ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ପ୍ରତିଦିନ ରେକର୍ଡ ଭାଙ୍ଗୁଛି। ଲଗାତାର ୪ ଦିନ ଧରି ଦେଶରେ ସଂକ୍ରମଣ ମାମଲା ୩୦ ହଜାରରୁ ଅଧିକ ରହିଛି। ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ପ୍ରାୟ ୩୯ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସ୍ବାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ମୁତାବକ ଦିନକରେ ୩୮ ହଜାର ୯୦୨ ନୂଆ ମାମଲା ଚିହ୍ନଟ ହୋଇଛି ଏବଂ ୫୪୩ ଜଣଙ୍କ ମୃତ୍ୟୁ ହୋଇଛି। ମୋଟ୍‌ ସଂକ୍ରମଣ ମାମଲା ୧୦ ଲକ୍ଷ ୭୭ ହଜାର ୬୧୮ରେ ପହଞ୍ଚିଛି ଏବଂ ମୃତ୍ୟୁସଂଖ୍ୟା ୨୬ ହଜାର ୮୧୬ ପହଞ୍ଚିଛି। ଦେଶରେ ଟେଷ୍ଟିଂ ଦିନକୁ ଦିନ ଅଧିକ ବଢ଼ିବାରୁ ସଂକ୍ରମଣ ମାମଲା ମଧ୍ୟ ଅଧିକ ରହୁଛି। ଜୁଲାଇ ୧୮ ସୁଦ୍ଧା ଭାରତ ୧ କୋଟି ୩୪ ଲକ୍ଷ ୩୩ ହଜାର ୭୪୨ ନମୁନା ପରୀକ୍ଷା କରିଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୩ ଲକ୍ଷ ୬୧ ହଜାରରୁ ଅଧିକ ନମୁନା ପରୀକ୍ଷା କରିଛି। ଭାରତର ଜନସଂଖ୍ୟ ତୁଳନାରେ ଏକସଂଗେ ଆମେରିକା, ବ୍ରାଜିଲ୍‌, ରୁଷ୍‌, ପେରୁ, ମେକ୍ସିକୋ, ଦକ୍ଷିଣ ଆଫ୍ରିକା, ବ୍ରିଟେନ୍‌, ଇରାନ୍‌ , ପାକିସ୍ତାନ, ସ୍ପେନ୍‌ ପରି ୧୧ ଟି ପ୍ରଭାବିତ ରାଷ୍ଟ୍ରରେ ସଂକ୍ରମଣ ମାମଲା ୮ ଗୁଣା ଅଧିକ ରହିଛି ଏବଂ ମୃତ୍ୟୁ ସଂଖ୍ୟା ମଧ୍ୟ ୧୪ ଗୁଣା ଅଧିକ ରହିଛି।

Advertisment

ଦେଶରେ ସର୍ବାଧିକ ପ୍ରଭାବିତ ମହାରାଷ୍ଟ୍ରରେ ପ୍ରଥମ ମାମଲା ଚିହ୍ନଟ ହେବାର ୧୩୦ ଦିନ ପରେ ସଂକ୍ରମଣ ୩ ଲକ୍ଷ ୯୩୭ରେ ପହଞ୍ଚିଛି। ରାଜ୍ୟରେ ମୃତ୍ୟୁସଂଖ୍ୟା ୧୧ ହଜାର ୫୯୬ରେ ପହଞ୍ଚିଛି। ମହାରାଷ୍ଟ୍ରରେ ମାମଲା ୨ ଲକ୍ଷରୁ ୩ ଲକ୍ଷ ହେବାପାଇଁ ୧୪ ଦିନ ଲାଗିଛି। ତେବେ ପ୍ରଥମ ୧ ଲକ୍ଷ ହେବାପାଇଁ ୯୬ ଦିନ ଲାଗିଥିଲା ଏବଂ ୧ ଲକ୍ଷରୁ ୨ ଲକ୍ଷ ହେବାପାଇଁ ୨୨ ଦିନ ଲାଗିଥିଲା। ତାମିଲନାଡ଼ୁରେ ସଂକ୍ରମଣ ମାମଲା ୧ ଲକ୍ଷ ୬୫ ହଜାର ୭୧୪ ପହଞ୍ଚିଥିବା ବେଳେ ଦିଲ୍ଲୀରେ ୧ ଲକ୍ଷ ୨୧ ହଜାର ୫୮୨ ପହଞ୍ଚିଛି। ତେବେ ସଂକମଣ ମାତ୍ରା ବଢ଼ୁଥିଲେ ମଧ୍ୟ ଦେଶରେ ମୃତ୍ୟୁସଂଖ୍ୟା କମୁଛି। ଦେଶରେ ମୃତ୍ୟୁହାର ଏବେ ୨.୪୯ ପ୍ରତିଶତକୁ ଖସିଆସିଛି ଏବଂ ଏହା ବିଶ୍ବରେ ସବୁଠୁ କମ୍‌ ବୋଲି ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

ଦିଲ୍ଲୀ-ମୁମ୍ବାଇରେ ଗୋଷ୍ଠୀ ସଂକ୍ରମଣର ପ୍ରମାଣ ମିଳିସାରିଛି
ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଭୟଙ୍କର ରୂପ ନେଇଛି ଏବଂ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଯାଇଛି ବୋଲି ଗତକାଲି ଆଇଏମ୍‌ଏ ହସ୍ପିଟାଲ ବୋର୍ଡ ଅଧ୍ୟକ୍ଷ ଡ. ବି.କେ. ମୋଙ୍ଗାଙ୍କ ବୟାନକୁ ସାର୍‌ ଗଂଗାରାମ ହସ୍ପିଟାଲର ଅଧ୍ୟକ୍ଷ ଦୃଢ଼ ସମର୍ଥନ କରିଛନ୍ତି। ଦିଲ୍ଲୀ ଏବଂ ମୁମ୍ବାଇର କେତେକ ଅଂଚଳରେ ଗୋଷ୍ଠୀ ସଂକ୍ରମଣର ପ୍ରମାଣ ମିଳିସାରିଛି ବୋଲି ସେ କହିଛନ୍ତି। ତେଣୁ ଦେଶର ବିଭିନ୍ନ ଅଂଚଳରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇସାରିଛି ବୋଲି ଏଥିରୁ ଆକଳନ କରାଯାଉଛି।