ନୂଆଦିଲ୍ଲୀ: ଆସନ୍ତା ୪-୬ ମାସ ମଧ୍ୟରେ ପେଟ୍ରୋଲ୍‌ ଗାଡ଼ି ଦାମ୍‌ରେ ଇଲେକ୍ଟ୍ରିକ ଯାନ (ଇଭି) ମିଳିବ ବୋଲି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତୀନ ଗଡ଼କରୀ କହିଛନ୍ତି। ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଗଡ଼କରୀ କହିଥିଲେ ଯେ ଖଣିଜ ଇନ୍ଧନ ଉପରେ ନିର୍ଭରଶୀଳତା ଦେଶକୁ ଅର୍ଥନୈତିକ ସ୍ତରରେ ଦୁର୍ବଳ କରୁଥିବା ବେଳେ ପରିବେଶଜନିତ ସମସ୍ୟା ସୃଷ୍ଟି କରୁଛି। ତେଲ କିଣାରେ ଭାରତ ବର୍ଷକୁ ୨୨ ଲକ୍ଷ କୋଟି ଟଙ୍କା ବ୍ୟୟ କରୁଛି। 

Advertisment

ସେ କହିଥିଲେ ଯେ ନିକଟରେ ଜିଏସ୍‌ଟିରେ ହୋଇଥିବା ସଂସ୍କାର ପ୍ରଭାବରେ ବିଭିନ୍ନ ଗାଡ଼ିର ଦାମ୍ କମିଛି। ସବୁ କମ୍ପାନି ସେମାନଙ୍କ ବିଭିନ୍ନ ମଡେଲ୍‌ର ଦାମ୍ କମ୍ କରିଛନ୍ତି। ସେ ସୂଚନା ଦେଇଥିଲେ ଯେ ପରିବହନ ମନ୍ତ୍ରୀ ଭା‌ବେ କାମ କରିବା ଲାଗି ତାଙ୍କୁ ଯେତେବେଳେ ସୁଯୋଗ ମିଳିଥିଲା, ସେହି ସମ‌ୟରେ ଦେଶର ଅଟୋମୋବାଇଲ୍ ବଜାର ୧୪ ଲକ୍ଷ କୋଟି ଟଙ୍କା ଥିଲା। ବର୍ତ୍ତମାନ ତାହା ୨୨ ଲକ୍ଷ କୋଟି ଟଙ୍କାକୁ ବଢ଼ିଛି। 

ଇଥାନଲ୍‌ ସମ୍ପର୍କରେ ଆଲୋଚନା କରି ଗଡ଼କରୀ କହିଛନ୍ତି ଯେ ମକାରୁ ଇଥାନଲ ଉତ୍ପାଦନ କରି ଚାଷୀମାନେ ଅତିରିକ୍ତ ୪୫,୦୦୦ କୋଟି ଟଙ୍କା ଆୟ କରିପାରିଛନ୍ତି। ନିକଟରେ ଇଥାନଲ୍ ମିଶା ପେଟ୍ରୋଲ ବିକ୍ରିକୁ ନେଇ ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା। ସେହି ପେଟ୍ରୋଲ ଦ୍ବାରା ଗାଡ଼ିର ଯନ୍ତ୍ରାଂଶ ଖରାପ ହେଉଥିବା ଅଭିଯୋଗ ହୋଇଥିଲା। ସରକାର କିନ୍ତୁ ସେହି ଅଭିଯୋଗକୁ ଦୃଢ଼ ଭାବେ ଖଣ୍ଡନ କରିଛନ୍ତି। ଏନେଇ କୋର୍ଟରେ ଦାଖଲ ହୋଇଥିବା ଜନସ୍ବାର୍ଥ ମାମଲା ମଧ୍ୟ ଖାରଜ ହୋଇଯାଇଛି।