ଜୟପୁର: ବିଜେପି ବିଧାୟକ ଦଳ ବୈଠକରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭାବେ ଭଜନଲାଲ ଶର୍ମାଙ୍କ ନାମକୁ ଅନୁମୋଦନ ମିଳିଛି। ୫୬ ବର୍ଷୀୟ ଭଜନଲାଲ ରାଜସ୍ଥାନର ସାଙ୍ଗନେର ବିଧାନସଭା ଆସନରୁ ନିର୍ବାଚନ ଜିତି ମୁଖ୍ୟମନ୍ତ୍ରୀ ହେବେ।

Advertisment

ଭଜନଲାଲ ଶର୍ମା ଜୟପୁରର ଜବାହର ସର୍କଲରେ ରହୁଥିଲେ ବି ସେ ମୂଳତଃ ଭରତପୁରର ବାସିନ୍ଦା। ସେ ଦୀର୍ଘ ଦିନ ଧରି ବିଜେପିର ସଂଗଠନରେ କାର୍ଯ୍ୟ କରୁଛନ୍ତି। ସେ ଦଳର ରାଜ୍ୟ ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟ କରୁଛନ୍ତି। ଜୟପୁରର ସାଙ୍ଗାନେର ଭଳି ସୁରକ୍ଷିତ ଆସନରୁ ବିଜେପି ତାଙ୍କୁ ପ୍ରଥମ ଥର ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିଥିଲା।

ପୂର୍ବ ବିଧାୟକଙ୍କ ଟିକେଟ କାଟି ଭଜନଲାଲ ଶର୍ମାଙ୍କୁ ପ୍ରାର୍ଥୀ କରାଯାଇଥିଲା। ନିର୍ବାଚନ ଜିତିବା ପରେ ଭଜନଲାଲ ଶର୍ମାଙ୍କ ବାପା  କିସନ ସ୍ବରୂପ କହିଛନ୍ତି, ‘ପୁଅ ମୁଖ୍ୟମନ୍ତ୍ରୀ ହେଲା। ବହୁତ ଖୁସି ଲାଗୁଛି। ସବୁ ଭଗବାନଙ୍କ ଆର୍ଶୀବାଦ। ପୁଅ ମୁଖ୍ୟମନ୍ତ୍ରୀ ହେବ ବୋଲି ଆମେ କେବେ ଆଶା କରି ନଥିଲୁ। କିନ୍ତୁ ଭଗବାନ ଚାହିଁଲେ ଅସମ୍ଭବ ବି ସମ୍ଭବ ହୋଇପାରିଥାଏ। ଯାହାକି ମୋ ପୁଅ ସହିତ ଘଟିଛି।’

ସେହିପରି ଭଜନଲାଲ ଶର୍ମାଙ୍କ ମା’ ଗୋମତି ଦେବୀ କହିଛନ୍ତି, ‘ପୁଅ ମୁଖ୍ୟମନ୍ତ୍ରୀ ହେଲା ନାହିଁ ‌ଯେ ମୋତେ ଜୀବନର ସବୁ ଖୁସି ମିଳିଯାଇଛି। ଯାହା ବଂଶୀ ମହାରାଜ ଓ ବାଲାଜୀ ଭଗବାନଙ୍କ ଆର୍ଶୀବାଦ ହେତୁ ସମ୍ଭବ ହୋଇପାରିଛି। ପୁଅ ମୁଖ୍ୟମନ୍ତ୍ରୀ ହୋଇ ଲୋକଙ୍କ ପାଇଁ ଭଲ କାମ କରିବ ବୋଲି ମୁଁ ଆଶା ରଖିଛି। ପୁଅ ମୋର ବହୁତ ପରିଶ୍ରମୀ। ଲୋକଙ୍କ ପାଇଁ ସେ ଅନେକ କାମ କରିବ।’

ଶର୍ମା ଚଳିତ ଥର ସଙ୍ଗନେରରୁ ବିପୁଳ ବ୍ୟବଧାନରେ ବିଜୟୀ ହୋଇଥିଲେ ଓ କଂଗ୍ରେସପ୍ରାର୍ଥୀ ପୁଷ୍ପେନ୍ଦ୍ର ଭରଦ୍ୱାଜଙ୍କୁ ୪୮,୦୮୧ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ। ଭଜନ ଲାଲ ଶର୍ମା ଉଭୟ ସଂଘ ଓ ବିଜେପି ସଂଗଠନର ଘନିଷ୍ଠ ବୋଲି ବିବେଚନା କରାଯାଏ।