କୋଲକାତା: ଆଜି ତୃତୀୟ ପର୍ଯ୍ୟାୟରେ ପଶ୍ଚିମବଙ୍ଗର ୩୧ଟି ବିଧାନସଭା ଆସନରେ ଭୋଟ ଗ୍ରହଣ ସକାଳ ୭ଟାରୁ ଆରମ୍ଭ ହୋଇଛି | ହାଓଡ଼ା, ହୁଗୁଳି ଏବଂ ଦକ୍ଷିଣ ୨୪ ପ୍ରଗଣାର ୭୮.୫ ଲକ୍ଷ ଭୋଟର ୨୦୫ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ତେବେ ଜଣେ ଟିଏମସି ନେତାଙ୍କ ଘରୁ ଇଭିଏମ ମିଳିବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି | ପଶ୍ଚିମବଙ୍ଗର ଉଲୁବେଡିଆରେ ଜଣେ ଟିଏମସି ନେତାଙ୍କ ଘରୁ ଇଭିଏମ୍ ଏବଂ ଭିଭିପିଏଟ୍ ଉଦ୍ଧାର କରାଯାଇଛି।
ଏହି ପରିପ୍ରେକ୍ଷୀରେ ନିର୍ବାଚନ ଆୟୋଗ ସେକ୍ଟର ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି। ଆୟୋଗ କହିଛନ୍ତି ଯେ ଏହା ଏକ ରିଜର୍ଭ ଇଭିଏମ୍ ଥିବାବେଳେ ବର୍ତ୍ତମାନ ନିର୍ବାଚନ ପ୍ରକ୍ରିୟାରୁ ହଟାଇ ଦିଆଯାଇଛି। ଏହି ମାମଲାରେ ସମ୍ପୃକ୍ତ ସମସ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ନିର୍ବାଚନ ଆୟୋଗଙ୍କ ଅନୁଯାୟୀ, ହାଓଡ଼ା ଜିଲ୍ଲାର ଏସି ୧୭୭ ଉଲୁବେଡିଆ ସେକ୍ଟର ୧୭ର ସେକ୍ଟର ଅଧିକାରୀ ତପନ ସରକାର ରିଜର୍ଭ ଇଭିଏମ ସହିତ ଯାଇ ସମ୍ପର୍କୀୟଙ୍କ ଘରେ ଶୋଇଥିଲେ।
ଏହି ସମ୍ପର୍କୀୟ ଜଣକ ଜଣେ ଟିଏମସି ନେତା ହୋଇଥିବାରୁ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି | ସେକ୍ଟର ଅଧିକାରୀଙ୍କ ସହ ସଂଯୁକ୍ତ ସେକ୍ଟର ପୁଲିସ କର୍ମଚାରୀଙ୍କୁ ମଧ୍ୟ ନିଲମ୍ବନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଉକ୍ତ ଇଭିଏମ୍ ଏବଂ ଭିଭିପିଏଟ୍ ନିର୍ବାଚନରେ ବ୍ୟବହାର ହେବ ନାହିଁ। ଅନ୍ୟପଟେ ପଶ୍ଚିମବଙ୍ଗରେ ମତଦାନ ଦେବା ପୂର୍ବରୁ ହିଂସା ଘଟିଛି। ଦକ୍ଷିଣ ୨୪ ପ୍ରଗଣାର କ୍ୟାନିଂ ପଶ୍ଚିମ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେପି କର୍ମୀଙ୍କୁ ମାଡ ମରାଯାଇଥିବାର ଖବର ମିଳିଥିବାବେଳେ ହୁଗୁଳିରେ ବିଜେପି ସମର୍ଥକଙ୍କ ପତ୍ନୀଙ୍କୁ ହତ୍ୟା କରାଯାଇଥିବାର ଅଭିଯୋଗ ହୋଇଛି |