ଇଭିଏମ୍‌ ହ୍ୟାକ୍‌ ସଂପର୍କିିତ ରହସ୍ୟଜନକ ସାମ୍ବାଦିକ ସମ୍ମିଳନୀ କଂଗ୍ରେସ ପ୍ରାୟୋଜିତ: କେନ୍ଦ୍ର ମନ୍ତ୍ରୀ ରବିଶଙ୍କର ପ୍ରସାଦ

ନୂଆଦିଲ୍ଲୀ: ୨୦୧୪ ନିର୍ବାଚନରେ ଇଭିଏମ୍‌ ହ୍ୟାକ୍‌ କରାଯାଇଥିଲା ବୋଲି ଲଣ୍ଡନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆଶିଷ ରାୟ ଯେଉଁ ଅଭିଯୋଗ କରିଛନ୍ତି, ତାହା ବିରୋଧୀ କଂଗ୍ରେସ ପ୍ରାୟୋଜିତ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ନେତା ରବିଶଙ୍କର ପ୍ରସାଦ। ମନ୍ତ୍ରୀ ଶ୍ରୀ ପ୍ରସାଦ କହିଛନ୍ତି ଯେ ଅଭିଯୋଗକାରୀ ଆଶିଷ ଜଣେ କଂଗ୍ରେସ ସଦସ୍ୟ ଏବଂ ତାଙ୍କର କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ଗାନ୍ଧୀ ପରିବାର ଦ୍ୱାରା ପରିଚାଳିତ ନ୍ୟାସନାଲ ହେରାଲ୍ଡ ସହ ନିବିଡ଼ ସଂପର୍କ ରହିଛି।

ଏଥିସହ ମନ୍ତ୍ରୀ ଶ୍ରୀ ପ୍ରସାଦ କହିଛନ୍ତି ଯେ ନିଜ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ଆମେରିକାର ରାଜାନୈତିକ ଶରଣ ନେଇଥିବା ଭାରତୀୟ ସାଇବର ବିଶେଷଜ୍ଞ ସୟେଦ ସୁଜା ସ୍କାଇପି ମାଧ୍ୟମରେ କରିଥିବା ଏକ ସାମ୍ବାଦିକ ସମ୍ମିଳନୀ ଅତ୍ୟନ୍ତ ରହସ୍ୟଜନକ। ପୁଣି କେଉଁ ଉଦ୍ଦେଶ୍ୟରେ ଓ କାହିଁକି ସେ ଏହି ଘଟଣାରେ ବିଜେପି ନେତା ଗୋପୀନାଥ ମୁଣ୍ଡେଙ୍କୁ ସଂପୃକ୍ତ କଲେ ତାହାର କାରଣ ମଧ୍ୟ ବୁଝା ପଡ଼ୁନାହିଁ। ତେବେ, ଏହି ଘଟଣା ସମଗ୍ର ବିଶ୍ୱ ଦରବାରରେ ଭାରତୀୟ ଗଣତନ୍ତ୍ରକୁ ନିନ୍ଦିତ କରିଥିବା ଦର୍ଶାଇ ଘଟଣାରେ ସଂପୃକ୍ତ ସମସ୍ତ ପକ୍ଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ମନ୍ତ୍ରୀ ଶ୍ରୀ ପ୍ରସାଦ।

ଉଲ୍ଲେଖଯୋଗ୍ୟ, ହାଇଦ୍ରାବାଦର ମୂଳ ବାସିନ୍ଦା ଥିବା ଭାରତୀୟ ସାଇବର ବିଶେଷଜ୍ଞ ସୟେଦ ସୁଜା ସ୍କାଇପି ମାଧ୍ୟମରେ କରିଥିବା ଗତ ସୋମବାର ଦିନ କରିଥିବା ସାମ୍ବାଦିକ ସମ୍ମଳନୀରେ ଅଭିଯୋଗ କରି କହିଥିଲେ ଯେ ୨୦୧୪ ସାଧାରଣ ନିର୍ବାଚନରେ ଦେଶର ୨୦୦ ନିର୍ବାଚନମଣ୍ଡଳୀରେ ଇଭିଏମ୍‌କୁ ହ୍ୟାକ୍‌ କରାଯାଇଥିଲା। ନିଜକୁ ଇଲେକଟ୍ରୋନିକ୍‌ କର୍ପୋରେସନ ଅଫ୍‌ ଇଣ୍ଡିଆ ଲିମିଟେଡର ଜଣେ ପୂର୍ବତନ କର୍ମଚାରୀ ବୋଲି ଦାବି କରୁଥିବା ସୟେଦ ୨୦୧୪ ପରେ ତାଙ୍କ ଜୀବନ ପ୍ରତି ବିପଦ ଦେଖାଦେବାରୁ ସେ ଭାରତ ଛାଡ଼ି ଆମେରିକା ପଳାଇ ସେଠାରେ ରାଜନୈତିକ ଶରଣ ନେଇଛନ୍ତି ବୋଲି ବୋଲି ମଧ୍ୟ ସାମ୍ବାଦିକ ସମ୍ମିଳନୀରେ କହିଥିଲେ।

ଏଥିସହ ବିଜେପି ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଗୋପୀନାଥ ମୁଣ୍ଡେଙ୍କୁ ମନ୍ତ୍ରିମଣ୍ଡଳରେ ତାଙ୍କ ମନ ପସନ୍ଦ ବିଭାଗ ନ ମିଳିବାରୁ ସେ ଏହି ଘଟଣାକୁ ପ୍ରଘଟ କରି ଦେଇଥାନ୍ତେ। ଏହି ଭୟରେ ଶ୍ରୀ ମୁଣ୍ଡେଙ୍କୁ ହତ୍ୟା କରାଯାଇଛି ବୋଲି ମଧ୍ୟ ସେ ଅଭିଯୋଗ କରିଛନ୍ତି। ଏପରିକି ସାମ୍ବାଦିକ ଗେରୀ ଲଙ୍କେଶ ଇଭିଏମ ହ୍ୟାକିଂ ସମ୍ବାଦ ପ୍ରକାଶ କରିବା ସମ୍ଭାବନା ଥିବାରୁ ତାଙ୍କୁ ହତ୍ୟା କରାଯାଇଛି ବୋଲି ସେ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର