ଲକ୍ଷ୍ନୌ: ଶନିବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପାକିସ୍ତାନକୁ ଚେତାବନୀ ଦେଇ କହିଛନ୍ତି ଯେ, ପଡ଼ୋଶୀ ଦେଶର ପ୍ରତ୍ୟେକ ଇଞ୍ଚ ବ୍ରହ୍ମୋସ୍ କ୍ଷେପଣାସ୍ତ୍ର ପରିସର ମଧ୍ୟରେ ରହିଛି। ଅପରେସନ୍ ସିନ୍ଦୂର ସମୟରେ ବ୍ରହ୍ମୋସ୍ର କ୍ଷମତା ପ୍ରମାଣିତ ହୋଇଥିଲା। ଅପରେସନ୍ ସିନ୍ଦୂରରେ ଯାହା ଘଟିଲା ତାହା କେବଳ ଏକ ଟ୍ରେଲର ଥିଲା। ତେବେ ସେହି ଟ୍ରେଲର ପାକିସ୍ତାନକୁ ହୃଦୟଙ୍ଗମ କରାଇଲା ଯେ, ଯଦି ଭାରତ ପାକିସ୍ତାନକୁ ଜନ୍ମ ଦେଇପାରେ, ତେବେ ଏହା ଆଉ କ’ଣ କରିପାରିବ ସେ ବିଷୟରେ ଆଉ କିଛି କହିବାର ଆବଶ୍ୟକତା ନାହିଁ। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ରାଜନାଥ ଲକ୍ଷ୍ନୌର ଏରୋସ୍ପେସ୍ ସଂସ୍ଥାରେ ସ୍ୱଦେଶୀ ଉତ୍ପାଦିତ ବ୍ରହ୍ମୋସ୍ କ୍ଷେପଣାସ୍ତ୍ରର ପ୍ରଥମ ବ୍ୟାଚ୍କୁ ପତାକା ଦେଖାଇ ଶୁଭାରମ୍ଭ କରିବା ପରେ ଏହି ମନ୍ତବ୍ୟ ଦେଇଛନ୍ତି।
ପ୍ରତିରକ୍ଷା ମନ୍ତ୍ରୀ ଆହୁରି କହିଛନ୍ତି ଯେ, ବ୍ରହ୍ମୋସ୍ ଭାରତୀୟ ସଶସ୍ତ୍ର ବାହିନୀର ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ। ସ୍ୱପ୍ନକୁ ବାସ୍ତବତାରେ ପରିଣତ କରାଯାଇପାରିବ ବୋଲି ଦେଶର ବିଶ୍ୱାସ ରହିଛି। ଲକ୍ଷ୍ନୌର ସରୋଜିନୀ ନଗରସ୍ଥିତ ଏହାର ନୂତନ ଇଣ୍ଟିଗ୍ରେସନ ଓ ପରୀକ୍ଷଣ ସୁବିଧାରୁ ବ୍ରହ୍ମୋସ୍ ଏରୋସ୍ପେସ୍ କ୍ଷେପଣାସ୍ତ୍ର ପ୍ରଣାଳୀର ପ୍ରଥମ ବ୍ୟାଚ୍ ସଫଳତାର ସହ ଉତ୍ପାଦନ କରିଛି ବୋଲି ଏକ ସରକାରୀ ବିବୃତିରେ କୁହାଯାଇଛି। ମେ ୧୧ ତାରିଖରେ ଉଦ୍ଘାଟିତ ହୋଇଥିବା ଏହି ଅତ୍ୟାଧୁନିକ ୟୁନିଟ୍ରେ କ୍ଷେପଣାସ୍ତ୍ର ଏକୀକରଣ, ପରୀକ୍ଷଣ ଓ ଚୂଡ଼ାନ୍ତ ଗୁଣବତ୍ତା ଯାଞ୍ଚ ପାଇଁ ସମସ୍ତ ଆଧୁନିକ ସୁବିଧା ରହିଛି। ସଫଳ ପରୀକ୍ଷଣ ପରେ କ୍ଷେପଣାସ୍ତ୍ରଗୁଡ଼ିକୁ ଭାରତୀୟ ସଶସ୍ତ୍ର ବାହିନୀ ଦ୍ୱାରା ମୁତୟନ କରାଯିବ। ରାଜନାଥ ସିଂହ କହିଛନ୍ତି ଯେ ଲକ୍ଷ୍ନୌ କେନ୍ଦ୍ରରୁ ପ୍ରତିବର୍ଷ ପ୍ରାୟ ୧୦୦ କ୍ଷେପଣାସ୍ତ୍ର ପରୀକ୍ଷଣ କରାଯିବ ଓ ସେଗୁଡିକ ତିନି ସେନାକୁ ଯୋଗାଇ ଦିଆଯିବ।
ଏହି ବ୍ରହ୍ମୋସ୍ ନିର୍ମାଣ କେନ୍ଦ୍ର ପ୍ରାୟ ୨୦୦ ଏକର ଜମିରେ ନିର୍ମିତ ହୋଇଛି ଏବଂ ଏହା ଶହ ଶହ ଲୋକଙ୍କୁ ନିଯୁକ୍ତି ଯୋଗାଇବ। ତେଜସ୍ ବିମାନର ଇଞ୍ଜିନ୍ ଯୋଗାଣରେ ବିଳମ୍ବକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ଆଜି ଆମେରିକାକୁ ପରୋକ୍ଷ ସମାଲୋଚନା କରିଛନ୍ତି। ବ୍ରହ୍ମୋସର ଷ୍ଟେଲ୍ଥ ଟେକ୍ନୋଲୋଜି ଓ ଉନ୍ନତ ଏମ୍ବେଡେଡ୍ ସଫ୍ଟୱେର୍ ସହିତ ମାର୍ଗଦର୍ଶନ ପ୍ରଣାଳୀ ଏହାକୁ ଅନନ୍ୟ କରିଥାଏ। ଏହାର ସୁପରସୋନିକ୍ ବେଗ ସହିତ ୨୯୦ କିଲୋମିଟର ପର୍ଯ୍ୟନ୍ତ ରେଞ୍ଜ ରହିଛି। ବିଶ୍ୱର ଯେକୌଣସି ଜଣାଶୁଣା ଅସ୍ତ୍ରଶସ୍ତ୍ର ପ୍ରଣାଳୀ ଏହାକୁ ବାଧା ଦେଇ ପାରିବ ନାହିଁ।