ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବ୍ଦୁଲ୍ କଲାମ୍ଙ୍କ ଦ୍ୱାରା ଭାରତୀୟ ସେନାରେ କନିଷ୍ଠ କମିସନ୍ଡ୍ ଅଧିକାରୀଭାବେ ନିଯୁକ୍ତ ଏବଂ ସେନାରେ ୩୦ ବର୍ଷ ଚାକିରି କରିବା ପରେ ଏବେ ସେବା ନିବୃତ ଜଣେ ପୂର୍ବତନ ସେନା ଇଞ୍ଜିନୟର୍ ମହମ୍ମଦ୍ ଅଜ୍ମଲ୍ ହକ୍ଙ୍କୁ କୁହାଯାଇଛି କି, ସେ ଜଣେ ଭାରତୀୟ ନାଗରିକ ବୋଲି ପ୍ରମାଣ ଦିଅନ୍ତୁ।
ସେ ବାଂଲାଦେଶରୁ ଆସି ଭାରତରେ ବସବାସ କରୁଥିବା ଜଣେ ବେଆଇନ୍ ପ୍ରବାସବାସୀ ନୁହନ୍ତି ବୋଲି ପ୍ରମାଣ କରିବାକୁ ଦଲିଲପତ୍ର ସହ ଅକ୍ଟୋବର ୧୩ ତାରିଖ ଦିନ ହାଜିର ହେବାକୁ ଅଜ୍ମଲ୍ ହକ୍ଙ୍କୁ ଫରେନ୍ର୍ସ୍ ଟ୍ରିବ୍ୟୁନାଲ୍ ସମନ ପଠାଇଛନ୍ତି।
ଚଣ୍ଡିଗଡ଼ଠାରେ ଜଣେ ମେକାନିକାଲ୍ ଇଞ୍ଜିନିୟର୍ଭାବେ ଭାରତୀୟ ସେନାରେ ଚାକିରି କରୁଥିବବେଳେ ଅଜ୍ମଲ୍ ହକ୍ଙ୍କ ପତ୍ନୀ ମୁମ୍ତାଜ୍ ବେଗମ୍ଙ୍କୁ ମଧ୍ୟ ୨୦୧୨ରେ ଏଭଳି ପରିସ୍ଥିତିରେ ଗତି କରିଥିଲେ।
ଜଣେ ଜନ୍ମିତ ଭାରତୀୟ ନାଗରିକ ବୋଲି ପ୍ରମାଣ କରୁଥିବା ଦଲିଲ୍ପତ୍ର ସହ ହାଜର ହେବାକୁ ଗତ ମାସରେ ଫରେନର୍ସ୍ ଟ୍ରିବ୍ୟୁନାଲ୍ଙ୍କଠାରୁ ଅଜ୍ମଲ୍ ହକ୍ ନୋଟିସ୍ ପାଇଥିଲେ। ସେପ୍ଟେମ୍ବର ୧୧ ପୂର୍ବରୁ ନିଜର କେସ୍ ଉପସ୍ଥାପନ କରିବାକୁ ଅଜ୍ମଲ୍ ହକ୍ଙ୍କୁ ନୋଟିସ୍ରେ କୁହାଯାଇଥିଲା। କିନ୍ତୁ, ଏକ୍ସ୍ପାଇରି ତାରିଖ ପରେ ନୋଟିସ୍ ତାଙ୍କ ନିକଟରେ ପହଞ୍ଚିଥିଲା।
ଅକ୍ଟୋବର ୧୩ ତାରିଖରେ ଗୌହାଟିସ୍ଥିତ ଫରେନର୍ ଟ୍ରିବୁନାଲ୍ରେ ହାଜର ହେବାକୁ ପରେ ଆଉ ଏକ ନୋଟିସ୍ ପାଇଥିଲେ ଅଜ୍ମଲ୍ ହକ୍। ଟ୍ରିବୁନାଲ୍ ତାଙ୍କୁ ‘ସନ୍ଦିଗ୍ଧ ଭୋଟର୍’ ତାଲିକାଭୁକ୍ତ କରିଛନ୍ତି।
ଦେଶରେ ଅନୈତିକ ପ୍ରବାସବାସୀଙ୍କୁ ଚିହ୍ନଟ କରିବାକୁ ଆସାମରେ କେତେଗୁଡ଼ିଏ ଟ୍ରିବୁନାଲ୍ ସ୍ଥାପନା କରାଯାଇଛି। ଯେଉଁମାନଙ୍କର ଜାତୀୟତା ଭାରତୀୟ ବୋଲି ସନ୍ଦେହ ଆସୁଛି ସେ ନାଗରିକମାନଙ୍କର ନାଗରିକତ୍ୱ ନିର୍ଦ୍ଧାରଣ କରିବାକୁ ୧୯୬୪ ମସିହା ଫରେନର୍ ଟ୍ରିବୁନାଲ୍ ଅର୍ଡର୍ରେ ଆସାମରେ ଏହି ଟ୍ରବ୍ୟୁନାଲ୍ଗୁଡ଼ିକ ଗଠିତ ହୋଇଥିଲା।
ଏଏଏସ୍ୟୁ ଏବଂ କେନ୍ଦ୍ରରେ ରାଜୀବ ଗାନ୍ଧୀ ସରକାରଙ୍କ ମଧ୍ୟରେ ୧୯୮୫ ମସିହାରେ ଆସାମ୍ ଆକର୍ଡ ସ୍ୱାକ୍ଷରିତ ହେବା ପରେ ଏଭଳି ପ୍ରଥମ ଟ୍ରିବ୍ୟୁନାଲ୍ ଗଠିତ ହୋଇଥିଲା। ଆସାମରେ ବେଆଇନ୍ ବାଂଲାଦେଶୀ ପ୍ରବାସବାସୀଙ୍କୁ ଚିହ୍ନଟ ଏବଂ ବିତାଡ଼ନ କରିବାକୁ ୨୫, ମାର୍ଚ ୧୯୭୧ ମସିହାକୁ କଟ୍-ଅଫ୍ ଡେଟ୍ ଦିନ ଧାର୍ଯ୍ୟ କରିଥିଲା ଏହି ରାଜିନାମା।
ବେଆଇନ୍ ପ୍ରବାସବାସୀ ସମ୍ବନ୍ଧୀୟ ମାମଲା ସଂଖ୍ୟ ବୃଦ୍ଧି ପାଉଥିବାରୁ ୨୦୧୫ ସୁଦ୍ଧା, ଏହି ଟ୍ରିବ୍ୟୁନାଲ୍ ସଂଖ୍ୟା ୧୦୦କୁ ବୃଦ୍ଧି ପାଇଛି। ୨୦୧୫ରେ ଅନୁଷ୍ଠିତ ଆସାମ ବିଧାନସଭା ନିର୍ବାଚନରେ ଏହା ଥିଲା ଏକ ବିରାଟ ନିର୍ବାଚନ ମାମଲା। ବିଜେପିର ନିର୍ବାଚନ ପ୍ରତିଶ୍ରୁତି ରକ୍ଷା କରିବାକୁ ସର୍ବାନନ୍ଦ ସୋନୋଓ୍ଵାଲ୍ ସରକାର ଟ୍ରିବ୍ୟୁନାଲ୍ଗୁଡ଼ିକୁ ସଶକ୍ତ କରିବାକୁ ଚାହିଁଥିଲେ।
ବାଂଲାଦେଶରେ ରାଜନୈତିକ ଏବଂ ଜାତୀୟ ବିଶୃଙ୍ଖଳା ପରେ ୧୯୭୧ ମସିହାରେ ସେ ଭାରତରେ ପହଞ୍ଚିଥିଲେ ବୋଲି ଅଜ୍ମଲ୍ ହକ୍ଙ୍କୁ ପଠାଯାଇଥିବା ସମନ୍ରେ ଉଲ୍ଲେଖ ରହିଛି। କିନ୍ତୁ, ଅଜ୍ମଲ୍ କହିବେ ଭିନ୍ନ ଏକ କାହାଣୀ। ସେ କହୁଛନ୍ତି, ତାଙ୍କ ପିତା ମକ୍ବୁଲ୍ ଅଲି ଥିଲେ ଜଣେ ଭାରତୀୟ ନାଗରିକ।
ଅଜ୍ମଲ୍ ହକ୍ଙ୍କ କହିବା ଅନୁସାରେ ମକ୍ବୁଲ୍ ଅଲିଙ୍କ ନାମ ୧୯୬୬ ମସିହା ଭୋଟର୍ ତାଲିକା ଏବଂ ୧୯୯୧୦୬୨ ମସିହାରେ କରାଯାଇଥିବା ଗ୍ରାମ ସର୍ଭେରେ ରହିଛି। ତାଙ୍କ ନିକଟରେ ୧୯୬୩ ମସିହାରୁ ଖେରଜ୍ ପଟ୍ଟା ମଧ୍ୟ ଅଛି ବୋଲି କହନ୍ତି ହକ୍। ତାଙ୍କ ମାତା ରାହିମୋନ୍ ନେସା ନାମ ମଧ୍ୟ ୧୯୫୧ ନାଗରିକଙ୍କ ଜାତୀୟ ରେଜିଷ୍ଟର୍ରେ ଉଲ୍ଲେଖ କରାଯାଇଛି।