କଂଗ୍ରେସକୁ ଝଟ୍‌କା: ଦଳ ଛାଡ଼ିଲେ ପୂର୍ବତନ ଗୋଆ ମୁଖ୍ୟମନ୍ତ୍ରୀ ରବି ନାୟକ; ଯୋଗଦେବେ ବିଜେପିରେ!

ପାନାଜୀ: ଗୋଆ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଆଉ ଏକ ଝଟକା ଦେଇ ଦଳର ବିଧାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ରବି ନାୟକ ମଙ୍ଗଳବାର ରାଜ୍ୟ ବିଧାନସଭାରୁ ଇସ୍ତଫା ଦେଇଛନ୍ତି।

ଚଳିତ ବର୍ଷ ଅକ୍ଟୋବରରେ ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ଲୁଇଜିନହୋ ଫାଲେରୋ କଂଗ୍ରେସ ବିଧାୟକ ପଦରୁ ଇସ୍ତଫା ଦେଇଥିଲେ ଏବଂ ପରେ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସରେ ଯୋଗ ଦେଇଥିଲେ।

ଏବେ, ନାୟକଙ୍କ ଇସ୍ତଫା ପରେ ୪୦ ଜଣିଆ ଗୋଆ ରାଜ୍ୟ ବିଧାନସଭାରେ କଂଗ୍ରେସର ଶକ୍ତି ତିନିକୁ ହ୍ରାସ ପାଇଛି। ଗୋଆର ପୋଣ୍ଡା ଆସନରୁ ପ୍ରତିନିଧିତ୍ୱ କରୁଥିବା ନାୟକ ବିଧାନସଭା ବାଚସ୍ପତି ରାଜେଶ ପାଟନେକରଙ୍କ ନିକଟରେ ତାଙ୍କର ଇସ୍ତଫା ପତ୍ର ଦାଖଲ କରିଥିବା ଜାଣିବାକୁ ମିଳିଛି। ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ନାୟକଙ୍କ ଦୁଇ ପୁଅ ଗତ ବର୍ଷ ଶାସକ ବିଜେପିରେ ଯୋଗ ଦେଇଥିଲେ।

‘ମୁଁ ଇସ୍ତଫା ଦେଇଛି। ମୋର ପରବର୍ତ୍ତୀ କାର୍ଯ୍ୟପନ୍ଥା କ’ଣ ହେବ ସେ ସଂପର୍କରେ ମୁଁ ଆପଣଙ୍କୁ ପରେ ଜଣାଇବି’ ବୋଲି ନାୟକ ତାଙ୍କ ଇସ୍ତଫା ଦାଖଲ କରିବା ପରେ ଏଠାରେ ସାମ୍ବାଦିକମାନଙ୍କୁ କହିଛନ୍ତି।

ସୂଚନା ଅନୁଯାୟୀ, ବିଜେପିର ଗୋଆ ନିର୍ବାଚନ ପ୍ରଭାରୀ ଦେବେନ୍ଦ୍ର ଫଡନାଭିସଙ୍କ ଉପସ୍ଥିତିରେ ନାୟକ ଦିନକ ପରେ ବିଜେପିରେ ଯୋଗଦେବେ ବୋଲି ଆଶା କରାଯାଉଛି। ରବି ନାୟକଙ୍କ ସାନ ପୁଅ ରୟ ନାୟକ କହିଛନ୍ତି ଯେ ସେ ତାଙ୍କ ପିତାଙ୍କୁ ବିଜେପିରେ ଯୋଗଦେବାକୁ ଅନୁରୋଧ କରିଛନ୍ତି। ୨୦୧୭ ରାଜ୍ୟ ବିଧାନସଭା ନିର୍ବାଚନରେ କଂଗ୍ରେସ ୧୭ଟି ଆସନ ଜିତି ଏକକ ବୃହତ୍ତମ ଦଳ ଭାବରେ ଉଭା ହୋଇଥିଲା। ତେବେ ୧୩ଟି ଆସନ ଜିତିଥିବା ବିଜେପି ଉପକୂଳ ରାଜ୍ୟରେ ସରକାର ଗଠନ ପାଇଁ କିଛି ଆଞ୍ଚଳିକ ସଂଗଠନ ଏବଂ ସ୍ୱାଧୀନ ପ୍ରାର୍ଥୀଙ୍କ ସହ ମେଣ୍ଟ କରି ଗୋଆର ଶାସନ ଗାଦିକୁ ଅକ୍ତିଆର କରି ନେଇଥିଲା।

ସମ୍ବନ୍ଧିତ ଖବର