ସବୁକିଛି ଯୋଜନାବଦ୍ଧ ଭାବେ ହୋଇଥିଲା

ମନ୍ଦ୍‌ସୁର ଗଣଦୁଷ୍କର୍ମ

ଇନ୍ଦୋର: ମଧ୍ୟପ୍ରଦେଶର ମନ୍ଦ୍‌ସୁରରେ ୭ ବର୍ଷର ନାବାଳିକା ସହିତ ‘ନିର୍ଭୟା’ ଭଳି କାଣ୍ଡ ଘଟାଇଥିବା ଅଭିଯୁକ୍ତମାନେ ଅତ୍ୟନ୍ତ ଯୋଜନାବଦ୍ଧ ଭାବେ ଏହି ଜଘନ୍ୟ କାର୍ଯ୍ୟ କରିଥିବା ଯାଞ୍ଚରୁ ଜଣାପଡ଼ିଛି। ଅଭିଯୁକ୍ତମାନେ ଶିଶୁଟି ପଢ଼ୁଥିବା ସ୍କୁଲ୍‌ ଉପରେ ଦୀର୍ଘଦିନ ହେଲା ନଜର ରଖିଥିଲେ। ସେମାନେ ଜାଣିଶୁଣି ସେହି ଶିଶୁଟିକୁ ଟାର୍ଗେଟ୍‌ କରିଥିଲେ। ଶିଶୁଟି କମ୍‌ ବୟସ ହୋଇଥିଲେ ଯେଭଳି ଦୁଷ୍କର୍ମକୁ ବିରୋଧ କରିପାରିବ ନାହିଁ ସେଥିପାଇଁ ସେମାନେ ୭ ବର୍ଷର ଶିଶୁକୁ ବାଛିଥିଲେ। ଏହି ଗଣଦୁଷ୍କର୍ମ ଘଟଣା ଦେଶବ୍ୟାପୀ ଆଲୋଡନ ସୃଷ୍ଟି କରିଛି। ଦୋଷୀମାନଙ୍କୁ ଫାଶୀ ଦଣ୍ଡ ଦେବାପାଇଁ ଦାବି କରି ଲୋକ ରାସ୍ତାକୁ ଓହ୍ଲାଇଛନ୍ତି। ଏହି ମାମଲାରେ ଗିରଫ ହୋଇଥିବା ପ୍ରଥମ ଅଭିଯୁକ୍ତ ଇର୍‌ଫାନ (୨୦) କହିଛି ଯେ ଏହି କାଣ୍ଡରେ ତା’ ସହିତ ମନ୍ଦ୍‌ସୁରର ମଦରପୁରାରେ ରହୁଥିବା ଆସିଫ୍‌ ନାମକ ଯୁବକ ସାମିଲ ଥିଲା। ଆଜି ପୁଲିସ ଆସିଫ୍‌୍‌କୁ ମଧ୍ୟ ଗିରଫ କରିବାରେ ସକ୍ଷମ ହୋଇଛି। ଇନ୍ଦୋରରେ ଚିକିତ୍ସିତ ହେଉଥିବା ପୀଡ଼ିତା ଶିଶୁ ଜୀବନ ଓ ମୃତ୍ୟୁ ସହିତ ସଂଘର୍ଷ କରୁଥିବା ବେଳେ ତା’ର ସ୍ୱାସ୍ଥ୍ୟରେ ସାମାନ୍ୟ ସୁଧାର ହୋଇଥିବା ମେଡିକାଲ ସୂତ୍ରରୁ ଜଣାପଡ଼ିଛି। ପୁଲିସ ଯାଞ୍ଚ ଓ ଜେରାରୁ ଏହି ଦୁଷ୍କର୍ମ ମାମଲା ନେଇ ଅନେକ ଛାତିଥରା ତଥ୍ୟ ସାମ୍ନାକୁ ଆସିଛି। ଗଣ ଦୁଷ୍କର୍ମ ପରେ ଶିଶୁଟିକୁ କଲବଲ କରି ମାରିବା ପାଇଁ ଯୋଜନା କରି ଅଭିଯୁକ୍ତମାନେ କିଛି ସାମଗ୍ରୀ ଖୋଜିଥିଲେ ଏବଂ ଗୁପ୍ତାଙ୍ଗରେ ଏକ ମୁନିଆ କାଠ ପୂରାଇ ଦେଇଥିଲେ। ଶିଶୁଟିର ଗଳା କାଟିବା ପରେ ସେମାନେ ମଦ ପିଇଥିଲେ ଏବଂ କିଛି ସମ ପରେ ସେଠାରୁ ପିଲାଟିକୁ ଘୋଷାରି ନେଇ ଏକ ବୁଦା ଭିତରେ ଫୋପାଡ଼ି ଦେଇଥିଲେ। ମାମଲା ନେଇ ମନ୍ଦ୍‌ସୁର ଅଂଚଳରେ ଉତ୍ତେଜନା ଲାଗି ରହିଥିବା ବେଳେ ଏହାକୁ ସାଂପ୍ରଦାୟିକ ରୂପ ଦେବାକୁ ମଧ୍ୟ କେତେକ ଗୋଷ୍ଠୀ ଉଦ୍ୟମ କରୁଛନ୍ତି। କୌଣସି ଅଘଟଣକୁ ଏଡ଼ାଇବା ପାଇଁ ପୁଲିସ ସୁରକ୍ଷା ବନ୍ଦୋବସ୍ତ କଡ଼ାକଡ଼ି କରାଯାଇଛି।

ବିଜେପି ବିଧାୟକ କ୍ଷମା ମାଗିଲେ
ଇନ୍ଦୋର, : ମଧ୍ୟପ୍ରଦେଶର ମନ୍ଦ୍‌ସୁରରେ ୭ ବର୍ଷର ଛାତ୍ରୀକୁ ଗଣଦୁର୍ଷ୍କମ ମାମଲା ଦେଶବ୍ୟାପୀ କ୍ରୋଧ ଓ ଅସନ୍ତୋଷ ସୃଷ୍ଟି କରିଥିବା ବେଳେ ବିଜେପିର ସ୍ଥାନୀୟ ବିଧାୟକ ସୁଦର୍ଶନ ଗୁପ୍ତା ତାଙ୍କ ବିବାଦୀୟ ବୟାନ ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି। ପୀଡ଼ିତାଙ୍କ ମାତା-ପିତାଙ୍କୁ ଶୁକ୍ରବାର ହସ୍ପିଟାଲରେ ଭେଟିବା ବେଳେ ବିଧାୟକ ଗୁପ୍ତା କହିଥିଲେ ଯେ ସେମାନେ ସ୍ଥାନୀୟ ସାଂସଦ ସୁଧୀର ଗୁପ୍ତାଙ୍କୁ ଧନ୍ୟବାଦ ଦେବା ଉଚିତ, କାରଣ ଶିଶୁଟିର ଅବସ୍ଥା ଜାଣିବା ପାଇଁ ସାଂସଦ ମନ୍ଦସୋରରୁ ଇନ୍ଦୋର ହସ୍ପିଟାଲ ଆସିଥିଲେ। ଏହି ବୟାନ ପ୍ରସାରିତ ହେବାପରେ ବିଭିନ୍ନ ମହଲରେ ସୁଦର୍ଶନଙ୍କୁ କଡ଼ା ସମାଲୋଚନା କରାଯାଇଥିଲା। ଆଜି ବିଧାୟକ ତାଙ୍କ ବୟାନ ପାଇଁ କ୍ଷମା ପ୍ରାର୍ଥନା କରିବା ସହ ବୟାନଙ୍କୁ କାଣ୍ଟଛାଟ ଏବଂ ବିକୃତ କରି ପରିବେଷଣ କରାଯାଇଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର