ପାକିସ୍ତାନ ଏବେ ବି ଭୟଭୀତ ହୋଇ ରହିଛି: ପୂର୍ବତନ ବାୟୁସେନା ମୁଖ୍ୟ ଧନୋଆ

ନୂଆଦିଲ୍ଲୀ : ଜୈସେ-ଏ-ମହମ୍ମଦର ଆତଙ୍କବାଦୀ ଶିବିର‌ ଉପରେ ବାଲାକୋଟ ବିମାନ ଆକ୍ରମଣ ପରେ ଭାରତରେ ଆଉ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ଘଟିନାହିଁ। ବାଲାକୋଟ ବିମାନ ଆକ୍ରମଣ ପରେ ଆତଙ୍କବାଦୀ ଭୟଭୀତ ହୋଇ ପଡ଼ିଛନ୍ତି ବୋଲି ପୂର୍ବତନ ବାୟୁସେନା ମୁଖ୍ୟ ବି.ଏସ୍‌. ଧନୱା କହିଛନ୍ତି। ଆଜି ବାଲାକୋଟ ବିମାନ ଆକ୍ରମଣର ବର୍ଷ ପୂର୍ତ୍ତି ପାଳନ ଅବସରରେ ପୂର୍ବତନ ବାୟୁସେନା ମୁଖ୍ୟ ବାଲାକୋଟ ବିମାନ ଆକ୍ରମଣକୁ ଭାରତର ବଡ଼ ସଫଳତା ବୋଲି ଦର୍ଶାଇଛନ୍ତି। ସୂଚନାଯୋଗ୍ୟ, ୨୦୧୯ ଫେବ୍ରୁଆରି ୧୪ରେ ଜମ୍ମୁ-କାଶ୍ମୀରର ପୁଲ୍‌ୱାମାରେ ଆତଙ୍କବାଦୀ ଆକ୍ରମଣରେ ୪୦ ସିଆର୍‌ପିଏଫ୍‌ ଯବାନ ସହିଦ ହେବା ପରେ ଏହାର ପ୍ରତିଶୋଧ ନେବାକୁ ଯାଇ ଭାରତୀୟ ସେନା ବାଲାକୋଟ ସ୍ଥିତ ଜୈସେ-ଏ-ମହମ୍ମଦ ଆତଙ୍କବାଦୀ ଶିବିର ଉପରେ ବିମାନ ଆକ୍ରମଣ କରି ଆତଙ୍କବାଦୀ ଶିବିରକୁ ଧ୍ବଂସ କରିଦେଇଥିଲା। ଏଥିରେ ୩୦୦ରୁ ଊର୍ଦ୍ଧ୍ବ ଆତଙ୍କବାଦୀ ନିପାତ ହୋଇଥିଲେ ବୋଲି ଭାରତୀୟ ସେନା ଦାବି କରିଥିଲା। ବାଲାକୋଟ ବିମାନ ଆକ୍ରମଣ ଘଟଣାକୁ ବର୍ଷେ ବିତିଯାଇଥିବା ବେଳେ ଏହି ଘଟଣାରୁ ଭାରତୀୟ ସେନା ଅଧିକ କିଛି ଶିକ୍ଷାଲାଭ କରିଛି ବୋଲି ଧନୱା କହିଛନ୍ତି। ବାଲାକୋଟ ବିମାନ ଆକ୍ରମଣ ପରେ ଆତଙ୍କବାଦୀମାନେ ଏଭଳି ଭୟଭୀତ ହୋଇପଡ଼ିଛନ୍ତି, ଏହା ପରଠାରୁ ଆଉ କୌଣସି ବଡ଼ ଧରଣର ଆକ୍ରମଣ ହୋଇନାହିଁ ବୋଲି ଧନୱା କହିଛନ୍ତି।

ସମ୍ବନ୍ଧିତ ଖବର