ମୁର୍ମୁଙ୍କ ପ୍ରାର୍ଥିତ୍ବକୁ ସମସ୍ତେ ପ୍ରଶଂସା କରିଛନ୍ତି: ମୋଦୀ

ୱାଇଏସ୍‌ଆର୍‌ କଂଗ୍ରେସର ସମର୍ଥନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ନାମାଙ୍କନପତ୍ର ଦାଖଲର ଅବ୍ୟବହିତ ପୂର୍ବରୁ ସାକ୍ଷାତ କରିଛନ୍ତି। ମୋଦୀ ତାଙ୍କୁ କହିଲେ ଯେ ତାଙ୍କର ପ୍ରାର୍ଥିତ୍ବକୁ ଭାରତ ସାରା ସବୁ ବର୍ଗର ଲୋକେ ପ୍ରଶଂସା କରିଛନ୍ତି। ଏହାପରେ ପ୍ରଧାନମନ୍ତ୍ରୀ ଏକ ଟ୍ବିଟ୍‌ କରି କହିଛନ୍ତି ଯେ ମୁର୍ମୁ ତୃଣମୂଳ ସ୍ତରର ସମସ୍ୟାକୁ ଭଲଭାବେ ବୁଝନ୍ତି ଏବଂ ଭାରତର ବିକାଶ ପାଇଁ ତାଙ୍କର ଦୃଷ୍ଟିକୋଣ ଉଲ୍ଲେଖନୀୟ। ବିଜେପି ଜାତୀୟ ଅଧ୍ୟକ୍ଷ ଜେପି ନଡ୍ଡା ମୁର୍ମୁଙ୍କ ପ୍ରାର୍ଥିତ୍ବ ବିଷୟରେ ଘୋଷଣା କରିବା ପରେ ପରେ ମଧ୍ୟ ମୋଦୀ ଟ୍ବିଟ୍ କରିଥିଲେ- ନିଜ ଜୀବନକୁ ସମାଜସେବା ଓ ଦଳିତ-ବଞ୍ଚିତଙ୍କ ସେବାରେ ନିୟୋଜିତ କରିଥିବା ପୂର୍ବତନ ଝାଡ଼ଖଣ୍ଡ ରାଜ୍ୟପାଳ ‘ମହାନ ରାଷ୍ଟ୍ରପତି’ ହେବେ।

ୱାଇଏସ୍‌ଆର୍‌ କଂଗ୍ରେସର ସମର୍ଥନ

ନୂଆଦିଲ୍ଲୀ: ବିଜେପି ନେତୃତ୍ବାଧୀନ ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଏକ ସହଜ ବିଜୟ ଆଡ଼କୁ ଅଗ୍ରସର ହେଉଛନ୍ତି। ଆଜି ଆନ୍ଧ୍ର ପ୍ରଦେଶର ୱାଇଏସ୍‌ଆର୍‌ କଂଗ୍ରେସ ପାର୍ଟି ମୁର୍ମୁଙ୍କ ପ୍ରାର୍ଥିତ୍ବକୁ ସମର୍ଥନ କରିଛି। ମୁର୍ମୁ ଜଣେ ମହାନ ରାଷ୍ଟ୍ରପତି ହେବେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବୟାନକୁ ୱାଇଏସ୍‌ଆର୍‌ସିପି ସାଧାରଣ ସଂପାଦକ ବିଜୟସାଇ ରେଡ୍ଡି ସମର୍ଥନ କରିବା ସହ ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସୂଚନାଯୋଗ୍ୟ, ମୋଟ ୧୦୮୩୪୩୧ ଭୋଟ୍‌ ମୂଲ୍ୟରୁ ଏନ୍‌ଡିଏ ପାଖରେ ୪୯ ପ୍ରତିଶତ ଭୋଟ୍‌ (୫,୩୨,୩୫୧) ମୂଲ୍ୟ ରହିଛି। ମୁର୍ମୁଙ୍କୁ ସମର୍ଥନ କରୁଥିବା ବିଜେଡି ପାଖରେ ୩୧୬୮୬ ଭୋଟ୍‌ ଥିବା ବେଳେ ୱାଇଏସ୍‌ଆର୍‌ସିପି ହାତରେ ୪୫,୫୫୦ ଭୋଟ୍‌ ଅଛି। ଏଆଇଏଡିଏମ୍‌କେ ପାଖରେ ୧୪,୯୪୦ ଭୋଟ୍‌ ରହିଛି। ଅନ୍ୟପକ୍ଷରେ ତେ‌ଲୁଗୁ ଦେଶମ ପାର୍ଟି, ବହୁଜନ ସମାଜ ପାର୍ଟି ଏବଂ ଶିରୋମଣି ଅକାଳି ଦଳ ମଧ୍ୟ ମୁର୍ମୁଙ୍କୁ ସମର୍ଥନ କରିବା ସମ୍ଭାବନା ରହିଛି। ଏଭଳି ସ୍ଥିତିରେ ମୁର୍ମୁ ଏକ ବଡ଼ ବିଜୟ ହାସଲ କରିବେ ବୋଲି କୁହାଯାଉଛି ।

ସମ୍ବନ୍ଧିତ ଖବର