ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସ ପୂର୍ବତନ ବିଜେପି ବିଧାୟକ ମନୋଜ ସୋକିନ୍ଙ୍କୁ ବନ୍ଧୁକ ମୁନରେ ନିଜର ବୋହୂ ସହ ଦୁଷ୍କର୍ମ କରିବା ଅଭିଯୋଗରେ ଗିରଫ କରିଛି।
ପୀଡ଼ିତା ଗୁରୁବାର ପୁଲିସ୍ରେ ଅଭିଯୋଗ କରିବା ପରେ ନାଙ୍ଗଲୋଇ ବିଧାନସଭା ଆସନରୁ ୨ ଥର ନିର୍ବାଚିତ ହୋଇଥିବା ସୋକିନ୍ଙ୍କୁ ଗିରଫ କରାଯାଇଛି।
ପୁଲିସ୍ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ,୨୦୧୮ ମସିହା ଡିସେମ୍ବର ୩୧ ରାତିରେ ନିଶାସକ୍ତ ଅବସ୍ଥାରେ ତାଙ୍କର ଶ୍ୱଶୁର ପୂର୍ବତନ ବିଧାୟକ ସୋକିନ୍ ତାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲେ। ପୀଡ଼ିତା ଚିତ୍କାର କରିବାରୁ ସେ ବନ୍ଧୁକ ଦେଖାଇ ହତ୍ୟା ଧମକ ଦେଇ ଦୁଷ୍କର୍ମ କରିଥିଲେ। ପୀଡ଼ିତାଙ୍କ ଭାଇ ସୋକିନଙ୍କୁ ଅଟକିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ଅଟକି ନଥିଲେ। ଏହି ଘଟଣା ସେ ପରିବାରକୁ ଜଣାଇଥିଲେ ମଧ୍ୟ କିଛି ଫଳ ମିଳି ନଥିଲା।
ପୀଡିତା ବିବାହକୁ ବଞ୍ଚାଇବା ଲାଗି ଥାନାରେ ମାମଲା ରୁଜୁ କରି ନ ଥିଲେ। ଏହାପରେ ପୀଡ଼ିତାଙ୍କ ଉପରେ ଅତ୍ୟାଚାର ଆରମ୍ଭ ହେବାରୁ ସେ ଏତଲା ଦେବାକୁ ବାଧ୍ୟ ହୋଇଥିଲେ।
ବିଜେପିର ପୂର୍ବତନ ବିଧାୟକ ମନୋଜ ସୋକିନଙ୍କ ବିରୋଧରେ ଧାରା ୩୭୬ ଓ ୫୦୬ ଆଧାରରେ ପୁଲିସ୍ ମାମଲା ରୁଜୁ କରିଛି।