ନୂଆଦିଲ୍ଲୀ: ଶିକ୍ଷୟତ୍ରୀ ଭାବେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢ଼ିବା ପରେ ରାଜ୍ୟପାଳ ହୋଇ ଦ୍ରୌପଦୀ ମୁର୍ମୁ ରାଜ୍ୟ କଥା ବୁଝିଥିଲେ। ଏବେ ତାଙ୍କର ଯୋଗ୍ୟତାକୁ ଦେଖି ଏନଡିଏ ତାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଚୟନ କରିଛି । ଏହାପରେ ଅନେକ ବିରୋଧୀ ଦଳ ବିଜେପିକୁ ବିରୋଧ କରୁଥିଲେ ବି ମୁର୍ମୁଙ୍କୁ ସମର୍ଥନ କରୁଥିବା ଦେଖାଯାଇଛି। ତେବେ ଏତେ ବଡ଼ ପଦବୀ ପାଇଁ ପ୍ରାର୍ଥୀ ହେବା ପରେ ତାଙ୍କୁ ଅତି ନିକଟରୁ ଦେଖିଥିବା ତାଙ୍କ ଝିଅ ଇତିଶ୍ରୀ ମୁର୍ମୁ ନିଜର ପ୍ରତିକ୍ରିୟା ରଖିଛନ୍ତି।
ଜାତୀୟ ଗଣମାଧ୍ୟମ ‘ଇଣ୍ଡିଆ ଟୁଡେ’କୁ ସାକ୍ଷାତକାର ଦେଇ ଇତିଶ୍ରୀ ମୁର୍ମୁ କହିଛନ୍ତି ଯେ, ମୋ ମା’ଙ୍କୁ ଯିଏ ଭଲ ଭାବରେ ଜାଣିଯିବ, ସେ ତାଙ୍କୁ ସମର୍ଥନ କରିବ ନିଶ୍ଚୟ। ସେ ମୋ ପାଇଁ ଜଣେ କଠୋର ମା’ ଏବଂ ଶିକ୍ଷୟତ୍ରୀ ଥିଲେ। ମୁଁ ସେ ପଢ଼ାଉଥିବା ସ୍କୁଲରେ ପଢ଼ୁଥିଲି। ସେଥିପାଇଁ ଗୋଟିିଏ ଝିଅ ଓ ଜଣେ ଛାତ୍ରୀ ଭାବରେ ମୋ ଉପରେ ଅଧିକ ଚାପ ରହୁଥିଲା। ମୋ ମା’ ସବୁବେଳେ କ୍ଲାସରେ ପରୀକ୍ଷା କରାଉଥିବାରୁ ମୋ ସାଙ୍ଗମାନେ ମୋ ଉପରେ ଚିଡ଼ୁଥିଲେ। ଉଲ୍ଲେଖଯୋଗ୍ୟ, ଦ୍ରୌପଦୀ ମୁର୍ମୁ ରାଜନୀତିକୁ ଆସିବା ପୂର୍ବରୁ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ଥିବା ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ଶିକ୍ଷକତା କରୁଥିଲେ।
କଂଗ୍ରେସ ଏବଂ ଟିଏମସି ପରି ମହିଳା ନେତୃତ୍ୱାଧୀନ ଦଳ ତାଙ୍କ ମା’ଙ୍କୁ ସମର୍ଥନ କରିବା ଉଚିତ କି ନୁହେଁ ବୋଲି ପଚରାଯିବାରୁ ଇତିଶ୍ରୀ କହିଛନ୍ତି ଯେ ସମସ୍ତ ବିରୋଧୀ ଦଳ ମୋ ମା’ଙ୍କୁ ଅତି ନିକଟରୁ ଜାଣିବା ଉଚିତ୍। ମୁଁ ନିଶ୍ଚିତ ଯେ, ଏଭଳି ହେଲେ ସେମାନେ ମୋ ମା’ଙ୍କୁ ସମର୍ଥନ କରିବେ।
ମା’ ରାଷ୍ଟ୍ରପତି ହେବା ପରେ ବି ଭୁବନେଶ୍ବରରେ ୟୁକୋ ବ୍ୟାଙ୍କରେ ମ୍ୟାନେଜର ଭାବେ କାମ କରୁଥିବା ଇତିଶ୍ରୀ ତାଙ୍କ ଦୁଇ ପିଲାଙ୍କ ସହ ମା ଦ୍ରୌପଦୀ ମୁର୍ମୁଙ୍କ ସହ ରହିବାକୁ ଚାହୁଁଥିବା କହିଛନ୍ତି।