ଆସାମ ବିଜେପି ନେତାଙ୍କ କାର୍‌ରେ ଇଭିଏମ୍‌: ୪ ଅଧିକାରୀ ନିଲମ୍ବିତ, ପୁନର୍ବାର ଭୋଟିଂ ପାଇଁ ଇସିଙ୍କ ନିର୍ଦ୍ଦେଶ

ଇଭିଏମ୍‌ ଚୋରି ଅଭିଯୋଗକୁ ଖଣ୍ଡନ କଲେ ବିଜେପି ପ୍ରାର୍ଥୀ

ଗୌହାଟୀ : ଆସାମର ରତାବରୀ ଆସନରେ ନିର୍ବାଚନ କମିସନ୍‌ ଆଜି ପୁନର୍ବାର ଭୋଟିଂ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଜଣେ ବିଜେପି ପ୍ରାର୍ଥୀଙ୍କ କାର୍‌ରେ ନିର୍ବାଚନ କମିସନ୍‌ ଅଧିକାରୀମାନେ ଇଭିଏମ୍‌ ନେଉଥିବା ଘଟଣାକୁ ନେଇ ବିବାଦ ହେବାପରେ କମିସନ୍‌ ଉକ୍ତ ଆସନ‌ରେ ପୁନର୍ବାର ଭୋଟିଂ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଉକ୍ତ ମାମଲାରେ ୪ ଜଣ ଅଧିକାରୀ ନିଲମ୍ବିତ ହୋଇଛନ୍ତି। ଘଟଣାକୁ ନେଇ କରିମଗଂଜ ଜିଲ୍ଲାରେ ହିଂସା ଉପୁଜିଛି। ପଥରଖଣ୍ଡି ବିଜେପି ପ୍ରାର୍ଥୀ କ୍ରୀଷ୍ଣେନ୍ଦୁ ପଲ୍‌ଙ୍କ ପତ୍ନୀଙ୍କ କାର୍‌ରେ ନିର୍ବାଚନ ଅଧିକାରୀମାନେ ଇଭିଏମ୍‌ ଧରି ଯାଉଥିଲେ। ବିରୋଧୀ ଦଳ ନେତାମାନେ ଏହି ଘଟଣାକୁ କଡ଼ା ନିନ୍ଦା କରିଛନ୍ତି ଏବଂ ବିଜେପି ‘ଇଭିଏମ୍‌’ ଚୋରିରେ ସଂପୃକ୍ତ ବୋଲି କଂଗ୍ରେସ ନେତା ରଣଦୀପ ସୁର୍ଯେୱାଲା କହିଛନ୍ତି।

ଇତି ମଧ୍ୟରେ ନିର୍ବାଚନ କମିସନ ପକ୍ଷରୁ ଏକ ବିବୃତି ଜାରି କରି କୁହାଯାଇଛି ଯେ, ୧୪୯-ଇନ୍ଦିରା ଏମ୍‌ଭି ସ୍କୁଲ୍‌ ରତାବରୀ ପୋଲିଂ ପାର୍ଟି ଗତକାଲି ସନ୍ଧ୍ୟାରେ ଭୋଟିଂ ପରେ ସେମାନଙ୍କୁ ଦିଆଯାଇଥିବା ଗାଡ଼ି‌ରେ ଇଭିଏମ୍‌ ଧରି ଯାଇଥି‌ଲେ। ତେବେ ବାଟରେ ପ୍ରବଳ ବର୍ଷା ହେବାପରେ ସେମାନଙ୍କ ଗାଡ଼ିରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ଅଧିକାରୀମାନେ ଗାଡ଼ିରୁ ଓହ୍ଲାଇ ଆସିଥିଲେ ଏବଂ ସେକ୍ଟର ଅଫିସର୍‌ଙ୍କୁ ଫୋନ୍‌ କରି ସେମାନଙ୍କ ପାଇଁ ଅନ୍ୟ ଏକ ଗାଡ଼ି ଯୋଗାଡ଼ କରିବାକୁ କହିଥିଲେ। ତେବେ ଏଥିରେ ବିଳମ୍ବ ହେବାରୁ ସେମାନେ ଅନ୍ୟ ଏକ ଗାଡ଼ିର ମାଲିକ କିଏ ନଜାଣି ସହାୟତା ମାଗିଥିଲେ। ‌କିଛି ରାସ୍ତା ଯିବାପରେ ସେବା ଜାଣିପାରିଥିଲେ ଯେ, କିଛି ଭୁଲ୍‌ ହୋଇଛି। ତେବେ ଗାଡ଼ିରୁ ମିଳିଥିବା ଇଭିଏମ୍‌ର ସିଲ୍‌ ଖୋଲା ହୋଇନି ଏବଂ ଏଥିରେ କୌଣସି ହେରଫେର ହୋଇନାହିଁ। ଅନ୍ୟପକ୍ଷେ ଇଭିଏମ୍‌ ଚୋରି ଅଭିଯୋଗକୁ ବିଜେପି ପ୍ରାର୍ଥୀ କ୍ରୀଷ୍ଣେନ୍ଦୁ ପଲ୍‌ ଖଣ୍ଡନ କରିଛନ୍ତି।

ସମ୍ବନ୍ଧିତ ଖବର