍ୟକ୍ତି ଚରିତ୍ର ନିର୍ମାଣରେ ସହାୟକ ହୋଇଥାଏ। ଅନିଲ ଭିଜ ଦାବି କରିଛନ୍ତି ଯେ, ଦେଶର ପ୍ରତ୍ୟେକ ବ୍ୟକ୍ତିଙ୍କୁ ଥରଟିଏ ଲେଖାଏଁ ଆରଏସଏସରେ ଯିବା ବାଧ୍ୟତାମୂଳକ କରି ଦିଆଯିବା ଦରକାର।

ସୂଚନାଯୋଗ୍ୟ ହରିଆଣା ସରକାରରେ ସ୍ୱାସ୍ଥ୍ୟମନ୍ତ୍ରୀ ଅନିଲ ଭିଜ ନିଜର ବୟାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ନିକଟରେ ସେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ନିପା ଭାଇରସ ସହିତ ତୁଳନା କରିଥିଲେ। ଅନିଲ କହିଥିଲେ, ‘ରାହୁଲ ଗାନ୍ଧି ନିପା ଭାଇରସ ଭଳି, ଯେଉଁ ଲୋକ ତାଙ୍କ ସମ୍ପର୍କରେ ଆସିବେ, ତାଙ୍କୁ ରାହୁଲ ବର୍ବାଦ କରିଦେବେ।’ ଏହା ପୂର୍ବରୁ ଅନିଲ ତାଜମହଲକୁ ‘ଖୁବସୁନ୍ଦର କବ୍ରସ୍ତାନ’ କହି ବିବାଦ ଘେରକୁ ଆସିଥିଲେ।

ଏକଦା ଅନିଲ କହିଥିଲେ, ମହାତ୍ମା ଗାନ୍ଧିଙ୍କ ଫଟୋ ଖଦୀକୁ ସାହାଯ୍ୟ କରୁନାହିଁ। ଅନିଲଙ୍କ ଏହି ବୟାନ ପରବର୍ତ୍ତୀ ସମୟରେ ବିବାଦ ଦେଖାଯାଇଥିଲା। ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଛାତ୍ରୀ ଗୁରମେହର କୌରଙ୍କ ସମର୍ଥନ କରୁଥିବା ଲୋକଙ୍କୁ ବି ଅନିଲ ଭିଜ ପାକିସ୍ତାନ ସମର୍ଥକ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର