କୋଜିକୋଡ ବିମାନ ଦୁର୍ଘଟଣା : ରନୱେ ତଳକୁ ଖସୁ ଥିବା ବେଳେ ବିମାନ ଭିତରେ କିଭଳି ଥିଲା ଯାତ୍ରୀଙ୍କ ଅବସ୍ଥା ? ବର୍ଣ୍ଣନା କଲେ ଅଳ୍ପକେ ବର୍ତ୍ତି ଯାଇଥିବା ଯାତ୍ରୀ

ଥିରୁବନନ୍ତପୁରମ୍: ଶୁକ୍ରବାର ସନ୍ଧ୍ୟା ସମୟରେ କେରଳର କୋଝିକୋଡ଼ଠାରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ଖବର ପାଇ ଦେଶବାସୀଙ୍କ ଲୋମଟାଙ୍କୁରି ଉଠିଥିଲା | ଯେଉଁଭଳି ଭାବରେ ବିମାନଟି ଦୁଇ ଫଳ ହୋଇଯାଇଥିଲା, ତାହାର ଅନେକ ଫଟୋ ସଙ୍ଗେ ସଙ୍ଗେ ସୋସିଆଲ ମିଡ଼ିଆରେ ଭାଇରଲ ହେବାରେ ଲାଗିଥିଲା | ତେବେ ସୌଭାଗ୍ୟବଶତଃ ବିମାନରେ ନିଆଁ ଲାଗି ନଥିବାରୁ ଅନେକଙ୍କ ଜୀବନ ବଞ୍ଚିଯାଇଥିବା ନେଇ ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି | ଦୁର୍ଘଟଣା ପରର ଅନେକ ସୂଚନା ସାମ୍ନାକୁ ଆସିଥିବା ବେଳେ ଏବେ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଥିବା ଯାତ୍ରୀ ସେମାନଙ୍କର ଅନୁଭୂତି ବର୍ଣ୍ଣନା କରିଛନ୍ତି |

ndtv

ଦୁର୍ଘଟଣାରୁ ଅଳ୍ପକେ ବଞ୍ଚିଯାଇଥିବା ଜଣେ ଯାତ୍ରୀ ଦୁର୍ଘଟଣା ସମୟରେ ବିମାନ ଭିତରର ଲୋମଟାଙ୍କୁରା ଅନୁଭୂତି ବଖାଣିଛନ୍ତି | ତାଙ୍କ କହିବା ମୁତାବକ, ପୂର୍ବରୁ ଆମକୁ ଅବତରଣରେ ସମସ୍ୟା ହେଉଥିବା ବିଷୟରେ ଜଣା ନ ଥିଲା | ଶେଷରେ ଯେତେବେଳେ ବିମାନଟି ଅବତରଣ କଲା ସେତେବେଳେ ଜୋରରେ ଶବ୍ଦ କରି ଆଗକୁ ମାଡି ଚାଲିଲା | ଏହା ପରେ କେହି କିଛି ବୁଝିବା ପୂର୍ବରୁ ବିମାନଟି ତଳକୁ ଖସିବା ଭଳି ଅନୁଭବ ହେଲା | ଭିତରେ ଥିବା ସମସ୍ତ ଯାତ୍ରୀ ନିଜ ଜୀବନ ବଞ୍ଚାଇବାକୁ ଯାଇ ନିଜର ଆଗ ସିଟକୁ ଜୋରରେ ଜାବୁଡି ଧରିଥିଲେ | ଏ ମଧ୍ୟରେ ବିମାନଟି ଦୁଇ ଫାଳ ହୋଇଯାଇଥିଲା | ଚାରି ଆଡ଼େ ରକ୍ତର ଛିଟା ପଡିଥିବା ବେଳେ ବିମାନ ଭିତର ଅନ୍ଧାର ହୋଇ ଯାଇଥିଲା।  ଲୋକଙ୍କ କାନ୍ଦବୋବାଳି ଓ ବିକଳ ଚିତ୍କାର ଶୁଣା ଯାଇଥିଲା | ଏ ଭିତରେ କେହି ଜଣେ କହିଲେ ଯେ ଦୁଇ ଜଣ ପାଇଲଟଙ୍କ ମୃତ୍ୟୁ ହୋଇଛି | ଘଟଣା ପରେ ଆମକୁ ଡାକ୍ତରଖାନା ଅଣାଯାଇଥିଲା, ଯାହା ପରେ ଆଜି ଆମେ ୧୮ଜଣଙ୍କର ମୃତ୍ୟୁ ହୋଇଥିବା ଜାଣିବାକୁ ପାଇଛୁ |

ସମ୍ବନ୍ଧିତ ଖବର