‘୨୦୧୪ରେ ୨୦୦ ଆସନରେ ଇଭିଏମ ହ୍ୟାକ୍ ହୋଇଥିଲା’

ସାଇବର ବିଶେଷଜ୍ଞଙ୍କ ଦାବି: ଖବର ପ୍ରଘଟ ଆଶଙ୍କାରେ ଗୋପୀନାଥ ମୁଣ୍ଡେ, ଗୌରୀ ଲଙ୍କେଶଙ୍କୁ ହତ୍ୟା କରାଯାଇଛି

ଲଣ୍ଡନ : ନିର୍ବାଚନରେ ବ୍ୟବହାର ହେଉଥିବା ଇଭିଏମ୍‌ (ଇଲେକଟ୍ରୋନିକ ଭୋଟିଂ ମେସିନ)ର ବିଶ୍ବସନୀୟତା ଉପରେ ପୁଣି ପ୍ରଶ୍ନ ଉଠିଛି। ଆମେରିକାର ରାଜାନୈତିକ ଶରଣରେ ଥିବା ଜଣେ ଭାରତୀୟ ସାଇବର ବିଶେଷଜ୍ଞ ସୋମବାର ଇଭିଏମ ପ୍ରସଙ୍ଗରେ ଏକ ଗୁରୁତର ଅଭିଯୋଗ ଆଣିଛନ୍ତି। ୨୦୧୪ ସାଧାରଣ ନିର୍ବାଚନରେ ୨୦୦ ନିର୍ବାଚନମଣ୍ଡଳୀରେ ଇଭିଏମ୍‌କୁ ହ୍ୟାକ୍ କରାଯାଇଥିଲା। ହାଇଦ୍ରାବାଦର ମୂଳ ବାସିନ୍ଦା ସୟେଦ ସୁଜା ସ୍କାଇପ୍ ମାଧ୍ୟମରେ କରିଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଅଭିଯୋଗ କରିଛନ୍ତି। ଇଲେକଟ୍ରୋନିକ୍ କର୍ପୋରେସନ ଅଫ୍ ଇଣ୍ଡିଆ ଲିମିଟେଡର ସେ ଜଣେ ପୂର୍ବତନ କର୍ମଚାରୀ ବୋଲି ମଧ୍ୟ ଦାବି କରିଛନ୍ତି। ୨୦୧୪ ପରେ ତାଙ୍କ ଜୀବନ ପ୍ରତି ବିପଦ ଦେଖାଦେବାରୁ ସେ ଭାରତ ଛାଡ଼ି ଆମେରିକା ପଳାଇ ସେଠାରେ ରାଜନୈତିକ ଶରଣ ନେଇଛନ୍ତି ବୋଲି କହିଛନ୍ତି।

ଗତ ସାଧାରଣ ନିର୍ବାଚନରେ ୨୦୦ଟି ଆସନରେ ଯେଉଁଠି କଂଗ୍ରେସ ନିର୍ବାଚନ ଜିତିଥାନ୍ତା ସେଠାରେ ବିଜେପି ସପକ୍ଷରେ ଇଭିଏମ ରିଗିଂ କରାଯାଇଛି। ଦେଶର ବିଭିନ୍ନ ଭାଗରେ ‘ମିଲିଟାରି ଗ୍ରେଡ ମଡ୍ୟୁଲେଟର’ ଲଗାଯାଇ ଡାଟା ଟ୍ରାନ୍ସମିସନରେ ହେରଫେର କରାଯାଇଛି ବୋଲି ସେ ଦାବି କରିଛନ୍ତି। ଏପରିକି ସେ ଏ ନେଇ ଆଉ ଏକ ସାଂଘାତିକ ଅଭିଯୋଗ ମଧ୍ୟ କରିଛନ୍ତି। ସେ କହିଛନ୍ତି, ବିଜେପି ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଗୋପୀନାଥ ମୁଣ୍ଡେଙ୍କୁ ମନ୍ତ୍ରୀମଣ୍ଡଳରେ ତାଙ୍କ ମନ ପସନ୍ଦ ବିଭାଗ ନମିଳିବାରୁ ସେ ଏହି ଘଟଣାକୁ ପ୍ରଘଟ କରି ଦେଇଥାନ୍ତେ। ଏହି ଭୟରେ ଶ୍ରୀ ମୁଣ୍ଡେଙ୍କୁ ହତ୍ୟା କରାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି। ଏପରିକି ସାମ୍ବାଦିକ ଗୌରୀ ଲଙ୍କେଶ ଇଭିଏମ ହ୍ୟାକିଂ ସମ୍ବାଦ ପ୍ରକାଶ କରିବା ସମ୍ଭାବନା ଥିବାରୁ ତାଙ୍କୁ ହତ୍ୟା କରାଯାଇଛି। ଏହି ଅଭିଯୋଗ ଯଦିଓ ବିଜେପି ବିରୋଧରେ ଥିଲା ତଥାପି ସେ ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ, କଂଗ୍ରେସ, ଆପ୍, ସମାଜବାଦୀ ପାଟି ଓ ଅନ୍ୟ ଆଂଚଳିକ ଦଳଗୁଡ଼ିକ ନିର୍ବାଚନ ବେଳେ ଇଭିଏମ ହ୍ୟାକରେ ସହାୟତା କରିବା ପାଇଁ କହିଥିଲେ। ଏପରିକି ଭାରତରେ ଇଭିଏମ ହ୍ୟାକିଂ କାର୍ଯ୍ୟରେ ନିର୍ବାଚନ କମିସନ ଦୀର୍ଘବର୍ଷ ହେଲା ୧୦୦ ପ୍ରତିଶତ ସାମିଲ ରହିଛି। ଇଭିଏମ ହ୍ୟାକିଂ ହେବାର ସମ୍ଭାବନା ସମ୍ପର୍କରେ ଯେତେବେଳେ ପ୍ରଶ୍ନ ଉଠିଲା ସେତେବେଳେ କମିସନ ତାଙ୍କ ଟିମ୍ ଦ୍ବାରା ଇସିଆଇଏଲରେ ପ୍ରସ୍ତୁତ ହୋଇଥିବା ୧୪ଟି ପ୍ରୋଟୋଟାଇପର ପ୍ରଦର୍ଶନ କରାଇଥିଲେ। ତେବେ ସେହି ନିର୍ଦ୍ଦିଷ୍ଟ ଇଭିଏମ ଗୁଡ଼ିକ ବ୍ଲୁଟୁଥ୍ କିମ୍ବା ୱାଇ-ଫାଇ ଦ୍ବାରା ହ୍ୟାକ୍ କରାଯାଇ ପାରିବ ନାହିଁବୋଲି ‌ସେ କହିଛନ୍ତି। ତେବେ ଆମେରିକା ସୁଜାଙ୍କୁ ରାଜନୈତିକ ଶରଣ ଦେଇଛି କି ନାହିଁ ସୋମବାର ‌ଆମେରିକାରେ ଛୁଟି ଥିବା କାରଣରୁ ସ୍ପଷ୍ଟ ହୋଇପାରିନାହିଁ।

ଅନ୍ୟପକ୍ଷରେ ନିର୍ବାଚନ କମିସନ ଏହି ଖବରକୁ ଅସ୍ବୀକାର କରିଛନ୍ତି। ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ନେଇ କମିସନ ଧମକ ଦେଇଛନ୍ତି। ଇଣ୍ଡିଆନ ଜର୍ଣ୍ଣାଲିଷ୍ଟସ୍ ଆସୋସିଏସନ ଓ ଫରେନ୍ ପ୍ରେସ ଆସୋସିଏସନ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା କପିଲ ସିବଲ ଉପସ୍ଥିତ ଥିଲେ। ତେବେ ସୁଜା କରିଥିବା ଦାବି ଉପରେ ଶ୍ରୀ ସିବଲ ମତାମତ ଦେବାକୁ ମନା କରିଦେଇଥିଲେ। ଆଇଜେଏ ସଭାପତି ଆଶିଷ ରାୟ କହିଛନ୍ତି, ସେ ସବୁ ଦଳର ନେତାଙ୍କୁ ଏହି ସମ୍ମିଳନୀକୁ ଡାକିଥିଲେ ମଧ୍ୟ କେବଳ ସିବଲ ଆସିଥିଲେ।

ସମ୍ବନ୍ଧିତ ଖବର