ନୂଆଦିଲ୍ଲୀ: ଅପରେସନ ସିନ୍ଦୂର ସମୟରେ ଭାରତ ଯେତିକି ପାକିସ୍ତାନୀ ଟାର୍ଗେଟ୍କୁ ଆକ୍ରମଣ କରିଛି ବୋଲି ଦର୍ଶାଇଛି, ତା’ଠାରୁ ଅଧିକ ସ୍ଥାନକୁ ଆକ୍ରମଣ କରିଛି ବୋଲି ପାକିସ୍ତାନର ଏକ ସରକାରୀ ଡୋସିୟର (ଲିଖିତ ଦଲିଲ)ରୁ ଜଣାପଡ଼ିଛି। ପାକିସ୍ତାନର ଅପରେସନ ବୁନିଆନ ଉନ୍ ମାର୍ସୁସ ଉପରେ ଡୋସିୟରରେ କୁହାଯାଇଛି ଯେ, ଭାରତୀୟ ସେନା ଯାହା ଦର୍ଶାଇଛି ତା’ଠାରୁ ଅତି କମ୍ରେ ୭ଟି ଅଧିକ ଟାର୍ଗେଟ୍ ଉପରେ ଆକ୍ରମଣ କରିଛି। ଡୋସିୟରରେ ଥିବା ମାନଚିତ୍ରରେ ପେଶାୱାର, ଝାଙ୍ଗ, ସିନ୍ଧର ହାଇଦ୍ରାବାଦ, ପଞ୍ଜାବର ଗୁଜରାଟ, ଭୱାଲନଗର, ଆଟକ୍ ଓ ଚୋର୍ରେ ଆକ୍ରମଣ ହୋଇଥିବା ଦର୍ଶାଯାଇଛି। ଗତମାସରେ ଏୟାର୍ ଷ୍ଟ୍ରାଇକ୍ ପରେ ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ବାୟୁସେନା କିମ୍ବା ସାମରିକ ଅପରେସନ୍ ମହାନିର୍ଦ୍ଦେଶକ ଏହି ସ୍ଥାନଗୁଡ଼ିକର ନାମ ଉଲ୍ଲେଖ କରି ନ ଥିଲେ।
ଏହା ପୂର୍ବରୁ ମାକ୍ସର ଟେକ୍ନୋଲୋଜି ପକ୍ଷରୁ ଜାରି ହୋଇଥିବା ସାଟେଲାଇଟ୍ ଚିତ୍ରରେ ଅପରେସନ ସିନ୍ଦୂର ସମୟରେ ଭାରତୀୟ ଆକ୍ରମଣରେ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ଜଣାପଡ଼ିଥିଲା। ପାକିସ୍ତାନ ଓ ପାକ୍-ଅଧିକୃତ କାଶ୍ମୀରରେ ଆତଙ୍କବାଦୀ ଭିତ୍ତିଭୂମି ଉପରେ ଆକ୍ରମଣ କରି ଭାରତ ବାହାୱଲପୁରସ୍ଥିତ ଜୈସ-ଏ-ମହମ୍ମଦ ମୁଖ୍ୟାଳୟ ଓ ମୁରିଦକେରେ ଥିବା ଲସ୍କର-ଏ-ତୋଇବା ପ୍ରଶିକ୍ଷଣ କେନ୍ଦ୍ର ସମେତ ୯ଟି ସ୍ଥାନକୁ ଧ୍ବଂସ କରିଥିଲା। ତା’ଛଡ଼ା ମେ ୭ ଆକ୍ରମଣରେ ମୁଜାଫରାବାଦ, କୋଟଲି, ରାୱଲାକୋଟ, ଚକସ୍ୱାରୀ, ଭୀମବର, ନୀଲମ୍ ଭ୍ୟାଲି, ଝେଲମ୍ ଓ ଚକୱାଲକୁ ଟାର୍ଗେଟ୍ କରାଯାଇଥିଲା। ମେ ୭ରେ ହୋଇଥିବା ଆକ୍ରମଣ ପରେ ଭାରତ କେବଳ ଆତଙ୍କବାଦୀ ଶିବିରକୁ ଟାର୍ଗେଟ୍ କରିଛି ବୋଲି ଜୋର୍ ଦେବା ସତ୍ତ୍ୱେ ପାକିସ୍ତାନ ଭାରତର ପଶ୍ଚିମ ପାର୍ଶ୍ୱରେ ବେସାମରିକ ଅଞ୍ଚଳ ଓ ସାମରିକ ପ୍ରତିଷ୍ଠାନ ଉପରେ ଡ୍ରୋନ୍ ଓ କ୍ଷେପଣାସ୍ତ୍ର ଆକ୍ରମଣ କରିଥିଲା। ଏହାର ଜବାବରେ ଭାରତ ପାକିସ୍ତାନର ସାମରିକ ପ୍ରତିଷ୍ଠାନ ଉପରେ ଆକ୍ରମଣ କରିଥିଲା। ନୁର୍ ଖାନ୍, ରଫିକି, ମୁରିଦ, ସୁକ୍କୁର, ସିଆଲକୋଟ, ପାସରୁର, ଚୁନିଆନ୍, ସରଗୋଧା, ସ୍କାରୁ, ଭୋଲାରି ଓ ଜାକୋବାବାଦ ଭଳି ୧୧ଟି ବାୟୁସେନା ଘାଟିକୁ ଟାର୍ଗେଟ୍ କରାଯାଇଥିଲା।