ନୂଆଦିଲ୍ଲୀ : ପଞ୍ଜାବ ଡି ୱାରିସ’ର ମୁଖ୍ୟ ଅମୃତପାଲ ସିଂହକୁ ନେଇ ପ୍ରତିଦିନ ବିଭିନ୍ନ ପ୍ରକାର ଖବର ସାମ୍ନାକୁ ଆସୁଛି। ପଞ୍ଜାବ ପୁଲିସ ତାର ବିରୋଧରେ ଲଗାତାର କାର୍ଯ୍ୟାନୁଷ୍ଠାନ ନେଉଛି। ପୁଲିସ ତାର ଅନେକ ସମର୍ଥକଙ୍କୁ ମଧ୍ୟ ଗିରଫ କରିଛି।
ଏହି ଘଟଣାକୁ ନେଇ ଅର୍ଥାତ ଅମୃତପାଲ ସିଂହ ମାମଲାର ଶୁଣାଣି କରି ପଞ୍ଜାବ ଓ ହରିୟାଣା ହାଇକୋର୍ଟ ପଞ୍ଜାବ ସରକାରଙ୍କୁ ଆକ୍ଷେପ କରିଛନ୍ତି। ଆଉ କହିଛନ୍ତି, ଅମୃତପାଲ ସିଂହକୁ ଛାଡ଼ି ଦେଲେ ସମସ୍ତେ ଗିରଫ ହୋଇଛନ୍ତି। ଏବେ ବି ଅମୃତପାଲକୁ ପୁଲିସ ଧରି ପାରିନାହିଁ। ସେ ଫେରାର ରହିଛି। ତେବେ ୮୦ହଜାର ପୁଲିସ ଅମୃତପାଲ ଫେରାର ହେବା ସମୟରେ କ’ଣ କରୁଥିଲେ? ଏତେଦିନ ବିତି ଯାଇଥିଲେ ବି ଅମୃତପାଲକୁ ଧରିପାରୁନାହନ୍ତି, ପୁଲିସ ଏବେ କ’ଣ କରୁଛନ୍ତି? ଦେଖିବାକୁ ଗଲେ ପଞ୍ଜାବ ସରକାରଙ୍କ ଗୁଇନ୍ଦା ବିଭାଗ ବି ସମ୍ପୂର୍ଣ୍ଣ ଭାବେ ଫେଲ ମାରିଛି।
ଉଲ୍ଲେଖଯୋଗ୍ୟ, ସୋମବାର ଅମୃତପାଲଙ୍କ ପୋଷାକ ଓ କାର୍ ମିଳିବା ପରେ ପଞ୍ଜାବ ପୁଲିସ୍ ସନ୍ଦେହ କରୁଛି ଯେ ସେ ସୀମା ପାର୍ ହୋଇ ପଞ୍ଜାବ ବାହାରକୁ ଯାଇଥାଇ ପାରେ।
ପୁଲିସ୍ ସୂଚନା ଦେଇ କହିଛି,‘ ଯେ ଅମୃତପାଲ ସିଂ ଏକ ମର୍ସିଡିଜରୁ ଓହ୍ଲାଇ ଏକ ବ୍ରେଜା ଗାଡ଼ିରେ ଶାହକୋଟକୁ ପଳାଇଥିଲା। ପରେ, ୱାରିସ୍ ପଞ୍ଜାବ ଦେ ମୁଖ୍ୟ ତା’ର ପୋଷାକ ବଦଳାଇଥିଲା। ହୁଏତ ସେ ତା’ର କେଉଁ ସହଯୋଗୀ ସହ ମୋଟରସାଇକେଲରେ ପଞ୍ଜାବରୁ ଖସି ପଳାଇଛି।
ପୁଲିସ ଏବେ ଅମୃତପାଲ ସିଂର ପୋଷାକ, ବ୍ରେଜା କାର ଏବଂ କିଛି ଅସ୍ତ୍ରଶସ୍ତ୍ର ଜବତ କରିଛି। ଅମୃତପାଲ ଓ ତା’ସହ କେତେକ ଖାଲିସ୍ତାନୀ ବିଚ୍ଛିନ୍ନତାବାଦୀଙ୍କୁ ପଳାଇବାରେ ସାହାଯ୍ୟ କରିଥିବା ଅନେକ ଲୋକଙ୍କୁ ପୁଲିସ ଅଟକ ରଖିଛି।
ଅମୃତପାଲ ସିଂ ଏବଂ ତା’ର ସମର୍ଥକମାନେ ଥାନାରେ ବନ୍ଦୀ ହୋଇ ଥିବା ତା’ର ଜଣେ ସାହାଯ୍ୟକାରୀଙ୍କୁ ମୁକ୍ତ କରିବା ପାଇଁ ଖଣ୍ଡା ଏବଂ ବନ୍ଧୁକ ଧରି ପୁଲିସ ଷ୍ଟେସନରେ ଆକ୍ରମଣ କରିବାକୁ ଏକ ମାସ ବିତି ସାରିଲାଣି। ପୁଲିସ୍ ସେହି ଘଟଣା ପରେ କିଛି କଟକଣା ଜାରି କରିଛି। ଜାରି ହୋଇଥିବା କଟକଣା ସମୟରେ ଅମୃତପାଲର ୧୦୦ରୁ ଅଧିକ ସହଯୋଗୀଙ୍କୁ ଗିରଫ କରାଯାଇଛି ଏବଂ “ଆନନ୍ଦପୁର ଖାଲସା ଫ୍ରଣ୍ଟ” ପାଇଁ ଉଦ୍ଦିଷ୍ଟ ଅନେକ ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରାଯାଇଛି।