ନୂଆଦିଲ୍ଲୀ: ଭାରତରେ ନିର୍ମିତ ଦୁଇଟି କୋଭିଡ୍‌-୧୯ ଟିକା ଦେଶର ‘ଡ୍ରଗ୍‌ କଣ୍ଟ୍ରୋଲର୍‌’ଙ୍କ ଅନୁମୋଦନ ପାଇଥିବାରୁ ପ୍ରତ୍ୟେକ ଭାରତୀୟ ଗର୍ବିତ ବୋଲି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।

Advertisment

ଭାରତରେ ବ୍ୟବହାର ନିମନ୍ତେ ଟିକା ଦୁଇଟିକୁ ଔପଚାରିକ ସ୍ୱୀକୃତି ମିଳିବାର କିଛି ମୁହୂର୍ତ୍ତ ପରେ ଟୁଇଟ୍‌ କରି ପ୍ରଧାନମନ୍ତ୍ରୀ ମୋଦୀ ଲେଖିଛନ୍ତି, ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମୋଦିତ ଟିକା ଦୁଇଟି ଭାରତରେ ତିଆରି ହୋଇଥିବା ଜାଣି ପ୍ରତ୍ୟେକ ଭାରତୀୟ ଗର୍ବ ଅନୁଭବ କରିବେ। ଏଥିରୁ ‘ଆତ୍ମନିର୍ଭର ଭାରତ’ ସ୍ୱପ୍ନ ସାକାର କରିବା ନିମନ୍ତେ ଆମ ବୈଜ୍ଞାନିକ ସମ୍ପ୍ରଦାୟଙ୍କ ବ୍ୟଗ୍ରତା ଜଣାପଡୁଛି। ଏହା ମୂଳରେ ରହିଛି ସେବା ଓ ସମବେଦନା।

publive-image Image Courtesy of India Today

ସେ ଟୁଇଟ୍‌ରେ ଆହୁରି ମଧ୍ୟ ଲେଖିଛନ୍ତି, ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଡାକ୍ତର, ଡାକ୍ତରଖାନା କର୍ମଚାରୀ, ବୈଜ୍ଞାନିକ, ପୁଲିସ କର୍ମଚାରୀ, ପରିମଳ କର୍ମଚାରୀ ଏବଂ ସମସ୍ତ କରୋନ ଯୋଦ୍ଧାଙ୍କୁ ଆମେ ପୁନର୍ବାର କୃତଜ୍ଞତା ଜ୍ଞାପନ କରୁଛୁ। ବହୁ ଜୀବନ ବଞ୍ଚାଇଥିବାରୁ ଆମେ ଚିରକାଳ ସେମାନଙ୍କ ନିକଟରେ କୃତଜ୍ଞ।

ଆଜିର ଟିକା ଅନୁମୋଦନ କଥାକୁ ସେ ଏକ ସ୍ୱାସ୍ଥ୍ୟକର ଓ କୋଭିଡ୍‌ମୁକ୍ତ ଦେଶ ନିମନ୍ତେ ସୁଗମ ପଥ ନିମନ୍ତେ ନିର୍ଣ୍ଣାୟକ ମୋଡ଼ ବୋଲି କହିଛନ୍ତି।
କୋଭିଡ୍‌-୧୯ ବିରୋଧୀ ଦୁଇଟି ଟିକା, ‘ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ର କୋଭିସିଲ୍‌ଡ୍‌‌‌’ ଏବଂ ‘ଭାରତ ବାୟୋଟେକ୍‌ର କୋଭାକ୍ସିନ୍‌’ ଆଜି ‘ଡ୍ରଗ୍‌ କଣ୍ଟ୍ରୋଲର୍‌ ଅଫ୍‌ ଇଣ୍ଡିଆ’ ଭିଜି ସୋମାନିଙ୍କ ଜରୁରୀକାଳୀନ ଅନୁମୋଦ ପାଇଛନ୍ତି। ନୂଆଦିଲ୍ଲୀରେ ସୋମାନି ଗଣମାଧ୍ୟମକୁ କହିଛନ୍ତି, ଦୁଇ କମ୍ପାନି ଚଳାଇଥିବା ପରୀକ୍ଷଣର ତଥ୍ୟାବଳୀ ଦାଖଲ କରିଥିବାରୁ ‘ସୀମିତ ବ୍ୟବହାର’ ନିମନ୍ତେ ସେମାନଙ୍କୁ ଅନୁମତି ପ୍ରଦାନ କରାଯାଇଛି।