ଅକଲ୍ୟାଣ୍ଡ: ଆଫଗାନିସ୍ତାନର ରାଜଧାନୀ କାବୁଲରେ ରହୁଥିବା ଗର୍ଭବତୀ ମହିଳା ସାମ୍ବାଦିକା ଚାର୍ଲୋଟ୍ ବେଲିସ୍ ମାର୍ଚ୍ଚର ପ୍ରଥମ ସପ୍ତାହରେ ଦେଶକୁ ଫେରି ପାରିବେ। ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀ ଜେସିଣ୍ଡା ଅର୍ଡର୍ଣ୍ଣଙ୍କ ସରକାର ଦେଶକୁ ଫେରିବା ପାଇଁ ଚାର୍ଲୋଟଙ୍କୁ ସ୍ଵତନ୍ତ୍ର ଅନୁମତି ପ୍ରଦାନ କରିଛନ୍ତି। ୩୫ ବର୍ଷୀୟ ଚାର୍ଲୋଟ୍ ୨୫ ସପ୍ତାହ ଗର୍ଭବତୀ ଅଛନ୍ତି। ଗତ ସପ୍ତାହରେ ସେ ନ୍ୟୁଜିଲାଣ୍ଡର କଠୋର କୋଭିଡ୍ କଟକଣା ବିଷୟରେ ଏକ ଲେଖାରେ ବିରୋଧ ପ୍ରଦର୍ଶନ କରିଥିଲେ । ଏହାପରେ ସାରା ବିଶ୍ଵରେ ନ୍ୟୁଜିଲାଣ୍ଡ ସରକାରଙ୍କୁ ସମାଲୋଚନା କରାଯାଇଥିଲା।
ଅନ୍ୟପକ୍ଷରେ ଚାର୍ଲୋଟଙ୍କ ଓକିଲ ନ୍ୟୁଜିଲ୍ୟାଣ୍ଡର ସ୍ଵାସ୍ଥ୍ୟମନ୍ତ୍ରୀଙ୍କ ବିରୋଧରେ ମୋକଦ୍ଦମା କରିବେ ବୋଲି ସ୍ପଷ୍ଟ କରି ଦେଇଛନ୍ତି। କାରଣ ସେ ଚାର୍ଲୋଟଙ୍କ ବ୍ୟକ୍ତିଗତ ତଥ୍ୟକୁ ସମସ୍ତଙ୍କୁ ଜଣାଇଛନ୍ତି ।
ଚାର୍ଲୋଟ ମଙ୍ଗଳବାର ଦିନ କହିଛନ୍ତି ଯେ ସେ ମାର୍ଚ୍ଚର ପ୍ରଥମ ସପ୍ତାହରେ ନ୍ୟୁଜିଲ୍ୟାଣ୍ଡକୁ ପ୍ରତ୍ୟାବର୍ତ୍ତନ କରିବେ ଓ ଏଥିପାଇଁ ସେ ବହୁତ ଖୁସି ଅଛନ୍ତି। ତାଙ୍କ ସହିତ ବେଲ୍ଜିୟମର ସାଥୀ ଜିମ୍ ହୁଲିବ୍ରୁକ୍ ମଧ୍ୟ ଆସିବେ। ବର୍ତ୍ତମାନ ସେ ଅଫଗାନିସ୍ତାନରେ ଅଛନ୍ତି ଓ ତାଲିବାନ ଶାସକ ତାଙ୍କୁ ସାହାଯ୍ୟ କରୁଛି। ନ୍ୟୁଜିଲ୍ୟାଣ୍ଡର ଉପପ୍ରଧାନମନ୍ତ୍ରୀ ଗ୍ରାଣ୍ଟ ରବର୍ଟସନ୍ ନିଜେ ଚାର୍ଲୋଟଙ୍କ ସହ କଥା ହୋଇଛନ୍ତି।
ଚାର୍ଲୋଟଙ୍କ ବ୍ୟତୀତ ୧୧୮ଲୋକଙ୍କ ଜରୁରୀ ଦରଖାସ୍ତ ମଧ୍ୟ ବାକି ରହିଛି। ସରକାର ନିଜ ଦେଶର ନାଗରିକମାନଙ୍କୁ ହିଁ ନିଜ ଦେଶକୁ ଫେରିବାକୁ ଅନୁମତି ଦେଉ ନାହାନ୍ତି। ବଡ କଥା ହେଲା ଏମାନଙ୍କ ମଧ୍ୟରେ କିଛି ଗର୍ଭବତୀ ମହିଳା ମଧ୍ୟ ଅଛନ୍ତି।
ଅନ୍ୟପକ୍ଷରେ ଚାର୍ଲୋଟଙ୍କ ଓକିଲ ଟ୍ୟୁଡର୍ କ୍ଲି ସ୍ପଷ୍ଟ କରିଦେଇଛନ୍ତି ଯେ ନ୍ୟୁଜିଲାଣ୍ଡର ସ୍ଵାସ୍ଥ୍ୟମନ୍ତ୍ରୀ କ୍ରିସ୍ ହିପକିନ୍ସ ଚାର୍ଲୋଟଙ୍କ ବ୍ୟକ୍ତିଗତ ତଥ୍ୟକୁ ଲୋକଙ୍କ ସାମନାରେ ଆଣିଛନ୍ତି । ତେଣୁ ତାଙ୍କ ନାମରେ ମାମଲା ରୁଜୁ କରାଯିବ। କ୍ଲି କହିଛନ୍ତି ଚାର୍ଲୋଟଙ୍କ ସମସ୍ତ ମେଡିକାଲ ତଥ୍ୟ ମିଡିଆ ଦ୍ଵାରା ସାର୍ବଜନୀନ କରି ଦିଆଯାଇଛି। ଏହା ଆଇନ ଅନୁଯାୟୀ ଅପରାଧ। କ୍ରିସଙ୍କୁ ଏହାର ଜବାବ କୋର୍ଟରେ ଦେବାରୁ ପଡିବ। ଆମେ ନ୍ୟୁଜିଲ୍ୟାଣ୍ଡର ନାଗରିକ ଅଟୁ, ଆମକୁ ମୋକଦ୍ଦମା କରିବାର ଅଧିକାର ଅଛି। ନ୍ୟୁଜିଲାଣ୍ଡର ସ୍ଵାସ୍ଥ୍ୟମନ୍ତ୍ରୀ ଏହା ବିଷୟରେ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି।
ଚାର୍ଲୋଟ ୭ ମାସ ଭିତରେ ଦୁଇଥର ଚର୍ଚ୍ଚାକୁ ଆସିଛନ୍ତି। ଗତବର୍ଷ ଯେତେବେଳେ ଆମେରିକା ଆଫଗାନିସ୍ତାନରୁ ନିଜ ସୈନିକଙ୍କୁ ନିଜ ଦେଶକୁ ଫେରାଇ ଆଣୁଥିଲା ସେତେବେଳେ ସେ ଆଫଗାନିସ୍ତାନ ଯାଇଥିଲେ। ସେତେବେଳେ ତାଲିବାନ ଆଫଗାନିସ୍ତାନକୁ ନେଇ ସାରିଥିଲା ଓ ଚାର୍ଲୋଟ ଆଲଜାଜିରା ଟିଭି ଚ୍ୟାନେଲ୍ ପାଇଁ କାମ କରୁଥିଲେ। ଆଲଜାଜିରାର ମୁଖ୍ୟାଳୟ କାତାରରେ ଅଛି। ସେତେବେଳେ ମୁଣ୍ଡରେ ଓଢଣୀ ଗୁଡାଇ ଚାର୍ଲୋଟ ଆଫଗାନିସ୍ତାନର ମହିଳା ଓ ଶିଶୁମାନଙ୍କୁ ଅଧିକାର ଦେବା ପାଇଁ ତାଲିବାନର ନେତାମାନଙ୍କ ଉପରେ ଚାପ ପକାଇଥିଲେ। ସେ ସେତେବେଳେ ଆଫଗାନିସ୍ତାନରେ ଆଲଜାଜିରା ପାଇଁ କାମ କରୁଥିବା ସମୟରେ ହିଁ ଗର୍ଭବତୀ ହୋଇଥିଲେ। କୋଭିଡ୍ କଟକଣା ଯୋଗୁଁ ନ୍ୟୁଜିଲ୍ୟାଣ୍ଡର ସରକାର ବିଦେଶରେ ରହୁଥିବା ନିଜ ଦେଶର ଲୋକମାନଙ୍କୁ ଫେରାଇ ଆଣିବା ପାଇଁ ପ୍ରସ୍ତୁତ ନଥିଲା ।
ଚାର୍ଲୋଟ ପ୍ରଥମେ ବେଲଜିୟମ୍ ଯାଇଥିଲେ। ସେଠାରେ ତାଙ୍କ ଭିସାର ଅବଧି ଶେଷ ହେବାରୁ ତାଲିବାନକୁ ଅନୁରୋଧ କରି ସେ କାବୁଲ୍ ଆସିଥିଲେ। ନଭେମ୍ଵର ମାସରୁ ସେ କାବୁଲରେ ହିଁ ଅଛନ୍ତି। ଚାର୍ଲୋଟ କହିଛନ୍ତି, ତାଲିବାନ ସରକାର ତାଙ୍କୁ କାବୁଲ ଆସିବାକୁ ଅନୁମତି ତ ଦେଲା କିନ୍ତୁ ଏକ ସର୍ତ୍ତରେ । ତାଲିବାନ ତାଙ୍କୁ କହିଥିଲା ସେ ବିବାହ କରିନାହାନ୍ତି ବୋଲି କାହାକୁ କହିବେ ନାହିଁ । ମୁଁ ନ୍ୟୁଜିଲ୍ୟାଣ୍ଡ ସରକାରଙ୍କୁ ୫୧ଟି ଡକ୍ୟୁମେଣ୍ଟ୍ ଲେଖିଥିଲି ଜରୁରୀକାଳୀନ ପରିସ୍ଥିତିରେ ମୋତେ ଦେଶକୁ ଫେରିବାକୁ ଅନୁମତି ଦେବାକୁ। କିନ୍ତୁ ଲଟେରୀ ବ୍ୟବସ୍ଥା ଯୋଗୁଁ ଏହା ସମ୍ଭବ ହୋଇପାରି ନଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/Untitled-1-copy-9.jpg)