ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ସେନା ମୁଖ୍ୟ ଜେନେରାଲ ମନୋଜ ନରବଣେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ଉପରେ ପ୍ରଶ୍ନ ଉଠାଉଥିବା ଏବଂ ପାକିସ୍ତାନ ବିରୋଧରେ ପୂର୍ଣ୍ଣାଙ୍ଗ ଯୁଦ୍ଧ କରିବାକୁ ସମର୍ଥନ କରୁଥିବା ଲୋକଙ୍କୁ ସମାଲୋଚନା କରିଛନ୍ତି।
ଇନଷ୍ଟିଚ୍ୟୁଟ୍ ଅଫ୍ କଷ୍ଟ ଆକାଉଣ୍ଟାଣ୍ଟସ୍ ଅଫ୍ ଇଣ୍ଡିଆ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ପୂର୍ବତନ ସେନା ମୁଖ୍ୟ ମନୋଜ ନରବଣେ କହିଛନ୍ତି, ‘ଯୁଦ୍ଧ ଯୋଗୁଁ ସୀମାନ୍ତ ଅଞ୍ଚଳରେ ରହୁଥିବା ଲୋକମାନେ ଭୟରେ ଅଛନ୍ତି। ବିଶେଷକରି ପିଲାମାନେ, ଯେଉଁମାନେ ବୋମା ମାଡ଼ ଯୋଗୁଁ ବଙ୍କରରେ ରାତି ବିତାଇବାକୁ ବାଧ୍ୟ ହେଉଛନ୍ତି। ଯୁଦ୍ଧରେ ଯେଉଁମାନେ ନିଜ ପ୍ରିୟଜନଙ୍କୁ ହରାଇଛନ୍ତି ସେମାନଙ୍କର ଆଘାତ ପିଢ଼ି ପରେ ପିଢ଼ି ପର୍ଯ୍ୟନ୍ତ ରହିଛି ଓ ରହିଥିବ ମଧ୍ୟ। ପୋଷ୍ଟ ଟ୍ରମାଟିକ୍ ଷ୍ଟ୍ରେସ୍ ଡିସଅର୍ଡର ନାମକ ଏକ ସମସ୍ୟା ଯୋଗୁଁ ପୀଡିତମାନେ ୨୦ ବର୍ଷ ପରେ ମଧ୍ୟ ଯୁଦ୍ଧର ଆତଙ୍କ ଏବଂ ଚିନ୍ତାରେ ପୀଡିତ ରହିଥାଆନ୍ତି। ଏପରି ଲୋକଙ୍କୁ ପ୍ରାୟତଃ ମନସ୍ତାତ୍ତ୍ୱିକ ବିଶେଷଜ୍ଞଙ୍କ ସାହାଯ୍ୟ ନେବାକୁ ପଡ଼ିଥାଏ।
ଯୁଦ୍ଧ ଏକ ବଲିଉଡ୍ ରୋମାଣ୍ଟିକ ଫିଲ୍ମ ନୁହେଁ। ଏହା ଏକ ଅତ୍ୟନ୍ତ ଗମ୍ଭୀର ସମସ୍ୟା। ଯୁଦ୍ଧ କିମ୍ବା ହିଂସା ଶେଷ ଉପାୟ ହେବା ଉଚିତ। ଲୋକମାନେ ଭାବୁଛନ୍ତି ଯେ ଏକ ବଡ଼ ଲଢ଼େଇ ହେବା ଉଚିତ।
ଜଣେ ସୈନିକ ଭାବରେ ଯଦି ମୋତେ ଆଦେଶ ଦିଆଯାଏ ତେବେ ମୁଁ ଯୁଦ୍ଧ କରିବି, କିନ୍ତୁ ଏହା ମୋର ପ୍ରଥମ ପସନ୍ଦ ହେବ ନାହିଁ। ମୋର ପ୍ରଥମ ପସନ୍ଦ ହେବ ଆଲୋଚନା। ଆଲୋଚନା ମାଧ୍ୟମରେ ଅନେକ ସମସ୍ୟାର ସମାଧାନ କରାଯାଇପାରେ। ଏଥିପାଇଁ ଯୁଦ୍ଧର ଆବଶ୍ୟକତା ପଡ଼ି ନପାରେ।’